ମହାକାଳପଡା, ୦୫/୧୧/୨୦୨୫(ଓଡ଼ିଶା ସମାଚାର)-ଚଳିତ ବର୍ଷ ପ୍ରଥମ କରି ଜମ୍ବୁଦ୍ୱୀପ ବୋଇତ ବନ୍ଦାଣ ଉତ୍ସବ ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗର ପଂଚାୟତ ବାହାକୁଦସ୍ଥିତ ମହାନଦୀ ମୁହାଣ ଠାରେ ଅନୁଷ୍ଠିତ ହୋଇଯାଇଛି । ମା’ ରାମଚଣ୍ଡୀ କୈବର୍ତ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସମିତିର ସଭାପତି ରାଜକିଶୋର ମହାପାତ୍ରଙ୍କ ଆୟୋଜିତ ଉତ୍ସବରେ ଶିକ୍ଷାବିତ୍ ଗନ୍ଧର୍ବ ଚନ୍ଦ୍ର ନାୟକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଖ୍ରୀଷ୍ଟପୂର୍ବ୧୨୬୩ପୂର୍ବରୁ ସାଧବପୁଅମାନେ ନୌବାଣିଜ୍ୟ କରୁଥିବା ସମ୍ପର୍କରେ ଚୀନ ପରିବ୍ରାଜକ ହୁଏନ୍ସାଂ ଏକ ପୁସ୍ତକରେ ଲେଖି ଯାଇଥିବା ସମ୍ପର୍କରେ କହିବା ସହିତ ଜମ୍ବୁଦ୍ୱୀପ ଠାରୁ ୧୮ କିଲୋମିଟର ଦୂରରେ ଏକ ଦ୍ୱୀପରେ କଳ ଦ୍ୱୀପ ରହିଛି,ସେହିପରି ଏହି ଠାରେ ଥିବା ମାଦେଲି ଚଢାରେ ପୁରାଣ ବର୍ଣ୍ଣିତ ତଅପୋଇ ଙ୍କୁ ଭାଇମାନେ ଠାବ କରିଥିବା ସମ୍ପର୍କରେ କହିଥିଲେ ।
ଡଃ.ନାୟକ ଆହୁରୀ ମଧ୍ୟ କହିଥିଲେ ଯେ ଆଜିର ଦିନରେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଗ୍ରହଣ କରି ବେଦକୁ ରାକ୍ଷସ କବଳରୁ ଉଦ୍ଧାର କରିଥିଲେ । ଆନ୍ତର୍ଜାତିକ ପାରାଦ୍ୱୀପ ବନ୍ଦରର ଅପର ପାଶ୍ୱର୍ରେ ଥିବା ଏହି ଅଂଚଳ ଆଗାମୀ ଦିନରେ ଦୃତ ବିକାଶ ହେବା ସହିତ ଶିଶୁ ଭାବରେ ଜନ୍ମ ନେଇଥିବା ଏହି ଜମ୍ବୁ ଦ୍ୱୀପ ବୋଇତ ବନ୍ଧାଣ ଉତ୍ସବ ଆଗାମୀ
ଦିନରେ ବିରାଟ କଳ୍ପବଟ ସଦୃଶ ହେବ ବୋଲି କହିଥିଲେ । ଅବସରପ୍ରାପ୍ତ ପୁଲିସ ଅଧିକାରୀ ନାରାୟଣ ପ୍ରସାଦ ବେହେରାଙ୍କ ସଂଚାଳନରେ ଆୟୋଜିତ ଉତ୍ସବରେ ଡଃ ବିଷ୍ଣୁ ଚରଣ ବେହେରା,.ରେଳ ବିଭାଗର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରିଣୀ ମଞ୍ଜୁଲତା ରାୟ,ଶିକ୍ଷାବିତ୍ ଶୁଭ୍ରାଂଶୁ ଶେଖର ବେହେରା,ନିଖିଳ ଓଡିଶା କୈବର୍ତ ମହାସଂଘର ସଭାପତି ଡଃ.ଦେବେନ୍ଦ୍ର କୁମାର ବେହେରା ,ଅନ୍ତେଇ ର ରଞ୍ଜନ କୁମାର ବେହେରା ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହି ବାର୍ଲି ନାମକ ଦ୍ୱୀପରୁ ଓଡିଆ ସାଧବ ପୁଅମାନେ ବେପାର କରି ଫେରୁଥିବାରୁ ଏହାର ନାମ ବାଲିଯାତ୍ରା ବୋଲି କହିବା ସହିତ ଲକ୍ଷ୍ମୀଙ୍କୁ ଆବାହନ,ତଅପୋଇ ପ୍ରସଙ୍ଗ,ଜଗନ୍ନାଥଙ୍କ ସଂସ୍କୃତି ଆଦି ଉପରେ ମତବ୍ୟକ୍ତ କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ରାଜକିଶୋର ମହାପାତ୍ର ସଭାପତିତ୍ୱ କରିଥିବାବେଳେ, ଅଶୋକ କୁମାର ବେହେରା ଧନ୍ୟବାଦ ଦେଇଥିଲେ । ନିଖିଳ ଓଡିଶା କୈବର୍ତ ମହାସଂଘର ସଭାପତି ଡଃ.ଦେବେନ୍ଦ୍ର କୁମାର ବେହେରା ମୂଖ୍ୟ ବକ୍ତା ଭାବରେ ଉପସ୍ଥିତ ରହି ଏହି ଅଂଚଳରେ ପୂର୍ବରୁ ମା’ ଶାରଳାଙ୍କ ପୀଠ ସ୍ଥାନ ରହିଥିବା ଏବଂ ମା’ ରାମଚଣ୍ଡୀ ଥିବା ଓ ରାମଚଣ୍ଡୀଙ୍କ ନାମ ଚିତ୍ରାମାହେଶ୍ୱରୀ ବୋଲି ପୁରାଣରେ ବର୍ଣ୍ଣିତ ଥିବା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବାହ୍ନରେ ବୋଇତ ବନ୍ଦାଣ,ସାଧବ ପୁଅମାନଙ୍କ ନୌ-ଯାତ୍ରା ପରମ୍ପରା,ସାଧବାଣୀମାନଙ୍କ ଦ୍ୱାରା ବୋଇତ ବନ୍ଦାପନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କ ସହିତ ବିଶିଷ୍ଠ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାବଗ୍ରାହୀ ବେହେରା, ସରୋଜ କୁମାର ସାହୁ,ପ୍ରଶାନ୍ତ କୁମାର ସେଠୀ,ରଞ୍ଜନ କୁମାର ଚୌଧୁରୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
