ଜଂକିଆ ଆକ୍ସିସ ଏଟିଏମ୍ ଲୁଟ ବିଫଳ, କ୍ୟାମେରାରେ କଳା ବୋଳି ଗ୍ୟାସ କଟରରେ କାଟିଥିଲେ
ନିରାକାରପୁର, ୦୩/୬/୨୦୨୪ (ଓଡ଼ିଶା ସମାଚାର)- କିଛି ଦିନ ବ୍ୟବଧାନ ପରେ ଏଟିଏମ୍ ଲୁଟେରା ପୁଣି ମାତିଲେଣି। ଚିରାଚରିତ ଢଙ୍ଗରେ ବିଳମ୍ବିତ ରାତିରେ ବିଭିନ୍ନ ଏଟିଏମ୍ ସି ସି କ୍ୟାମେରା ରେ କଳା ରଙ୍ଗ ବୋଳି ଗ୍ୟାସ କଟର ରେ ଏଟିଏମ୍ କ୍ୟାସ ବକ୍ସକୁ ଅତି କମ୍ ସମୟ ରେ ଅତି ସହଜରେ କାଟି ଟଙ୍କା ନେଇ ଯାଉଥିବାବେଳେ ଏମାନଙ୍କ ପତ୍ତା ମିଳୁନାହିଁ। ଏମାନେ କିଛି ଦିନ ତଳେ ଏ ପରି ଅନେକ ଜାଗାରେ ଲୁଟ କରିଥିବାବେଳେ କିଛି ଦିନ ପୋଲିସ ନଜର ରୁ ଦୂରେଇ ରହି ପୁଣି ଲୁଟ ଆରମ୍ଭ କରିବାକୁ ଲାଗିଲେଣି । ଏହି ପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ବଜାର ଅଂଚଳରେ ଗତ ୧ ତାରିଖ ବିଳମ୍ବିତ ରାତିରେ ଘଟିଛି। ଉକ୍ତ ଲୁଟେରା ଦଳ ଜଂକିଆ ଅପେରା ପାର୍ଟି ଚାଲିବାର ସୁଯୋଗ ନେଇ ୧ ତାରିଖ ରାତିରେ ଜଂକିଆ ବଜାରରେ ଥିବା ଆକ୍ସିସ ଏଟିଏମ୍ କୁ ଭାଙ୍ଗି ଗ୍ୟାସ କଟର ରେ କାଟି ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ କୌଣସି କାରଣରୁ ସେମାନେ ସଫଳ ନ ହୋଇ ଫେରିଯାଇଛନ୍ତି। ଖବର ପାଇ ଜଂକିଆ ପୋଲିସ ଘଟଣାସ୍ଥଳକୁ ଆସି ପରିଦର୍ଶନ କରିଛନ୍ତି। କିନ୍ତୁ ବ୍ୟାଙ୍କ୍ ତରଫରୁ କୌଣସି ଅଭିଯୋଗ ଏ ପର୍ଯ୍ୟନ୍ତ ସେମାନଙ୍କ ହସ୍ତଗତ ହୋଇ ନ ଥିବା ଆଇଆଇଆସି ପ୍ରଜ୍ଞା ରିତମ୍ଭରା କର ଙ୍କ ଠାରୁ ଜଣାପଡିଛି। ଏହି ଭଳି ଘଟଣା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକା ପ୍ରକାର ର ଲୁଟ ଓ ଲୁଟ ଉଦ୍ୟମ ହେଉଥିବାରୁ ଏହି ସୂତନ୍ତ୍ର ଗ୍ୟାଙ୍ଗ କୁ ଧରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଉଦ୍ୟମ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।