ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ଜନସାଧାରଣ, ଗଣମାଧ୍ୟମ, ସେ୍ୱଚ୍ଛାସେବୀ ଏବଂ ସାମାଜିକ ଅନୁଷ୍ଠାନଗୁଡିକର ସହଯୋଗ ଲୋଡା : ଜଙ୍ଗଲ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ

ଭୁବନେଶ୍ୱର,୦୩/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବନ୍ୟପ୍ରାଣୀ ଓ ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ଉଦ୍ଦେଶ୍ୟରେ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନାଗୁଡିକର ସଫଳ ରୂପାୟନ ନିମନ୍ତେ ଜନସାଧାରଣ, ଗଣମାଧ୍ୟମ, ସେ୍ୱଚ୍ଛାସେବୀ ଏବଂ ସାମାଜିକ ଅନୁଷ୍ଠାନଗୁଡିକର ଅକୁଣ୍ଠ ସହଯୋଗ ଲୋଡା ବୋଲି ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆଜି ମତବ୍ୟକ୍ତ କରିଛନ୍ତି ।

୭୦ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ, ୨୦୨୪ ଆଜି ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଲେ ଯେ, ଶାନ୍ତି ଓ ଅହିଂସାର ମହାନ ଉପାସକ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ଜନ୍ମଦିବସ ଅକେଫାବର ୨ ତାରିଖରୁ ସମଗ୍ର ଦେଶରେ ପ୍ରତିବର୍ଷ ସପ୍ତାହ ବ୍ୟାପି ‘ବନ୍ୟପ୍ରାଣୀ ସପ୍ତାହ’ ପାଳିତ ହୋଇଥାଏ । ବନ୍ୟପ୍ରାଣୀମାନଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ଏବଂ ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ଜନମାନସରେ ବ୍ୟାପକ ସଚେତନତା ସୃଷ୍ଟି କରିବା ବନ୍ୟପ୍ରାଣୀ ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ଆମେ ରାଜ୍ୟର ଜଙ୍ଗଲ ଓ ବନ୍ୟପ୍ରାଣୀର ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ସ୍ମରଣ କରିଥାଉ । ଏହା ଆମ ଦେଶର ସମ୍ବିଧାନ ପ୍ରଦତ୍ତ ଏକ ପ୍ରମୁଖ ଦାୟିତ୍ୱ ଓ କର୍ତ୍ତବ୍ୟ । ’ଜୀବେ ଦୟା’ ଆମ ପୁରାତନ ସଂସ୍କୃତି ଓ ପରମ୍ପରାର ମୂଳ ମନ୍ତ୍ର । ମାନବ ସମାଜ ଓ ବନ୍ୟପ୍ରାଣୀ ଓତଃପ୍ରୋତ ଭାବେ ଜଡ଼ିତ । ମାନବ ସମାଜ ତିଷ୍ଠି ରହିବା ପାଇଁ ଏହି ପ୍ରାକୃତିକ ଭାରସାମ୍ୟ ଅପରିହାର୍ଯ୍ୟ । ଏଥିପାଇଁ ବନ୍ୟପ୍ରାଣୀଙ୍କର ଅବଦାନ ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ । ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ରାଜ୍ୟର ମୂଲ୍ୟବାନ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ଦିଗରେ ସଦାସର୍ବଦା ଅଙ୍ଗୀକାରବଦ୍ଧ । ସମ୍ପ୍ରତିି ଓଡ଼ିଶାର ଭୌଗୋଳିକ ଆୟତନର ୩୬.