ସରକାର ପ୍ରଦୁ୍ୟଷଣ ନାମରେ ଜୋରିମାନା ଆଦାୟ ବନ୍ଦ କର, ପୂର୍ବ ଜୋରିମାନାକୁ ରଦ୍ଧ କରିବାକୁ ଦାବି ନଚେତ ଜାନୁଆରୀ ୧୫ରୁ ଦୁର୍ବାର ଆନ୍ଦୋଳନ

ଭୁବନେଶ୍ୱର,୩୦/୧୨/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ସରକାର ପ୍ରଦୁ୍ୟଷଣ ନାମରେ ସାଧାରଣ ଲୋକଙ୍କ ଠାରୁ ଆଦାୟ କରୁଥିବା ବିଭିନ୍ନ ଜୋରିମାନା ଜାନୁଆରୀ ୧୪ ତାରିଖ ପୂର୍ବରୁ ତୁରନ୍ତ ବନ୍ଦ କରିବାକୁ ନବନିର୍ମାଣ ଯୁବଛାତ୍ର ସଂଗଠନ ଦାବି କରିଛି । ଯଦି ରାଜ୍ୟ ସରକାର ଜୋରିମାନା ଆଦାୟ ବନ୍ଦ ନକରନ୍ତି, ତେବେ ଆଗାମୀ ଜାନୁଆରୀ ୧୫ ତାରିଖରୁ ଜୋରିମାନା ଆଦାୟକୁ ନେଇ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜଗ ମନୱର ଅଲ୍ଲୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଲ୍ଲୀ କହିଛନ୍ତି ଯେ, ଗତ ଡିସେମ୍ବର ୨୭ ତାରିଖରେ ସଂଗଠନ ତରଫରୁ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଜେନାଙ୍କୁ ଭେଟିବା ପାଇଁ ତାଙ୍କ ବାସନଭବନ ଆଡ଼କୁ ଅହିଂସକ ଭାବରେ ଦୁଇହାତକୁ କପଡ଼ାରେ ବାନ୍ଧି ଅଗ୍ରସର ହେଉଥିବା ବେଳେ ପୋଲିସ୍ ମୋତେ ଉଠାଇ ନେଇଥିଲା ଏବଂ ମନ୍ତ୍ରୀ ମହୋଦୟ ଚୁତରତାର ସହ ସାମ୍ବାଦିକଙ୍କ ସମ୍ମୁଖରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିବା କହି ବାସଭବନରୁ ଅନ୍ତର୍ଦ୍ଧାନ ହୋଇଥିଲେ । ଏଣୁ ଜୋରିମାନା ଆଦାୟ ନାମରେ ସାଧାରଣ ଲୋକଙ୍କୁ ହଇରାଣ ନ କରିବା ପାଇଁ ଏବଂ ପୂର୍ବରୁ ଯେଉଁମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ତାକୁ ରଦ୍ଧ କରିବା ପାଇଁ ରାଜ୍ୟ ସରକାରଙ୍କୁ ୧୪ ଦିନ ସମୟ ଦିଆଯାଇଛି ।

ଗୋଟିଏ ପଟେ ଖଣି, ପାଣି, ଜମି, ଜଙ୍ଗଲ ନଷ୍ଟ କରି ବଡ଼ ବଡ଼ କମ୍ପାନୀ ଦ୍ୱାରା ହେଉଥିବା ପ୍ରଦୁ୍ୟଷଣ ରୋକିବାକୁ ସରକାରଙ୍କର ସତ୍ ସାହସ ନାହିଁ । ଖଣି କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀ ଗୁଡ଼ିକୁ ବାୟୁ, ଜଳ ଓ ଜଙ୍ଗଲ ଭଳି ପରିବେଶ ନିୟମମୁକ୍ତ ଖୋଲାଖୋଲି ଉଲଂଘନ କରୁଥିବା ବେଳେ ତାଙ୍କ ଉପରେ ସରକାରଙ୍କର ଜେଲ୍ ବା ଜୋରିମାନା ଆଦାୟ କରିବାକୁ ସାମାନ୍ୟ ଲଗାମ ନାହିଁ । ଏପରିକି ସୁପ୍ରିମ କୋର୍ଟ ଦେଇଥିବା ଆଦେଶକୁ ଖଣି ମାଫିଆମାନେ ନମାନି ଏପର୍ଯ୍ୟନ୍ତ ୨୭୦୦ କୋଟି ଟଙ୍କା ବାକିଆ ପଡ଼ିଥିବା ବେଳେ ସରକାର ସେ ଟଙ୍କାକୁ ଆଦାୟ କରିପାରୁ ନାହାଁନ୍ତି କିମ୍ବା ସେମାନଙ୍କୁ ଜେଲ୍ ପଠାଇ ପାରୁନାହାଁନ୍ତି । ଅପର ପକ୍ଷରେ ସାଧାରଣ ଜନତାଙ୍କ ଠାରୁ ପ୍ରଦୁ୍ୟଷଣ ନାମରେ ଜିଜିଆ କର ଆଦାୟ କରି ନିଜର ପାରିବା ପଣିଆ ଦେଖାଉଛନ୍ତି ।

ସେହିପରି ସରକାର ୪୨ ଶିଳ୍ପ କରିଥିବା କମ୍ପାନୀମାନଙ୍କ ଠାରୁ ୩୭୯୭ କୋଟି ଟଙ୍କା ଜଳକର ବାକି ପଡ଼ିଥିବା ସରକାର ତାହାକୁ ଆଦାୟ କରିପାରୁ ନାହାଁନ୍ତି କି ଦଣ୍ଡ ବିଧାନ ପାଇଁ କମ୍ପାନୀକୁ ବନ୍ଦ କରୁନାହାଁନ୍ତି କି ଜେଲ ପଠାଉନାହାଁନ୍ତି । କେବଳ ଝିନ୍ଟିିକା ମାର ବଣି ପୋଷିବା ଭଳି ସାଧାରଣ ଲେକଙ୍କ ତନ୍ଟି ଚିପିବା ପାଇଁ ସରକାର ସଂକଳ୍ପବଦ୍ଧ କାହିଁକି? ଯଦି ଡବଲ ଇଞ୍ଜିନ୍ ବିଜେପି ସରକାର ଗତ ୧୦ ବର୍ଷ ଭିତରେ ଆଦାନୀ, ଅମ୍ବାନୀ ଇତ୍ୟାଦି କେତୋଟି କର୍ପୋରେଟ କମ୍ପନୀଗୁଡ଼ିକୁ ସାଢେ ୧୬ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିଦେଇ ପାରିଲେ ଏଠାରେ ୩୫ ଲକ୍ଷ ଲୋକଙ୍କ ଗାଡ଼ି ପାଇଁ ମାତ୍ର ୧୩୦୦ କୋଟି ଟଙ୍କା ଛାଡ଼ କରିଦେଲେ କଣ ସରକାର କାଙ୍ଗାଳ ହୋଇଯିବେ ବୋଲି ଶ୍ରୀ ଅଲ୍ଲୀ ପ୍ରଶ୍ନ କରିଛନ୍ତି ।

ଯଦି ସରକାର ଆଗାମୀ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାର କରି ଜୋରିମାନା ବନ୍ଦ ନ କରନ୍ତି ତେବେ ଜାନୁଆରୀ ୧୫ରୁ ଯେଉଁ ଦୁର୍ବାର ଆନ୍ଦୋଳନ ଠିଆ ହେବ ସେଥିପାଇଁ ଲୋକଙ୍କ ସରକାର ନାମରେ ନାଟକ କରୁଥିବା ଲୋକଙ୍କ ବିରୋଧି ସରକାରଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି ଶ୍ରୀ ଅଲ୍ଲୀ ଚେତାନବୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସଂଯୋଜକ ଅମିତ ଜେନା, ସ୍ମୃତିରଞ୍ଜନ ସାମଲ, ଏସ.କେ ହେଦାଇ, ଶ୍ରୀୟଂଶୁ ପ୍ରଧାନ, ଦିବ୍ୟରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *