ଯାଜପୁର, ୧୭/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ୯ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଯାଜପୁର ପୌରାଂଚଳ ଅଧିନ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକାର୍ପଣ ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ଉତ୍ସବକୁ ଦେଖିବା ସହ ଘଣ୍ଟ, ଘଣ୍ଟା, ହୁଳହୁଳି, ହରିବୋଲ ଧ୍ୱନିରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭକ୍ତିପୁତ ସ୍ୱାଗତ ଜଣାଇବା ସହ ରାଜ୍ୟ ସରକାରଙ୍କ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର, ପ୍ରସାର ପାଇଁ ଏହି ଅଭିନବ ଯୋଜନାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଳ୍ିକ, ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମ ପତ୍ୟକ୍ଷ ଭାବେ ପରିଚାଳନା କରିବା ସହ ଯାଜପୁରର ଐତିହ୍ୟ ଓ ସଂସ୍କୃତି ସହ ଶ୍ରୀ ଜଗନ୍ନାଥ ମନ୍ଦିରର ନିବିଡ ସଂପର୍କ ଥିବା ଆଧ୍ୟାତ୍ମିକତାବାଦ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ଦିର ପରିସରରେ ଭଜନ, କୀର୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।