ଶିକ୍ଷାଗ୍ରାମ ଫାଉଣ୍ଡେସନ୍‌ ଟ୍ରଷ୍ଟ ତରଫରୁ  ଭିନ୍ନକ୍ଷମ ବାଳକବାଳିକାମାନଙ୍କ ପାଇଁ ନୃତ୍ୟ ଓ ହସ୍ତକଳା କର୍ମଶାଳା

ଭୁବନେଶ୍ୱର, ୨୮/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିକ୍ଷାଗ୍ରାମ ଫାଉଣ୍ଡେସନ୍‌ ଟ୍ରଷ୍ଟ ତରଫରୁ ଆଜି ସ୍ଥାନୀୟ ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନଠାରେ ଭିନ୍ନକ୍ଷମ ବାଳକବାଳିକାମାନଙ୍କ ପାଇଁ ଏକ ନୃତ୍ୟ ଓ ହସ୍ତକଳା କର୍ମଶାଳାର ଆୟୋଜନ ହୋଇଯାଇଛି । ଏହି କର୍ମଶାଳାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ବାଳକବାଳିକାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିବିଧ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ କୁମାର ରାଉତରାୟ ଭିନ୍ନକ୍ଷମ ବାଳକବାଳିକାମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ସରକାର ନେଇଥିବା ପଦକ୍ଷେପ ବାବଦରେ ସୂଚନା ଦେଇଥିଲେ ।

          ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ସୀମା ମିଶ୍ର ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ବାଳକବାଳିକାଙ୍କ ସାମଗି୍ରକ ବିକାଶ କିପରି ହୋଇପାରିବ ସେ ଉପରେ ଆଲୋକପାତ କରିଥିଲେ । ଶିକ୍ଷାଗ୍ରାମ ଫାଉଣ୍ଡେସନ୍‌ ଟ୍ରଷ୍ଟର ଟ୍ରଷ୍ଟୀ ଶ୍ରୀମତୀ ଅର୍ଚ୍ଚନା ପଣ୍ଡା ଭିନ୍ନକ୍ଷମ ଶିଶୁମାନଙ୍କ ସାମାଜିକ ଗ୍ରହଣୀୟତା, ସ୍ୱାବଲମ୍ବିତା ଓ ସ୍ୱାସ୍ଥ୍ୟଶିକ୍ଷାର ବିକାଶ ପାଇଁ ଟ୍ରଷ୍ଟର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ସୂଚନା ଦେଇଥିଲେ ।

          କର୍ମଶାଳାର ପ୍ରଥମ ପର୍ଯ୍ୟାୟରେ ଭିନ୍ନକ୍ଷମ ବାଳକବାଳିକାମାନେ ବୃକ୍ଷରୋପଣ କରିବା ସହିତ ‘ପୃଥିବୀ ପାଇଁ ବୃକ୍ଷର ଉପକାରିତା’ ବିଷୟରେ ଅବଗତ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଭିନ୍ନକ୍ଷମ ଶିଶୁମାନେ ନୃତ୍ୟ ଓ ହସ୍ତକଳା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ତୃତୀୟ ପର୍ଯ୍ୟାୟରେ ଶିଶୁମାନଙ୍କ ବାପାମା’ମାନେ ଭିନ୍ନକ୍ଷମ ଶିଶୁମାନଙ୍କୁ ଚିକିତ୍ସା କରୁଥିବା ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ । ଶେଷ ପର୍ଯ୍ୟାୟରେ ଶିଶୁମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *