ଏକାମ୍ର ବାଲିଯାତ୍ରା ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

                                                    ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ହେବ ଏହି ବାଲିଯାତ୍ରା

ଭୁବନେଶ୍ୱର, ୩୧/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗତବର୍ଷ ଭଳି ଚଳିତ ବର୍ଷ ଏକାମ୍ର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ନେଇ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏକାମ୍ର ବାଲିଯାତ୍ରା କମିଟି ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଙ୍କୁଆଳ ନିକଟସ୍ଥ ଦୟା ନଦୀପଠାରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ବିଭିନ୍ନ ରୂପରେଖ ଉପରେ ଆଲୋଚନା ହୋଇଥିଲା ।

ଏହି ଆଲୋଚନାରେ ସଂପୃକ୍ତ ସଂଯୋଗୀ ସଡ଼କ ମରାମତି, ଆଲୋକୀକରଣ, ପାର୍କିଂ, ଶୌଚାଳୟ, ଖାଦ୍ୟର ମାନ ଯାଞ୍ଚ, ଆଶୁ ଚିକିତ୍ସା ବ୍ୟବସ୍ଥା, ସୁରକ୍ଷା, ଟ୍ରାଫିକ୍‌, ସିସିଟିଭି ମୁତୟନ ଆଦି ସଂପର୍କରେ ଆଲୋଚନା ହୋଇ ସଂପୃକ୍ତ ବିଭାଗଗୁଡ଼ିକୁ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଏକାମ୍ର ବାଲିଯାତ୍ରା ସଫଳ ହେବ ଏହା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏସିପି ଶ୍ରୀ କମଳ ଲୋଚନ ଭୂୟାଁ, ଭୁବନେଶ୍ୱର ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ସାହୁ, ବିଡ଼ିଓ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, କମିଟିର ସଂପାଦକ ଶ୍ରୀ କବିରାଜ ସ୍ୱାଇଁ, ଆୟୋଜକ ଶ୍ରୀ ମନୋଜ ପଶ୍ଚିମକବାଟଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *