ଆମ ପରିବାରର ପ୍ରଥମ ବଂଧୁ ମିଳନ ।

କଟକ,୧୬/୦୧/୨୦୨୪ (ଓଡ଼ିଶା ସମାଚାର)- ଫେସବୁକ ଗ୍ରୁପ ସାମାଜିକ ଅନୁଷ୍ଠାନ “ଆମ ପରିବାର” ପକ୍ଷରୁ ଏକ ବଂଧୁ ମିଳନ ଭୁବନେଶ୍ୱର ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି ।  ଏହି ବଂଧୁ ମିଳନ ଉତ୍ସବରେ ଏକ ସମ୍ବର୍ଦ୍ଧନା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଶେଖର ଘୋଷ ଏବଂ ଗୀତିକାର ପଞ୍ଚାନନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରୁପର ବରିଷ୍ଟ ଆଡମିନ ପ୍ରଭାତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ । ପ୍ରଥମେ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ରେ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ସଭା ଆରମ୍ଭରେ ଗ୍ରୁପର କ୍ରିଏଟର ତଥା ଆଡମିନ ଜସ୍ମିନ ମିଶ୍ର ଗ୍ରୁପର ସବିଶେଷ ବିବରଣୀ ପାଠ କରି ପୂର୍ବରୁ  ସବୁ ସଦସ୍ୟ ଓ ସଦସ୍ୟା ମିଶି ଭୁବନେଶ୍ୱର ଉତ୍ତରା ଛକ ଠାରେ ଶାରଦା ଆଶ୍ରମ ଅନ୍ତେବାସୀଙ୍କୁ କିଛି ବସ୍ତ୍ର ଓ ନିତ୍ୟ ବ୍ୟବହାର୍ୟ୍ୟ ଶୁଖିଲା ଖାଦ୍ୟ ସାହାଯ୍ୟ କରିଥିଲେ ବୋଲି କହିଥିଲେ । ତେଣୁ ଆଜି ସମାଜର ପ୍ରକୃତ ଗରିବ ଓ ଅସହାୟ ଲୋକଙ୍କୁ ଆମେ ଯଦି ବିଭିନ୍ନ ସମୟରେ କିଛି କିଛି ସାହାଯ୍ୟ ଓ ସହଯୋଗ ର ହାତ ବଢେଇପାରିବା , ତେବେଯାଇ “ମାନବ ସେବା ମାଧବ ସେବା” ର ପ୍ରକୃତ ମୂଲ୍ୟବୋଧ ହୋଇପାରିବ । ପରେ ପରେ ଉତ୍ତରୀୟ ଓ ମାନପତ୍ର ଦେଇ ମୂଖ୍ୟ ଅତିଥି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଶେଖର ଘୋଷଙ୍କୁ “ବିଶିଷ୍ଠ କଣ୍ଠଶିଳ୍ପୀ” ସମ୍ମାନ ଓ ଗୀତିକାର ପଞ୍ଚାନନ ନାୟକଙ୍କୁ ଶ୍ରେଷ୍ଠ ଗୀତିକାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗ୍ରୁପରେ ନିଜର ସଫଳ କାର୍ୟ୍ୟ ପରିଚାଳନା ପାଇଁ ସମ୍ବର୍ଦ୍ଧିତ ଅତିଥି ପ୍ରଭାତ ମହାପାତ୍ର ସମତେ ୧୯ ଜଣ ଆଡମିନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ଗ୍ରୁପର ଅନ୍ୟ ପ୍ରତିଭାଙ୍କୁ ମଧ୍ୟ ଟ୍ରଫି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ବଂଧୁ ମିଳନ ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦୦ ରୁ ଉର୍ଦ୍ଧ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ବରିଷ୍ଠ ଆଡମିନ ରୋଜାଲିନ ମହାପାତ୍ର ଧନ୍ୟବାଦ ଅର୍ପଣ ଦେଇଥିଲେ । ସଭା ଶେଷରେ ସମସ୍ତେ ଏକ ଭବ୍ୟ ଭୋଜିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *