ଭୁବନେଶ୍ୱର,୨୫/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଥରେ ଲେଖାରୁ ଦୂରେଇ ଗଲେ ଆଉ ଫେରିବାର କଷ୍ଟକୁ ସାମ୍ନା କରିଛି ବୋଲି ବିଶିଷ୍ଟ କଥାକାର ସତ୍ୟ ମିଶ୍ର ଉଲ୍ଲେଖ କରିଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ ” ରେ ଯୋଗ ଦେଇ ଶ୍ରୀ ମିଶ୍ର ପରିବେଶ ତାଙ୍କୁ ଲେଖିବାକୁ ପ୍ରେରିତ କରିଛି । ନିଜ କୃତିଗୁଡିକର ପୃଷ୍ଠଭୂମି ବର୍ଣ୍ଣନା କରିବା ସହିତ ସେ ତାଙ୍କ ଅଧ୍ୟାପନା ଜୀବନ, ବ୍ୟାଙ୍କ ଚାକିରୀ ଓ ଗଳ୍ପ ରଚନାରୁ ଚାରି ଦଶନ୍ଧିର ନିର୍ବାସନ ଉପରେ ଅବତାରଣା କରିଥିଲେ । ଶ୍ରୀ ମିଶ୍ର ନିଜ ସୃଜନ ଯାତ୍ରା ବାବଦରେ ଉଲ୍ଲେଖ କରିବା ସହିତ ସାମ୍ପ୍ରତିକ ପରିବର୍ତ୍ତିତ ସାହିତ୍ୟିକ ବାତାବରଣ ଉପରେ ମତ ରଖିଥିଲେ । ସହଦେଵ ସାହୁ, ମୌସୁମୀ ଦାସ, ପବିତ୍ର ମୋହନ ବାରିକ ପ୍ରମୁଖ ଲେଖକଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ ।
ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ପରିଡା ଦିବଂଗତ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ନିରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ନିବେଦନ କରାଯାଇଥିଲା । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ପରିଚାଳନାରେ ଆୟୋଜିତ ସଭାରେ “ଏ ମାସର କବି” ଭାବରେ ଉପସ୍ଥିତ ରହି ଅଧ୍ୟାପିକା ଡ଼. ସାୟନ୍ତନୀ ବେହୁରା ନିଜର ଲେଖା ପାଠ କରିଥିଲେ ।
ଉପସଭାପତି ମିନତି ମିଶ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ ହୋଇଥିଲା । ତୃପ୍ତିମୟୀ ରାଉଳ, ଦେବରାଜ ବିଷୋୟୀ, ରବି ପଣ୍ଡା, ଇତିଶ୍ରୀ ପତି, ମନମୋହନ ମିଶ୍ର, ନିରୁପମା ରଥ, ପ୍ରିୟରଞ୍ଜନ ସାହୁ, ସଞ୍ଜୁଲତା ମହାନ୍ତି, ପ୍ରଣତି ପରିଡା, ହରିହର ବଳବନ୍ତରାୟ, ଗୀତାଞ୍ଜଳି ଦଳାଇ, ଉଷାରାଣୀ ଆଚାର୍ଯ୍ୟ, ନିରୁପମା କର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଅନ୍ୟତମ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
