- ସମକାଳୀନ ମୂଲ୍ୟାଙ୍କନରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ପ୍ରଭାବୀ ଉପଯୋଗ ସଂପର୍କରେ ଆଲୋକପାତ
- ରାଜ୍ୟସ୍ତରୀୟ କର୍ମଶାଳାରେ ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂପର୍କିତ ବିସ୍ତୃତ ଆଲୋଚନା
- ଖଣି ପ୍ରଭାବିତ ଅଞ୍ଚଳର ଗ୍ରାମ ଗୁଡ଼ିକରେ ଉଦ୍ଦିଷ୍ଟ ସୁବିଧା ଶତପ୍ରତିଶତ ସୁନିଶ୍ଚିତ କରିବାକୁ ଉନ୍ନୟନ କମିଶନର ଙ୍କ ଗୁରୁତ୍ୱ
ଭୁବନେଶ୍ୱର,୦୮/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାରଙ୍କ ଯୋଜନା ଏବଂ ସଂଯୋଜନ ବିଭାଗ ଦ୍ୱାରା ‘ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ)ର କାର୍ଯ୍ୟ ଏବଂ ଅନୁଗୋଳ, ଯାଜପୁର ଏବଂ ଝାରସୁଗୁଡା ଜିଲ୍ଲା ରେ ଡିଏମଏଫ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଂପର୍କରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ସମକାଳୀନ ମୂଲ୍ୟାଙ୍କନ ( କନକରେଣ୍ଟ ଇଭାଲୁଏସନ)ର ଫଳାଫଳ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି କର୍ମଶାଳାରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଅଧ୍ୟକ୍ଷ ତାକରିଥିଲେ।
ଅନୁଗୋଳ, ଯାଜପୁର ଏବଂ ଝାରସୁଗୁଡା ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟକାରିତା ସମକାଳୀନ ମୂଲ୍ୟାଙ୍କନ ଦର୍ଶାଉଛି ଯେ, ଓଡିଶାରେ ଖଣି ପ୍ରଭାବିତ କ୍ଷେତ୍ରରେ ସମାବେଶୀ ବିକାଶ ପାଇଁ ଏକ ପରିବର୍ତ୍ତନ ଶୀଳ ବ୍ୟବସ୍ଥା ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟର ଡିଏମଏଫ ଜିଲ୍ଲା ମାନଙ୍କରେ ମୋଟ ୩୨,୦୦୦ରୁ ଅଧିକ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ତନ୍ମଧ୍ୟରୁ ୧୩,୨୪୪ଟି ପ୍ରକଳ୍ପ ଏବଂ ଗ୍ରାମର ନମୂନା ଅଧ୍ୟୟନ ଓ ମୂଲ୍ୟାଙ୍କନ ପାଇଁ ନିଆଯାଇଥିଲା। ଏସବୁ ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ପାନୀୟଜଳ, ଭିତ୍ତିଭୂମି ବିକାଶ ଏବଂ ଗୁରୁତ୍ୱପୂର୍ଣ୍ଣ ସଂସାଧନ ଅଭାବକୁ ଦୂର କରିବା କ୍ଷେତ୍ରରେ କେନ୍ଦ୍ରିତ ଥିଲା। ମୂଲ୍ୟାଙ୍କନରେ ଦେଖାଯାଇଛି ଯେ, ପାଇପ ଜଳ ଯୋଗାଣ, ରାସ୍ତା, ସ୍ୱାସ୍ଥ୍ୟ ସୁବିଧା ଏବଂ କୌଶଳ ବିକାଶ କାର୍ଯ୍ୟକ୍ରମ ଭଳି ନିବେଶ ରୁ ଉଚ୍ଚ ସାମାଜିକ- ଆର୍ଥିକ ବିକାଶ ଫଳାଫଳ ମିଳୁଛି। ଖଣିଜ ପ୍ରଭାବିତ ଗ୍ରାମ ଗୁଡିକରେ ବିଶେଷକରି ଶିକ୍ଷା ଓ ସ୍ୱଚ୍ଛତା (ପରିମଳ) ପ୍ରକଳ୍ପ ଗୁଡ଼ିକ ସ୍ଥାନୀୟ ସମ୍ପ୍ରଦାୟ ଉପରେ ଦୃଢ଼ ପ୍ରଭାବ ପକାଇବା ଦ୍ୱାରା ସେମାନେ ବିଶେଷ ଉପକୃତ ହୋଇଛନ୍ତି। ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ରେ ଖର୍ଚ୍ଚ ଅନୁପାତରେ ସୁଫଳ ମିଳିଥିବା ଯୋଗୁଁ ଡିଏମଏଫ ର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ଦର୍ଶାଉଛି।
ଏହି ରିପୋର୍ଟରେ ଯୋଜନା, ତଦାରଖ ଏବଂ ସ୍ଥାୟିତ୍ୱକୁ ଅଧିକ ଶକ୍ତିଶାଳୀ କରିବାକୁ ସୁପାରିଶ କରାଯାଇଛି। ଏଥିରେ ୫-ବର୍ଷୀୟ ଲକ୍ଷ୍ୟ, କାର୍ଯ୍ୟ ଓ ବିକାଶ ମୂଳକଯୋଜନା, ସଂଗଠିତ କାର୍ଯ୍ୟାନ୍ୱୟନ ଓ ପରିଚାଳନା ନିୟମାବଳୀ ଏବଂ ବେସ ଲାଇନ ସର୍ବେକ୍ଷଣ ଅନ୍ତର୍ଭୁକ୍ତ ରହିଛି।ଏଥିରେ ଡିଏମଏଫ କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ଦକ୍ଷତା ବୃଦ୍ଧି, ସ୍ୱଚ୍ଛତା, ଶିକ୍ଷା ଏବଂ ଜିଲ୍ଲା-ଜିଲ୍ଲା ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ କୁ ସହଜ କରିବାପାଇଁ କେନ୍ଦ୍ରୀୟ ଡିଜିଟାଲ ଭଣ୍ଡାର ବ୍ୟବସ୍ଥା ସଂପର୍କରେ ପ୍ରସ୍ତାବ ଦିଆଯାଇଛି। ଆଗକୁ କୋଇଲା ସମୃଦ୍ଧ ଜିଲ୍ଲାଗୁଡିକ ନ୍ୟାୟସଙ୍ଗତ ପରିବର୍ତ୍ତନକୁ ସମର୍ଥନ କରିବା, ଅଧିକ ଲୋକଙ୍କୁ ଉନ୍ନତ ଜୀବିକା, ଦକ୍ଷତା ଏବଂ ପ୍ରଦ୍ୟୋଗିକ ନେତୃତ୍ୱ ମଡେଲ ପାଇଁ ଅଗ୍ରଣୀ ଭୂମିକା ନିର୍ବାହ କରିବାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଗୁଡ଼ିକ ଅଭିନବତ୍ୱ ପାଇଁ ଉତପ୍ରେରକ ହୋଇପାରିବ।
ସାମଗ୍ରିକ ଭାବେ, ଏହି ମୂଲ୍ୟାଙ୍କନ ରୁ ପ୍ରକାଶ ପାଉଛି ଯେ, ଡିଏମଏଫ ଦ୍ୱାରା ଖଣିଜ ପ୍ରଭାବିତ ଅଞ୍ଚଳରେ ବିକାଶ ତ୍ୱରାନ୍ୱିତ ହୋଇଛି, ଜୀବନଧାରଣର ମାନରେ ଗୁଣାତ୍ମକ ଉନ୍ନତି ଆସିଛି ଏବଂ ସଂସ୍ଥାଗତ ସଂସ୍କାର ସହ, ଏହା ଓଡିଶାରେ ସ୍ଥାୟୀ, ଜନକୈନ୍ଦ୍ରିକ ବିକାଶକୁ ଆଗକୁ ଆଣିବାରେ ନିରନ୍ତରତା ଆଣିପାରିବ ବୋଲି ଦର୍ଶାଯାଇଛି ।
