ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସୋନମ୍ ୱଙ୍ଗଚୁକ୍ ଙ୍କ ମୁକ୍ତି ଦାବି

କେନ୍ଦ୍ରାପଡ଼ା,୦୪/୧୦/୨୦୨୫(ଓଡ଼ିଶା ସମାଚାର)-ଦେଶର ମୁକ୍ତି ସଂଗ୍ରାମର ମହାନାୟକ ଗାନ୍ଧିଜୀଙ୍କ ୧୫୭ ତମ ଜୟନ୍ତୀ ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ କେନ୍ଦ୍ରାପଡ଼ା ଜିଲା କମିଟି ପକ୍ଷରୁ ଶିକ୍ଷା, ସଂସ୍କୃତି ଓ ପରିବେଶ ସୁରକ୍ଷାର ବିଶିଷ୍ଟ ରୂପକାର ତଥା ଲଦାଖର ସ୍ୱାୟତା ନିମନ୍ତେ ଗାନ୍ଧୀ ପ୍ରଦର୍ଶିତ ମାର୍ଗରେ ଅନଶନ ଆନ୍ଦୋଳନରେ ଥାଇ ବାହାରେ ହିଂସା ହେବା ମାତ୍ରେ ଶାନ୍ତି ରକ୍ଷା ପାଇଁ ନିବେଦନ କରିଥିବା ସୋନମ୍ ୱଙ୍ଗଚୁକ୍ ଙ୍କୁ ଜାତୀୟ ସୁରକ୍ଷା ଆଇନରେ ଗିରଫଦାରୀକୁ ନିନ୍ଦା କରାଯିବା ସହ ତାଙ୍କର ତୁରନ୍ତ ମୁକ୍ତି ଦାବି କରାଯାଇଛି ।

ସଂଗଠନ ପକ୍ଷରୁ ଗରାପୁର ସ୍ଥିତ ଗାନ୍ଧିଜୀଙ୍କ ପୂର୍ଣ୍ଣାବୟାବରେ ମାଲ୍ୟାର୍ପଣ କରାଯିବା ପରେ ଗାନ୍ଧୀ ସ୍ମୃତି ଭବନ ପରିସରରେ ଏହି ଉପଲକ୍ଷେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା ।

ସଂଗଠନର ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପରିଚାଳନାରେ ଆୟୋଜିତ ସଭାରେ ସମ୍ପାଦକ ଆଦିକନ୍ଦ ରାଉଳ ଆଲୋଚନାର ପ୍ରାକ୍ ସୂଚନା ପ୍ରଦାନ କରିବା ପରେ ସ୍ୱାଧୀନତା ସଂଗ୍ରାମୀ ରାଜ୍ୟ ସଂଘର ସଭାପତି ବିମ୍ବାଧର ମୁଦୁଲି, ସାହିତ୍ୟିକ ଡ. ବାସୁଦେବ ଦାସ, ସର୍ବୋଦୟ ମଣ୍ଡଳ ଜିଲା ସମ୍ପାଦକ ପଦ୍ମନାଭ ଦାସ, ରାଜ୍ୟ କମିଟି ସଭ୍ୟ ମହେନ୍ଦ୍ର ପଟ୍ଟନାୟକ, ଅଜୟ ସାମଲ, ପୂର୍ବତନ ନଗରପାଳ ଧୀରେନ୍ ସାହୁ, ଡ. ଚୈତନ୍ୟ ଚରଣ ପରିଡା, ମୁକ୍ତାର ଖାଁ, ଭାଗୀରଥି ଜେନା, ଗୟାଧର ଧଳ, ଶ୍ରମିକ ନେତା ଜଗଜ୍ଜୀବନ ଦାଶ, ଗାନ୍ଧୀ ସର୍ବୋଦୟ କର୍ମୀ ଅଭିମନ୍ୟୁ ରାଉତ, ଅଭିନେତା ତୁଷାର ଘୋଷ, ନିରୂପମା ରାଉତ, ସୁଦର୍ଶନ ମହାପାତ୍ର, ଗଦାଧର ନାୟକ ପ୍ରମୁଖ ରାଷ୍ଟ୍ରପିତା ଗାନ୍ଧିଜୀ ଓ ଶାନ୍ତି ଦୂତ ଶାସ୍ତ୍ରିଜୀଙ୍କ ଦେଶର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *