ଭୁବନେଶ୍ୱର,୩୦/୦୭/୨୦୨୫ (ଓଡ଼ିଶା ସମାଚାର)- ଚାଲିଛି ଫେଓ ଭେରିଫିକେସନ୍ । ଅଙ୍ଗନବାଡ଼ି ଦିଦି ନିଜ ମୋବାଇଲରୁ ଏକ ସ୍ୱତନ୍ତ୍ର ଆପ୍ ରେ କରୁଛନ୍ତି ହିତାଧିକାରୀଙ୍କର ଫେସ୍ ଭେରିଫିକେସନ ବା ଚେହେରା ଯାଂଚ । କେୱାଇସି ପାଇଁ ଏଭଳି ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି, କିନ୍ତୁ ବ୍ୟବସ୍ଥା ଆରମ୍ଭ ନହେଉଣୁ ବଢ଼ିଲାଣି ସମସ୍ୟା ।
କେଉଁଠି ଇଂଟରନେଟ୍ ସମସ୍ୟା ତ ଆଉ କେଉଁଠି ଆପ୍ଲିକେସନ୍ ରେ ସମସ୍ୟା । ଆଧାର କାର୍ଡ ଠିକ୍ ଥିଲେ ବି ଅନେକ ହିତାଧିକାରୀଙ୍କର ଠିକ ଭାବେ ଚେହେରା ଯାଂଚ ହୋଇପାରୁନି । ରାଜ୍ୟର ଉପାନ୍ତ ଅଂଚଳଠାରୁ ରାଜଧାନୀ ଯାଏଁ ସବୁଠି ସମାନ ସମସ୍ୟା । ଗର୍ଭବତୀ ମହିଳା ହୁଅନ୍ତୁ ଅବା ପ୍ରସୂତି କିମ୍ବା ନବଜାତ ଶିଶୁ । ସରକାରୀ ଯୋଜନା ମୁତାବକ, ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଥାଏ ଅନେକ ସୁବିଧା ।
ଘରକୁ ରାସନ ନେବାର ଯୋଜନା ବି ରହିଛି, କିନ୍ତୁ ଏସବୁ ସୁବିଧା ପାଇବାକୁ ହେଲେ, ଏଣିକି ଅଙ୍ଗନବାଡ଼ି କେନ୍ଦ୍ରରେ ଫେସ୍ ଭେରିଫିକେସନ୍ କରିବା ବାଧ୍ୟତାମୂଳକ ହୋଇଛି । ନିୟମ ଅନୁଯାୟୀ, ଆପ୍ ଜରିଆରେ ହିତାଧିକାରୀଙ୍କ ଚେହେରାକୁ ଯାଂଚ କରାଯିବ । ଆଧାର ପଞ୍ଜୀକରଣ ସମୟରେ ରେକର୍ଡ ଥିବା ଚେହେରା ସହିତ ମେଳ ଖାଇଲେ ହିଁ ହିତାଧିକାରୀ ଯୋଗ୍ୟ ବିବେଚିତ ହେବେ, କିନ୍ତୁ ବିଡ଼ମ୍ବନାର କଥା ଚଳିତ ମାସ ଲକ୍ଷାଧିକ ହିତାଧିକାରୀ ରାସନ ପାଇବାରୁ ବଂଚିତ ହୋଇଛନ୍ତି । ରାଜ୍ୟର ଅନେକ ଜିଲାରେ ପୁଷ୍ଟିହୀନତାର ଚିତ୍ର ସାମ୍ନାକୁ ଆସୁଥିବାବେଳେ ବର୍ତମାନର ସମସ୍ୟା ଚିନ୍ତା ବଢ଼ାଇଛି । ତେବେ ପ୍ରଶ୍ନ ଉଠୁଛି, ସରକାର ଏ ବିଷୟରେ ଜାଣିଛନ୍ତି ତ, ନା ଜାଣି ନଜାଣିଲା ଭଳି ଅଭିନୟ କରୁଛନ୍ତି ।
