ଜିଲାରେ ହାଇ ଆଲର୍ଟ ଜାରି
କେନ୍ଦ୍ରାପଡ଼ା,୧୩/୧୧/୨୦୨୫(ଓଡ଼ିଶା ସମାଚାର)- ଦିଲ୍ଲୀରେ ଆତଙ୍କବାଦୀଙ୍କ ବିଷ୍ଫୋରଣ ପରେ କେନ୍ଦ୍ରାପଡ଼ା ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି । କାରଣ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ଓ ରାଜନଗର ବ୍ଲକରେ ବାଂଲାଦେଶୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀ ରହୁଥିବା ପୂର୍ବରୁ ଗୁଇନ୍ଦା ବିଭାଗ ନିକଟରେ ସୂଚନା ରହିଛି । ଏ ନେଇ ରାଜ୍ୟ ସରକାର ମଧ୍ୟ ପୂର୍ବରୁ ଶତାଧିକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଥିଲେ । ହେଲେ ବିଶେଷ କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । କିନ୍ତୁ ରବିବାର ରାତିରେ ଦିଲ୍ଲୀରେ ଆତଙ୍କବାଦୀଙ୍କ ବିଷ୍ଫୋରଣ ପରେ କେନ୍ଦ୍ରାପଡ଼ା ପୋଲିସ ହାଇ ଆଲର୍ଟ ଜାରି କରିଛି । ଜିଲାର ୧୬ଟି ଥାନା ଅଂଚଳରେ ସୋମବାର ସକାଳୁ ନାକାବନ୍ଦୀ ଆରମ୍ଭ ହୋଇଛି । ଯେଉଁମାନେ ସନ୍ଦେହଜନକ ଭାବେ ବୁଲାବୁଲି କରୁଛନ୍ତି ସେମାନଙ୍କୁ ସଂପୃକ୍ତ ଥାନା ଅଂଚଳରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ବିଶେଷ କରି ବିଭିନ୍ନ କାରଗୁଡିକୁ ଯାଂଚ କରାଯାଉଛି । କାରଣ ଦିଲ୍ଲୀରେ ଯେଉଁ ବିଷ୍ଫୋରଣ ଘଟିଛି ତାହା କାର ଦ୍ୱାରା ବିଷ୍ଫୋରଣ କରାଯାଇଛି ।
କାରରେ ଆତଙ୍କବାଦୀମାନେ ବିଷ୍ଫୋରକ ଦ୍ରବ୍ୟ ରଖି ବିଷ୍ଫୋରଣ କରିଛନ୍ତି । ତେଣୁ ସମାନ ତରିକାରେ ଆତଙ୍କୀମାନେ କାଳେ ଏଠାରେ ବିଷ୍ଫୋରଣ କରିବେ ତାହାକୁ ଆଖି ଆଗରେ ରଖି ଯାଂଚ କରାଯାଉଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଶ୍ରୀବଳଦେବଜୀଉଙ୍କ ମନ୍ଦିର ନିକଟରେ ବୋମା ନିଷ୍କ୍ରିୟକାରୀ ଦଳ ଯାଂଚ କରିଛନ୍ତି । କାରଣ ମନ୍ଦିର ଭଳି ଯେଉଁ ସ୍ଥାନରେ ଜନଗହଳି ପୂର୍ଣ୍ଣ ରହିଛି ତାହାକୁ ଆତଙ୍କୀମାନେ ଟାର୍ଗେଟ୍ କରୁଛନ୍ତି । ତେଣୁ ମନ୍ଦିର ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ବୋମା ନିଷ୍କ୍ରିୟକାରୀ ଦଳକୁ ମୁତୟନ କରାଯାଇଛି । କୌଣସି ଅନୁପ୍ରବେଶକାରୀଙ୍କ ଉପରେ ସନ୍ଦେହ ସୃଷ୍ଟି ହେଲେ ତାହାକୁ ଛଡା ଯିବ ନାହିଁ ବୋଲି ଏସପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି । ପୋଲିସ ଡିଜିଙ୍କ କାର୍ଯ୍ୟାଳୟରୁ ଏ ନେଇ ନିର୍ଦେଶ ଆସିବା ପରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନେତୃତ୍ୱରେ ପୋଲିସ ଅଧିକାରୀମାନେ ନିଜ ନିଜ ଥାନା ଅଂଚଳରେ ଗାଡିମୋଟର ଯାଂଚ କରୁଛନ୍ତି । ଏହି ସମୟରେ କେତେକ ବ୍ୟକ୍ତିଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଇଛି । ପୋଲିସ ଇନ୍ସପେକ୍ଟରମାନଙ୍କ ଛୁଟିକୁ ବାତିଲ କରିଦିଆଯାଇଛି । ଯେଉଁମାନେ ଛୁଟିରେ ଥିଲେ ସେମାନେ ସୋମବାର ସକାଳେ କାର୍ଯ୍ୟରେ ଯୋଗଦେଇଛନ୍ତି ।
