ପିପିଲିର ଦୁର୍ଗାଦାସପୁରରେ ‘ନୂଆ ଡ଼ାକ କାର୍ଯ୍ୟାଳୟ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଡ଼ାକ ଘର ଆପଣଙ୍କ ସେବା ଘରଧର୍ମେନ୍ଦ୍ର ପ୍ରଧାନ

ପିପିଲି, ୧୮/୧୧/୨୦୨୩ (ଓଡ଼ିଶା ସମାଚାର)- ଡାକ ଘର ଆପଣଙ୍କ ସେବା ଘର । ଆଜି ଦୁର୍ଗାଦାସପୁର ଗ୍ରାମକୁ ଦେଶ ଦୁନିଆ ସହ ଯୋଡାଯିବାର ଏକ ନୂଆ ଝରକାଟିଏ ତିଆରି ହେଲା ବୋଲି ଶନିବାର ପିପିଲିର ଦୁର୍ଗାଦାସପୁରରେ ‘ନୂଆ ଡାକ ଶାଖା କାର୍ଯ୍ୟାଳୟ’ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ପୂର୍ବୋଦୟ କଳ୍ପନା’ରେ ଭାରତ ସରକାର ଓଡ଼ିଶାରେ ନୂଆ ନୂଆ ଡାକ କାର୍ଯ୍ୟାଳୟ ଖୋଲିବା ସହ ବିକଶିତ କରୁଛନ୍ତି । ଡାକ ଘରକୁ କମ୍ପ୍ୟୁଟିକରଣ କରିବା ସହ ଅତ୍ୟାଧୁନିକ କରାଯାଉଛି । ଆଜି ଉଦଘାଟିତ ପୋଷ୍ଟ ଅଫିସ ହେଉଛି ଓଡ଼ିଶାର ୭,୬୯୬ତମ ଶାଖା କାର୍ଯ୍ୟାଳୟ । ଏହି ପୋଷ୍ଟ ଅଫିସ ବ୍ୟାଙ୍କ୍ ଭଳି କାମ କରିବ । ସାଧାରଣ ନାଗରିକଙ୍କୁ ସୁଲଭ, ସୁଗମ ଓ ବିଶ୍ୱସନୀୟ ବ୍ୟାଙ୍କ୍ ସେବା ପ୍ରଦାନ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ସୁବିଧାକୁ ଲୋକମାନଙ୍କ ପାଖରେ ପହଞ୍ଚାଯିବା ଲକ୍ଷ୍ୟରେ ଏହି କାର୍ଯ୍ୟ କରିବ । ଏହି ‘ସେବାଘର’ ଦ୍ୱାରା ଦୁର୍ଗାଦାସପୁର ସମେତ ଆଖପାଖ ୭ଟି ଗ୍ରାମର ୫ ହଜାରରୁ  ଅଧିକ ଲୋକମାନେ ଉପକୃତ ହେବେ । ଏଥିପାଇଁ ଶ୍ରୀ ପ୍ରଧାନ ଦୁର୍ଗାପୁର ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବକୁ ଧନ୍ୟବାଦ ଜଣାଇଛନ୍ତି ।

ମୋଦି ସରକାରରେ ଓଡ଼ିଶା ଏବଂ ଭାରତରେ ହେଉଥିବା ବିକାଶର କଥା ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦିଙ୍କ ନେତୃତ୍ୱରେ ଦେଶରେ ଚଉମୁଖୀ ବିକାଶ ହୋଇଛି । ପୂର୍ବ ସରକାରର ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଆସିଥିବା ବେଳେ ମୋଦି ସରକାରରେ ଏ ପର୍ଯ୍ୟନ୍ତ ୧୮ ଲକ୍ଷ କୋଟି ଟଙ୍କା ଆସିଛି । ଦୁର୍ଗାଦାସପୁର ଭଳି ଚଷାଚାଷୀ ଓ କୃଷି ପ୍ରଧାନ ଅଞ୍ଚଳକୁ ଆଗକୁ ନେବାର ଦାୟିତ୍ୱ ନେଇଛନ୍ତି । ଗରିବଙ୍କ ସମେତ ଚାଷୀଙ୍କ କଲ୍ୟାଣ ପାଇଁ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି । ୨୦୨୪ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଦେଶକୁ ବିକଶିତ କରିବା ପାଇଁ ହେଲେ ପିପିଲି, ପୁରୀ ସମେତ ଓଡ଼ିଶାକୁ ବିକଶିତ କରିବାକୁ ହେବ । ମହାପ୍ରଭୁଙ୍କ ଆଶୀର୍ବାଦରୁ ପିପିଲିର ସର୍ବାଙ୍ଗୀନ ବିକାଶ କାମନା କରିବା ସହ ଏଥିପାଇଁ ଭାରତ ସରକାର ସହଯୋଗୀ ହେବେ ।

Leave a Reply

Your email address will not be published. Required fields are marked *