ଏହି ଅବସରରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଏହି ମୂଲ୍ୟାଙ୍କନ ବ୍ୟବସ୍ଥା ଡିଏମଏଫ ଜିଲ୍ଲା ଗୁଡ଼ିକର ବିଭିନ୍ନ ଅଂଚଳରେ ଉତ୍ତମ ଅଭ୍ୟାସ ଚିହ୍ନଟ କରିବା ଏବଂ ଯେଉଁ କ୍ଷେତ୍ରରେ ଜିଲ୍ଲାଗୁଡ଼ିକ ଅଧିକ ସୁଦୃଢ଼ ହେବାର ଆବଶ୍ୟକତା ରହିଛି, ତାହା କାର୍ଯ୍ୟକାରୀ କରିବାରେ ସହାୟକ ହେବ । ରାଜ୍ୟ ସରକାର ଜିଲ୍ଲା ଗୁଡ଼ିକୁ ପ୍ରକଳ୍ପ ତଥା ଗ୍ରାମ ଗୁଡ଼ିକରେ ତୃଣମୂଳ ସ୍ତରରୁ ସର୍ବେକ୍ଷଣ ପାଇଁ ଉତ୍ସାହିତ କରିବା ସହ ପ୍ରକଳ୍ପ ଯୋଜନାରେ ଏବଂ ରକ୍ଷଣାବେକ୍ଷଣକୁ ଅନ୍ତର୍ଭୁକ୍ତ କରିବା ଏବଂ ଡିଏମଏଫ ପ୍ରତିଷ୍ଠାନ ସମୂହର ପଦକ୍ଷେପ ସଂପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଉତ୍ସାହିତ କରୁଛନ୍ତି। ପ୍ରକଳ୍ପ ଓ ବିଭିନ୍ନ ସୁବିଧା ପ୍ରଦାନକୁ ତ୍ୱରାନ୍ୱିତ କରିବାକୁ ସହାୟତା କରିବା ପାଇଁ ତଥ୍ୟ(ଡାଟା) ସିଷ୍ଟମ ଏବଂ ଅର୍ଥ ପ୍ରଦାନ ପ୍ରଣାଳୀରେ ମଧ୍ୟ ଅଧିକ ସୁଧାର ଅଣାଯିବ। ସରକାର ଡିଏମଏଫ୍ ଅନ୍ତର୍ଗତ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି। ବିଶେଷକରି ଖଣିକ୍ଷେତ୍ର ଗୁଡ଼ିକର ୫କି.ମି. ପରିବ୍ୟାପ୍ତ ଅଂଚଳରେ ଖଣିପ୍ରଭାବିତ ଅଞ୍ଚଳର ଗ୍ରାମ ଗୁଡ଼ିକରେ ଉଦ୍ଦିଷ୍ଟ ସୁବିଧା ଶତପ୍ରତିଶତ ସୁନିଶ୍ଚିତ କରିବାକୁ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସମେତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନୁଗୋଳ ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଏବଂ ଝାରସୁଗୁଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଆଲୋଚନାରେ ଅଂଶଗ୍ରହଣ କରି ଡିଏମଏଫ ପ୍ରକଳ୍ପ କାର୍ଯ୍ୟାନୁଷ୍ଠାନରେ ରହୁଥିବା ବିଭିନ୍ନ ସମସ୍ୟା ଏବଂ ଆହ୍ୱାନ ସଂପର୍କରେ ଆଲୋକପାତ କରିବା ସହ ମତ ଓ ପ୍ରସ୍ତାବ ରଖିଥିଲେ।
ଏହି ମୂଲ୍ୟାୟନ ସହ ଖଣିଜ ସମ୍ପଦ ଦ୍ୱାରା ଖଣି ପ୍ରଭାବିତ ଅଂଚଳରେ ନିରନ୍ତର ବିକାଶ କରି ସ୍ଥାନୀୟ ସମୁଦାୟଙ୍କର ଜୀବନ ଧାରଣର ମାନରେ ଉନ୍ନତିକୁ ନିଶ୍ଚିତ କରିବା କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ଏହି ଅଧ୍ୟୟନ ଜି.ଟି. ଭାରତ ଏଲ୍ଏଲ୍ପି ଭଳି ଡିଏମଏଫ କାର୍ଯ୍ୟକାରିତା ମୂଲ୍ୟାଙ୍କନ ରେ ଦକ୍ଷତା ରଖୁଥିବା ଏକ ତୃତୀୟ ପକ୍ଷ ମୂଲ୍ୟାୟନ ସଂସ୍ଥା ମାଧ୍ୟମରେ କରାଯାଇଥିଲା।
-0-
ପଠାଣି ରାଉତ, ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