ପୋଲିସ ଇନ୍ସପେକ୍ଟରମାନେ ନିଜ ଥାନା ଅଂଚଳରେ ସଜାଗ ରହିଛନ୍ତି । ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପୋଲିସ ବାହିନୀ ସଜାଗ ଅଛି । ଅପରପକ୍ଷରେ ମହାକାଳପଡ଼ା ଓ ରାଜନଗର ଦେଇ ଅନୁପ୍ରବେଶକାରୀ କେନ୍ଦ୍ରାପଡ଼ା ଜିଲାକୁ ପ୍ରବେଶ କରିବାର ଅଧିକ ଆଶଙ୍କା ରହିଛି । ଏହାର କାରଣ ହେଉଛି ଏହି ଦୁଇ ବ୍ଲକରେ ମୁକୁଳା ଜଳରାଶି ରହିଛି । ଏହି ଜଳରାଶି ବାଟେ ଅନୁପ୍ରବେଶକାରୀଙ୍କୁ ପ୍ରତିହତ କରିବା ପାଇଁ ପୋଲିସ ପକ୍ଷରୁ ସେପରି କିଛି ବ୍ୟବସ୍ଥା ନଥିବା ଜଣାପଡିଛି । ଯେଉଁ ଏକମାତ୍ର ସ୍ପିଡ ବୋଟ ରହିଛି ତାହାକୁ ଚଳାଇବା ପାଇଁ ପୋଲିସ ପାଖରେ ତେଲର ଅଭାବ ରହିଛି । ଏହାସହ ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ସାମୁଦ୍ରିକ ଥାନାରେ ମଞ୍ଜୁରୀ ସଂଖ୍ୟା ଠାରୁ ଯଥେଷ୍ଟ କମ ସଂଖ୍ୟକ ପୋଲିସ କର୍ମଚାରୀ ଅଛନ୍ତି । ପୋଲିସ ନିକଟରେ ଅତ୍ୟାଧୂନିକ ଅସ୍ତ୍ରଶସ୍ତ ନାହିଁ । ତେଣୁ ଏହି ତିନୋଟି ଥାନା ଅଂଚଳରେ ଯେଉଁ ବିସ୍ତୀର୍ଣ୍ଣ ଜଳରାଶି ରହିଛି ସେଇ ବାଟ ଦେଇ ଆତଙ୍କୀ ପ୍ରବେଶ କରିବାର ଆଶଙ୍କା ଅଧିକ ରହିଛି ବୋଲି ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ କହିଛନ୍ତି । ତାଙ୍କ କହିବା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲାର ସମ୍ବେଦନଶୀଳ ସ୍ଥାନ ହେଉଛି ଉପରୋକ୍ତ ତିନୋଟି ଥାନା ଅଂଚଳ । ସେହି ଥାନା ଅଂଚଳରେ ପୋଲିସ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଉଚିତ ।
ପୋଲିସକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବା ଆବଶ୍ୟକ । ରାଜ୍ୟ ସରକାର ଏଥିପ୍ରତି ଅଧିକ ସମ୍ବେଦନଶୀଳ ହେବା ଉଚିତ । କିନ୍ତୁ ଏହି ୩ ଥାନାକୁ ଗୋଟିଏ ମାତ୍ର ସ୍ପିଡ ବୋଟ ଦିଆଯାଇଛି । ହେଲେ ଏହି ବୋଟ୍ ଟି ଚାଲିବା ପାଇଁ ସରକାର ଯେତିକି ତେଲ ଦେଉଛନ୍ତି ତାହା ସମୁଦ୍ରକୁ ଶେଙ୍ଖ ଭଳି । ତେଣୁ ସରକାର ଓ ଗୃହ ବିଭାଗ ଏହି ତିନି ଥାନା ଅଂଚଳକୁ ଅଧିକ ଗୁରୁତ୍ୱ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଜମ୍ବୁ ସାମୁଦ୍ରିକ ଥାନାଧିକାରୀ ସୌମ୍ୟରଞ୍ଜନ ବିଶ୍ୱାଳ କହିଛନ୍ତି ସମୁଦ୍ରରେ ପାଟ୍ରୋଲିଂ ଚାଲିଛି । ସମୁଦ୍ରରେ ଯେଉଁ ବୋଟଗୁଡିକ ଚଳପ୍ରଚଳ କରୁଛନ୍ତି ସେଗୁଡିକରେ ବିଷ୍ଫୋରକ ଥିବା ସନ୍ଦେହରେ ଯାଂଚ କରାଯାଇଛି । ସମୁଦ୍ରକୂଳ ଗ୍ରାମଗୁଡିକରେ ମଧ୍ୟ ଯାଂଚ କରାଯାଇଛି । ଚଳପ୍ରଚଳ କରୁଥିବା ଗାଡିମୋଟର ଗୁଡିକୁ ଯାଂଚ କରାଯାଇଛି । ଏସପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି କେନ୍ଦ୍ରାପଡ଼ା ପୋଲିସ ମୁଖ୍ୟାଳୟ ପକ୍ଷରୁ ସମସ୍ତ ଥାନାର ଅଧିକାରୀଙ୍କୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ବମ ସ୍କ୍ୱାଡ ମୁତୟନ ହୋଇଛନ୍ତି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଂଚ କରାଯାଉଛି । ସାମୁଦ୍ରିକ ଥାନା ଅଂଚଳରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଥିସହ ସ୍ପିଡ ବୋଟକୁ ପ୍ରସ୍ତୁତ କରି ରଖାଯାଇଛି । ସ୍ପିଡ୍ ବୋଟ ସମୁଦ୍ରରେ ପଇଁତରା ମାରୁଛି ବୋଲି ଏସପି କହିଛନ୍ତି ।
