ତୁଳସୀକ୍ଷେତ୍ରରେ ପ୍ରଳମ୍ବାସୁର ବଦ୍ଧ ବେଶ

କେନ୍ଦ୍ରାପଡ଼ା,୦୨/୧୧/୨୦୨୫(ଓଡ଼ିଶା ସମାଚାର)-ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରଳମ୍ବାସୁର ବଦ୍ଧ ବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଭୁ ଶ୍ରୀବଳଦେବଜୀଉ ଶ୍ରୀକ୍ଷେତ୍ରରୁ ଆସିଥିବା ପାଟ ଶାଢ଼ୀ ପରିଧାନ କରି ସଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ପରମ୍ପରା ଅନୁଯାୟୀ ଆଜି ବଳଦେବଜୀଙ୍କ ମନ୍ଦିରରେ ପ୍ରଳମ୍ବାସୁର ବଦ୍ଧ ନୀତି ଅନୁଷ୍ଠିତ ହୋଇଥିଲା । ଏକାଦଶୀ ଓ ଦ୍ୱାଦଶୀ ତିଥି ଗୋଟିଏ ଦିନରେ ପଡିଥିଲା । ଏହି ତିଥିରେ ପ୍ରଳମ୍ବାସୁରକୁ ବଦ୍ଧ କରାଯାଇଥିଲା । ତେଣୁ ମନ୍ଦିରରେ ସନ୍ଧ୍ୟା ନୀତି ସମ୍ପନ୍ନ ପରେ ପୂଜା ପଣ୍ଡାଙ୍କ ଦ୍ୱାରା ବେଶ ଅନୁଷ୍ଠିତ ହୋଇଥିଲା ।

ଶ୍ରୀକ୍ଷେତ୍ରରୁ ଆସିଥିବା ପାଟ ଶାଢ଼ୀ ଶ୍ରୀବଳଦେବଜୀଉଙ୍କୁ ପରିଧାନ କରାଯିବା ସହ ଦୁର୍ଲଭ ବେଶରେ ସଜା ଯାଇଥିଲା । ଏହି ବେଶ ଦେଖିବାକୁ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା । ଆଜି ତୁଳସୀ ବିବାହ ଗରୁଡ଼ ଜନ୍ମ ନୀତି ଥିବାରୁ ମହାପ୍ରଭୁଙ୍କଙ୍କ ଚଳନ୍ତି ପ୍ରତିମା ଗୋବିନ୍ଦଜୀଉ ଭଗବାନପୁର ଗ୍ରାମରେ ଥିବା ତୁଳସୀ ମନ୍ଦିରକୁ ବିମାନରେ ଯାତ୍ରା କରିଥିଲେ । ସେଠାରେ ତୁଳସୀ ବିବାହ ନୀତି ସମ୍ପନ୍ନ ହୋଇଥିଲା । ରାତ୍ର ଧୂପ ସମ୍ପନ୍ନ ପରେ ପୂଜା ପଣ୍ଡାଙ୍କ ଦ୍ୱାରା ଦେବ ଉତଥାପନ ନୀତି ସିଂହାସନରେ କରାଯାଇଥିଲା । ପରେ ଜଗମୋହନରେ ଦଣ୍ଡାୟମାନ ଥିବା ଗରୁଡ଼ଙ୍କ ଜନ୍ମ ଜୟନ୍ତୀ ନୀତି ପାଳନ କରାଯାଇଥିଲା । ତୁଳସୀ ଚଉରାରେ ରାଜ ପୁରୋହିତଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ପାଠ କରାଯାଇଥିଲା । ସମସ୍ତ ନୀତି ସମ୍ପନ୍ନ ପରେ ଅନ୍ୟ ନୀତି କରାଯାଇଥିଲା ।

କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ କୃଷ୍ଣ ବଳରାମ ଦୁଇ ଭାଇ ଗୋପାଳଙ୍କ ସହିତ ଥିବାରୁ ଦୁଷ୍ଟ ପ୍ରଳମ୍ବାସୁର ସହ ମୁହା ମୁହିଁ ହୋଇଥିଲେ । ବଡ଼ ଭାଇ ବଳରାମ ନିଜ ମୁଷଳରେ ପ୍ରଳମ୍ବାସୁରକୁ ସଂହାର କରିଥିଲେ । ଫଳରେ ଶ୍ରୀକୃଷ୍ଣ ତାଙ୍କ କାନ୍ଧରୁ ଉରୀୟ ବସ୍ତ୍ର ବାହାର କରି ବଳରାମଙ୍କ ମସ୍ତକରେ ପିନ୍ଧାଇଥିଲେ । ସେହି ପ୍ରଥା ପରମ୍ପରା ଉଭୟ ଶ୍ରୀକ୍ଷେତ୍ର ଓ ତୁଳସୀକ୍ଷେତ୍ରରେ ରହିଛି । ଶ୍ରୀ ମନ୍ଦିର ସତ୍ୱଲିପି ଅନୁଯାୟୀ ପ୍ରତ୍ୟେକ ବର୍ଷ ତିନି ଖଣ୍ଡ ପାଟ ଶାଢ଼ୀ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ତୁଳସୀକ୍ଷେତ୍ରକୁ ନେଇ ଆସିଥାନ୍ତି । କାର୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ପ୍ରଳମ୍ବାସୁର ବଧ ନୀତି ଅନୁଷ୍ଠିତ ହୋଇଥାଏ । ସେହି ପାଟଶାଢୀ ପରିଧାନ କରି ଶ୍ରୀବଳଦେବଜୀଉ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *