(ନୁର୍ତ୍ତାଙ୍ଗରେ ପାଣି ଜୟନ୍ତୀର ଚତୁର୍ଥ ସନ୍ଧ୍ୟା)
ମାହାଙ୍ଗା, ୧୧/୧୦/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )ଦୃଢ଼ ଇଚ୍ଛାଶକ୍ତି ଓ ଅଖଣ୍ଡ ଈଶ୍ୱର ବିଶ୍ୱାସ ହିଁ’ ଗଣକବିଙ୍କୁ ଆଣିଦେଇଛି ସିଦ୍ଧି ଓ ସ୍ୱୀକୃତି । ଦରିଦ୍ର୍ୟର କଷାଘାତ ଭିତରେ ଜର୍ଜ୍ଜରିତ ସତ୍ୱେ ସାଧନା ଓ ସଂକଳ୍ପ ଯୋଗୁଁ ବୈଷ୍ଣବ ପାଣି ଓଡ଼ିଆ ବାଣୀ ଭଣ୍ଡାରକୁ ଦେଇଯାଇଛନ୍ତି ଶହଶହ ନାଟକ ।
ଏଭଳି ଜଣେ ବିସ୍ମୟ ସ୍ରଷ୍ଠାଙ୍କ ପାଇଁ ଏ ଜାତି ଗର୍ବିତ ବୋଲି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନୁର୍ତ୍ତାଙ୍ଗ ମାରୁତି ମଣ୍ଡପ ଠାରେ ଅନୁଷ୍ଠିତ ଗଣକବିଙ୍କ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ ବୟନଶୀଳ୍ପ ଓ ହସ୍ତତନ୍ତ ବିଭାଗର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ପରିବାର ପ୍ରତିପୋଷଣ ପାଇଁ ନୁର୍ତ୍ତାଙ୍ଗ ଗ୍ରାମର ଜଳସେଚନ କାର୍ଯ୍ୟାଳୟରେ ଖଳସୀ ଭାବରେ କାମ କରୁଥିଲେ ବୈଷ୍ଣବ ପାଣି । ପରବର୍ତ୍ତୀ ସମୟରେ ସେହି ନୁର୍ତ୍ତାଙ୍ଗ ଗାଁ’ କବିଙ୍କ ସାରସ୍ୱତ ଜୀବନକୁ ବାସ୍ତବରେ ଉଦ୍ଭାସିତ କରିପାରିଛି ବୋଲି ସାହିତ୍ୟ ସଭାରେ ଯୋଗଦେଇଥିବା ଯୁବ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମତବ୍ୟକ୍ତ କରିଥିଲେ ।
ସମାଜସେବୀ ଯାଜ୍ଞସେନୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆ, ପ୍ରଫେସର ଡକ୍ଟର ଜନାର୍ଦନ ରାଉତ, ଏବଂ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରିଣୀ ସଂଯୁକ୍ତା ମହାପାତ୍ର ପ୍ରମୁଖ ଯୋଗଦେଇ ପାଣି ସାହିତ୍ୟର ବିଭିନ୍ନ ଅନାଲୋଚିତ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷାବିତ ମାଧବ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ରଂଜିତ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ବୈଷ୍ଣବ ପାଣି କ୍ଳବ କୋଠପଦା ପକ୍ଷରୁ ଗୀତିନାଟ୍ୟ “ଅଭିମନ୍ୟୁ ବଧ”କ୍ଷେତ୍ରପାଳିନୀ ପାଠାଗାର ମାଳିହତା ପକ୍ଷରୁ ଗୀତିନାଟ୍ୟ “ଶାମ୍ବ ବିବାହ”, ଏବଂ ନୁର୍ତ୍ତାଙ୍ଗ ମହାବୀର କ୍ଲବ “ପଣ୍ଡୁଙ୍କ ସ୍ବର୍ଗପ୍ରାପ୍ତି” ଗୀତିନାଟ୍ୟ ପରିବେଷଣ କରିଥିଲେ ।
