ରାଉରକେଲା,୧୪/୦୧/୨୦୨୬(ଓଡ଼ିଶା ସମାଚାର)- ସୋମବାର ରାଉରକେଲା ପୋଲିସ ଏକ ବଡ଼ ସାଇବର ଠକେଇ ଓ ମନି ଲଣ୍ଡରିଂ ମାମଲାର ପର୍ଦ୍ଧାଫାଶ କରି ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନୀ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରାବଣୀ ନାୟକଙ୍କ ତତ୍ୱାବଧାନରେ ରଘୁନାଥପାଲ୍ଲୀ, ପ୍ଲାନ୍ଟ ସାଇଟ୍, ବ୍ରାହ୍ମଣୀତରଙ୍ଗ ଓ ସେକ୍ଟର-୭ ଥାନାର ସଂଯୁକ୍ତ ଅଭିଯାନରେ ଏହି ସଫଳତା ମିଳିଛି ବୋଲି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।
ସୂଚନା ଅନୁସାରେ ଅଭିଯୁକ୍ତମାନେ ଜାଲ୍ କାଗଜପତ୍ର ବ୍ୟବହାର କରି ସାଧାରଣ ଲୋକଙ୍କ ନାମରେ ବ୍ୟାଙ୍କ ଆକାଉନ୍ଟ ଖୋଲି, ସେଗୁଡ଼ିକୁ ୫୦୦୦ରୁ ୧୦,୦୦୦ ଟଙ୍କାରେ ସାଇବର ଅପରାଧୀଙ୍କୁ ଦେଉଥିଲେ । ଏଥିରେ ସିଟି ୟୁନିୟନ ବ୍ୟାଙ୍କର ଜଣେ କର୍ମଚାରୀ ସମ୍ପୃକ୍ତ ରହିଥିବା ସୂଚନା ଦିଆଯାଇଛି । ସେ କେୱାଇସି ନିୟମ ଉଲ୍ଲଂଘନ କରିଥିବା ତଥ୍ୟ ମିଳିଛି ।
ସମାନାଭ୍ୟା ପୋର୍ଟାଲରେ ୨୦୦ରୁ ଅଧିକ ମାମଲା ଏହି ଆକାଉନ୍ଟ ସହ ଜଡିତ । ଏହି ସାଇବର ଠକେଇ ଓ ମନି ଲଣ୍ଡରିଂ ଘଟଣାରେ ପୋଲିସ୍ ଅଭିଯୁକ୍ତ ପଲାଶ ଘୋଷ, ଆର୍ୟାନ ମହାନନ୍ଦିଆ, ୱାକର ଖାନ, ବିକ୍ରମ ସିଂ, ଅୟାନ ହୁସେନ୍, ଆକାଶ ଶର୍ମା ଓ ବିପିନ କୁମାର ସ୍ୱାଇଁଙ୍କୁ ଗିରଫ କରିଛି । ଏଥିସହିତ ୮୦ ପାସବୁକ୍, ୫୦ ଡେବିଟ୍ କାର୍ଡ, ୧୫ ଚେକ୍ ବୁକ୍, ୩୦ ପରିଚୟ ପତ୍ର, ୪ ଲାପଟପ୍ ଓ ୨୫ ମୋବାଇଲ୍ ମଧ୍ୟ ଜବତ କରାଯାଇଥିବା ରାଉରକେଲା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
