ଢେଙ୍କାନାଳ,୧୪/୧୧/୨୦୨୫ (ଓଡ଼ିଶା ସମାଚାର)- ନଭେମ୍ବର ୧୭ ତାରିଖ ସୋମବାର ଢେଙ୍କାନାଳ ବନ୍ଦକୁ ଆମ୍ ଆଦମୀ ପାର୍ଟି ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଆମ୍ ଆଦମୀ ପାର୍ଟି ସର୍ବଦା ସାଧାରଣ ଲୋକମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ଯୋଗାଇ ଦେବାପାଇଁ ପ୍ରତିଶୃତି ବଦ୍ଧ ।
ପ୍ରକାଶ ଥାଉକି, ଗତ ଦୁଇ ବର୍ଷ ହେଲା ଟାଟା ପାୱାରର ଶୋଷଣ ନୀତି ଏବଂ ଶୋଷଣ ଯନ୍ତ୍ର ସ୍ମାର୍ଟ ମିଟରକୁ ବିରୋଧ କରି ଜିଲ୍ଲାର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ ସଭା ମାଧ୍ୟମରେ ଜନ ସଚେତନ କରିଆସୁଛି । ଏହି କ୍ରମରେ ଢେଙ୍କାନାଳ ଓକିଲ ସଂଘ ନେତୃତ୍ୱରେ ଗଠିତ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୭ ନଭେମ୍ବର ସକାଳ ୬ ରୁ ସନ୍ଧ୍ୟା ୬ ବାର ଘଣ୍ଟିଆ ବନ୍ଦ ଡାକରାକୁ ଆମ୍ ଆଦମୀ ପାର୍ଟି ସମ୍ପୂର୍ଣ୍ଣ ସମର୍ଥନ କରିବ । ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଓ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଯୋଗଦେଇ ଟାଟା ପାୱାର ଏହି ସ୍ମାର୍ଟ ମିଟର ବନ୍ଦ କରିବା, ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଫାଇନ କରିବା, ବିଦ୍ୟୁତ ବିଭାଗର ଭିତିଭୂମି ସଜାଡ଼ିବା ଉପରେ ଆଲୋଚନା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ବେହେରା, ସମ୍ପାଦକ ଅନିଲ ସାମଲ, ଜିଲ୍ଲା ଯୁବ ସଭାପତି ସ୍ୱାଗତ ସିଂହ, ନଗର ସଭାପତି ଦେବାଶିଷ ନନ୍ଦ, ଉପଦେଷ୍ଟା ଚିତ୍ତରଞ୍ଜନ ପାଣି, ବିଜୟ କୁମାର ଦାସ, ଇଂ ପିତାମ୍ବର ଦାସ, ସନାତନ ନାଏକ, ପ୍ରସନ୍ନ ବରାଳ, ଜୟନ୍ତ ଦାସ ପ୍ରମୁଖ ଯୋଗଦେଇ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟିର ୧୭ ନଭେମ୍ବର ବାର ଘଣ୍ଟିଆ ବନ୍ଦ ଡାକରାକୁ ସହଯୋଗ କରି ସଫଳ କରିବାପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।
