ସମ୍ବଲପୁର,୨୯/୦୯/୨୦୨୫(ଓଡ଼ିଶା ସମାଚାର)- ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ୮ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ରୁ୍ ଡାଇକ୍ର ୫ଟି ଓ ଡାହାଣ ପାର୍ଶ୍ୱର ଡାଇକ୍ ର ୩ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳ ପତନ ୬୨୯.୭୧ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨ ହଜାର ୩୦୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୮ଟି ସ୍ଲୁଇସ୍ ଗେଟ୍, ସ୍ପିଲୱେ ଓ ପାୱାର ଚେନେଲ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୬ ହଜାର ୬୬୨ କୁ୍ୟସେକ୍ ଜଳ ନିଷ୍କାସନ ହେଉଛି ।
ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ ସୋମବାର ଖୋଲାଯାଇଛି। ଫଳରେ ପୂର୍ବରୁ ଖୋଲାଯାଇଥିବା ୬ଟି ଗେଟକୁ ମିଶାଇ ମୋଟ ୮ଟି ଫାଟକ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆସନ୍ତା ୧ ତାରିଖରେ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ଷା ପରିମାଣ ବୃଦ୍ଧି ପାଇଲେ ଆଉ ଅଧିକ ଗେଟ୍ ଖୋଲାଯାଇପାରେ ବୋଲି କୁହାଯାଇଛି।
