ଢେଙ୍କାନାଳ, ୧୭/୦୧/୨୦୨୪ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଓ ହିନ୍ଦୋଳ ବ୍ଲକରେ ଗଢ଼ିଉଠିଥିବା ଶିଳ୍ପ ଗୁଡ଼ିକ ମଧ୍ୟରେ ଜମିହରାଙ୍କୁ ସ୍ଥାୟୀ ନିଯୁକ୍ତି ଦେବାରେ ଅନ୍ୟାନ୍ୟ କାରଖାନା ତୁଳନାରେ ରୁଙ୍ଗଟା ମାଇନ୍ସ ଇସ୍ପାତ କାରଖାନା ପଛୁଆ ଥିବା ଦେଖିବାକୁ ମିଳିଛି। ୨୦୦୫ ମସିହାରେ ରାଜ୍ୟ ସରକାରଙ୍କ ନିକଟରେ ଇସ୍ପାତ କାରଖାନା ନିର୍ମାଣ କୁ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିବା ସହିତ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାଡବନ୍ଧ, ଗାଲପଡା, ତର୍କାବେଡା ଗ୍ରାମରୁ ପ୍ରାୟ ୭ଶହ ଏକର ଜମି ଅଧିଗ୍ରହଣ କରି ଇସ୍ପାତ କାରଖାନା ସ୍ଥାପିତ କରି ଉତ୍ପାଦନକ୍ଷମ ହୋଇଥିବା ଦେଖିବାକୁ ମିଳିଛି କିନ୍ତୁ ସରକାରଙ୍କ ବିସ୍ଥାପନ ନୀତିକୁ ପାଳନ କରିବା ତ ଦୂରର କଥା ପ୍ରକଳ୍ପ ଦ୍ବାରା ଚାଷ ଜମି ହରାଇଥିବା ତଥା ବେରୋଜଗାର ହୋଇଥିବା ଜମିହରା ପରିବାର ବେକାର ଯୁବକଯୁବତୀଙ୍କ ନିଯୁକ୍ତିକୁ ଭୁଲିଯାଇ ବାହାର ଅଞ୍ଚଳ ର ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ କର୍ତୃପକ୍ଷଙ୍କ ମଧ୍ୟରେ ନିର୍ଦିଷ୍ଟ ଗୋଷ୍ଠୀ ବଡ଼ ରାକେଟ୍ ଭଳି କାର୍ଯ୍ୟ କରି ଗୋପାଳପୁରରେ ପ୍ରଦିପ ପାଣିଗ୍ରାହୀ ଙ୍କ ଭଳି ନିଯୁକ୍ତିର ମହାଦୁର୍ନୀତିର ଚେର କେତେଦୂର ଲମ୍ବିଛି ତାହା ତଦନ୍ତ ସାପେକ୍ଷ। ସୁଚନା ମୁତାବକ ବର୍ତମାନ କାରଖାନାରେ ପାଖାପାଖି ୧୨୬୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିଛି ସେମାନଙ୍କ ମଧ୍ୟରୁ ଜମିହରା ପରିବାରଙ୍କ ନିଯୁକ୍ତି ସଂଖ୍ୟା ୧୩ ଜଣ ହୋଇ ଥିବାରୁ କମ୍ପାନୀ କର୍ତୃପକ୍ଷଙ୍କ ସ୍ୱଚ୍ଛତା ଓ ଦୁର୍ନୀତିର ଗନ୍ଧ କେତେ ତାହା ଜଣାପଡ଼ୁଛି। ପରବର୍ତ୍ତୀ ସମୟ ରେ କାରଖାନାରୁ ଜାତୀୟ ରାଜପଥ ସଂଲଗ୍ନ ପାଇଁ ନିଜସ୍ୱ ରାସ୍ତା ପାଇଁ ନିମବାହାଳି ଓ ମେରା ମଣ୍ଡଳୀ ମୌଜାରୁ ଜମି ଅଧିଗ୍ରହଣ କରି କାରଖାନା ଆଗକୁ ବଢ଼ିବାରେ ସଫଳତା ହାସଲ କରିଥିଲେ ମଧ୍ୟ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟରେ ମନ୍ଥର ଗତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କେବଳ ଯେ କାଗଜ ପତ୍ରରେ କମ୍ପାନୀ ର ପାରିପାର୍ଶ୍ବିକ ଉନନୟ କାର୍ଯ୍ୟ ହୋଇଥାଏ ବୋଲି ଜନ ସାଧାରଣ କୁହନ୍ତି । କାରଖାନା ସମ୍ପ୍ରସାରଣ ନିମନ୍ତେ ଆଗାମୀ ଦିନରେ (ଏକ ହଜାର ନବେ ଏକର) ଜମି ଅଧିଗ୍ରହଣ କରିବାକୁ ପ୍ରକ୍ରିୟା ଜାରି ରହିଥିବା ଜଣାଯାଏ। ତେଣୁ ରୁଙ୍ଗଟା ମାଇନ୍ସ ଇସ୍ପାତ କାରଖାନା ର ଚଞ୍ଚକତା ଓ ନିଯୁକ୍ତି ସମ୍ବନ୍ଧୀୟ ମହାଦୁର୍ନୀତି ର ପରଦା ଫାସ୍ ପାଇଁ କାରଖାନା ମାଲିକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜମିହରା ମାନଙ୍କ ମଧ୍ୟରେ ସଜବାଜ ହେଉଥିବା ଦେଖିବାକୁ ମିଳିଛି। କମ୍ପାନୀ କର୍ତ୍ତୃପକ୍ଷ କଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।