ଜଗତସିଂହପୁର,୦୫/୧୨/୨୦୨୫(ଓଡ଼ିଶା ସମାଚାର)- କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ଆନୁକୁଲ୍ୟରେ ବିଶ୍ଵ ମୃତ୍ତିକା ଦିବସ ପାଳନ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ଡ଼ଃ ଜୀବନଜିତ ସେନ୍ ଙ୍କ ସଭାପତିତ୍ବରେ ମୃତ୍ତିକା ଦିବସ ପାଳିତ ହୋଇଥିଲା। “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା” ଆଜି ଦିବସର ମୁଖ୍ୟ ବାର୍ତ୍ତା ଥିଲା। ବିଭିନ୍ନ ପ୍ରକାରର ଜୈବିକ ପ୍ରଣାଳୀ ଅବଲମ୍ବନ କରି ଆମେ କିପରି ମାଟିମାର ଯତ୍ନ ନେଇପାରିବା ଏବଂ ମାଟିରେ ଜୈବିକ ପୃଷ୍ଟି ଉପାଦାନର ମୂଲ୍ୟ ବୃଦ୍ଧି କରିପାରିବା ଏହା ଉପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ କୁଳମଣି ବାରିକ ମନ୍ତବ୍ୟ ଦେଇଥିଲେ।
କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ଡ଼ଃ ପ୍ରଦୀପ୍ତ ମାଝୀ ମାଟି ମାର ଯତ୍ନ ନିମନ୍ତେ ଜୈବିକ ଏବଂ ପ୍ରାକୃତିକ କୃଷିର ପ୍ରାଧାନ୍ୟ ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ଗୁରୁତ୍ଵ ଉପରେ
ଆଲୋଚନା କରିଥିଲେ। ଏଥିରେ କୃଷି ଯନ୍ତ୍ରପାତି ବୈଜ୍ଞାନିକ ଡ଼ଃ ଦ୍ବାରିକା ମୋହନ ଦାସ,ମୃତ୍ତିକା ଓ ଜଳ ସଂରକ୍ଷଣ ଉପରେ ଚାଷୀ ମାନଙ୍କୁ ବିଶେଷ ଭାବରେ ଅବଗତ କରାଇଥିଲେ। ସ୍ବରାଜ କୁମାର ବେହେରା ଓ ସୌମ୍ୟ ପ୍ରିୟଦର୍ଶିନୀ,ସହକାରୀ କୃଷି ଅଧିକାରୀ ମୃତ୍ତିକା ର ସ୍ୱାସ୍ଥ୍ୟ କିପରି ବଢ଼ା ଯାଇପାରିବ ଏବଂ ଏହା ଦ୍ବାରା ଚାଷୀମାନେ କିପରି ଲାଭବାନ ହେବେ ସେ ବିଷୟରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାହାମା ଅଞ୍ଚଳର ଅଗ୍ରଣୀ ଚାଷୀ ଶ୍ରୀଯୁକ୍ତ ନୃସିଂହ ଚରଣ ବେହେରା ସମନ୍ଵିତ ଖାଦ୍ୟ ସାର ପରିଚାଳନା ଉପରେ ଆଲୋଚନା କରିଥିଲେ। ସଭାରେ ୪୦ଜଣ ଚାଷୀ, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୋଗଦାନ କରି କାର୍ଯକ୍ରମଟିକୁ ଜୀବନ୍ତ କରିଥିଲେ। ପରିଶେଷରେ ଚାଷୀ ମାନେ ମୃତ୍ତିକା ପରୀକ୍ଷାଗାର ପରିଦର୍ଶନ କରିଥିଲେ ଏବଂ କିଛି ଚାଷୀ ଭାଇ ଭଉଣୀ ମାନଙ୍କୁ ମୃତ୍ତିକା କାର୍ଡ ପ୍ରଦାନ କରାଯାଇଥିଲା।କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ଃ ତପନ କୁମାର ପଲେଇ,ସରିତା ଦାସ, ରାଜଶ୍ରୀ ସିଂ, ସମୀର ପଟ୍ଟନାୟକ,ବଳିଆ ମାଝୀ, ବିଜୟିନୀ ସାହୁ, ରୁଦ୍ରପ୍ରତାପ ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
