ନିମାପଡ଼ା, ୨୭/୧୧/୨୦୨୩ (ଓଡ଼ିଶା ସମାଚାର)- କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନିମାପଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଙ୍ଗମ’ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସଙ୍ଗମ ଅନୁଷ୍ଠାନ ତରଫରୁ ସ୍ଥାନୀୟ ଦୁର୍ଗାମଣ୍ଡପ ଠାରେ ଏକ ଅସ୍ଥାୟୀ ଜଳାଶୟ ନିର୍ମାଣ କରା ଯାଇଥିଲା। ଭୋର ୪ଟାରେ ବୋଇତ ବନ୍ଦାଣ ପୂଜାର୍ଚ୍ଚନା ସରିବା ପରେ ଶତାଧିକ ମହିଳା,ଶିଶୁ ଏହି ଜଳାଶୟରେ ଡ଼ଙ୍ଗା ଭସାଇଥିଲେ। ଏଥିସହିତ ନିଗମ କଳା ସଂସଦ, ନିମାପଡ଼ା ଏବଂ ଭଜନ ଭକ୍ତି ଅର୍ଘ୍ୟ ଗ୍ରୁପ, ଯାଜପୁରର କଳାକାର ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ, ଭଜନ ସମାରୋହ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନିମାପଡ଼ା ଥାନା ଆଇ.ଆଇ.ସି. ବାମଦେବ ସ୍ୱାଇଁ, ବିଶିଷ୍ଟ ହୋମିଓପ୍ୟାଥିକ ଚିକିତ୍ସକ ନେତ୍ରାନନ୍ଦ ଭୋଇ, ସମାଜସେବୀ ମହେନ୍ଦ୍ର ସିଂ ଭାଟିଆ, ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ଆଇ.ତ୍ରିନାଥ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କବିତା ପାଠ,ସାହିତ୍ୟ ସଭା ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ସହ ଝୋଟି ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହିତ ଶଙ୍ଖବାଦନ, ହୁଳହୁଳି ପ୍ରତିଯୋଗିତା ସହ ମୁଖ୍ୟ ଆକର୍ଷଣ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ପଶୁମୁଖା ନୃତ୍ୟ। ବିଶ୍ୱ ଜନନୀ ଆନିମଲମାସ୍କ ଡ୍ୟାନ୍ସ ଗ୍ରୁପ, ଗଞ୍ଜାମର କଳାକାର ମାନଙ୍କ ଦ୍ୱାରା ପରିବେଷିତ ଏହି ନୃତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ‘ସଙ୍ଗମ’ ର ଉପଦେଷ୍ଟା ନିରଞ୍ଜନ ପଳତା, ଗାୟକ ଅତିବଡ଼ି ମଙ୍ଗରାଜ ବିଶ୍ୱାଳ, ଅଧ୍ୟାପିକା ସ୍ଵାଗତିକା ସାହୁ, ଅଲ ଇଣ୍ଡିଆ ରେଡ଼ିଓ ଉପସ୍ଥାପିକା ବିଶ୍ଵାମିତ୍ରା ମିଶ୍ର ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ। ଉପଦେଷ୍ଟା ଭରତ ଚନ୍ଦ୍ର ସାହୁ, ଡକ୍ଟର ରବିନ୍ଦ୍ରନାଥ ପାଢ଼ି ଏବଂ ଆର୍ତ୍ତତ୍ରାଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।