୨୧ ପ୍ରତିଶତ ବନାଞ୍ଚଳ ଦ୍ୱାରା ଆଚ୍ଛାଦିତ ହୋଇପାରିଛି ଯାହା ଜାତୀୟ ହାର ୨୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ । ଏହା ଆମ ରାଜ୍ୟର ବନ୍ୟପ୍ରାଣୀ, ଜଙ୍ଗଲ ଓ ପରିବେଶର ସୁରକ୍ଷା ଓ ସଂରକ୍ଷଣ ଦିଗରେ ଦୃଢ଼ ପଦକ୍ଷେପର ଚାକ୍ଷୁଷ ପ୍ରମାଣ । ଆମ ରାଜ୍ୟର ବିଶାଳ ଜୈବବିବିଧତା ସମଗ୍ର ବିଶ୍ୱରେ ଅଦ୍ୱିତୀୟ । ଆମର ବନାନୀ ବହୁବିଧ ବନ୍ୟପ୍ରାଣୀ ଓ ଜୈବବିବିଧତାରେ ପରିପୂର୍ଣ୍ଣ । ୩ ହଜାରରୁ ଅଧିକ ପ୍ରଜାତିର ଉଦ୍ଭିଦ ସହ ୧୧୪ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୫୩୭ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ଉଭୟଚର ପ୍ରାଣୀ ଏବଂ ୧୨୯ ପ୍ରକାରର ସରୀସୃପ ଆମ ରାଜ୍ୟରେ ଦେଖାଯାଇଥାନ୍ତି । ଚିଲିକା ହ୍ରଦ, ଭିତରକନିକା, ଶିମିଳିପାଳ ଜାତୀୟ ଉଦ୍ୟାନ ଏବଂ ସଂରକ୍ଷିତ ବନାଞ୍ଚଳଗୁଡ଼ିକ ବିଭିନ୍ନ ଲୁପ୍ତପ୍ରାୟ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ସୁରକ୍ଷା ପ୍ରଦାନ କରିଆସୁଛି । ଏସବୁ ବନ୍ୟପ୍ରାଣୀଙ୍କ ପାଇଁ ସଂପୂର୍ଣ୍ଣ ସୁରକ୍ଷିତ ଅଞ୍ଚଳ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ ହୋଇଥିବାରୁ ଏସବୁର ରକ୍ଷଣାବେକ୍ଷଣ ଓ ଯନି ନେବା ଆମର ମହାନ୍‌ କର୍ତ୍ତବ୍ୟ । ବନ୍ୟପ୍ରାଣୀମାନଙ୍କ ସୁରକ୍ଷା, ସଂରକ୍ଷଣ, ଅଭିବୃଦ୍ଧି ତଥା ସେମାନଙ୍କ ବାସସ୍ଥଳୀଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ବନ୍ୟପ୍ରାଣୀ ସଂରକ୍ଷଣ, ପରିବେଶ ସଚେତନତା ଓ ମଣିଷ ସମାଜ ପାଇଁ ଜଙ୍ଗଲର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ପ୍ରସାର ଅତି ଜରୁରୀ । ଛୋଟ ବେଳୁ ଏ ସମ୍ବନ୍ଧରେ ଅନ୍ତର୍ନିହିତ ଅନୁରକ୍ତି ଓ ଆଗ୍ରହ ରହିଲେ ଜଙ୍ଗଲ କ୍ଷୟଜନିତ ପରିବେଶ ନଷ୍ଟ ନିଶ୍ଚିତ ରୂପେ ରୋକାଯାଇ ପାରିବ । ଗୃହପାଳିତ ପଶୁମାନଙ୍କୁ ଆମେ ଯେଉଁଭଳି ଭାବରେ ସ୍ନେହ ଓ ଆଦର ପ୍ରଦର୍ଶନ କରିଥାଉ, ବନାନୀ ମଧ୍ୟରେ ରହୁଥିବା ବନ୍ୟପ୍ରାଣୀଙ୍କ ପ୍ରତି ସେହିଭଳି ଆଦର, ଦୟା, କରୁଣା ଭାବ ରହିବା ଉଚିତ୍‌ । ବହୁମୂଲ୍ୟ ବନ୍ୟପ୍ରାଣୀ ଥରେ ଲୋପ ପାଇଗଲେ ଆମର ଉତ୍ତରପୁରୁଷମାନେ ସେମାନଙ୍କୁ ଦେଖିପାରିବେ ନାହିଁ ଓ ଆମକୁ ଏଥିପାଇଁ କ୍ଷମା ଦେବେ ନାହିଁ । ତେଣୁ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଏବଂ ସଂରକ୍ଷଣ ସମସ୍ତଙ୍କ ଧ୍ୟେୟ ହେଉ, ଆମର ମହାନ୍‌ ଜୈବ ବିବିଧତା ସୁରକ୍ଷିତ ରହୁ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଆହ୍ୱାନ ଦେଇଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ଏବଂ ବିଲୁପ୍ତ ପ୍ରାୟ ବନ୍ୟଜୀବଙ୍କ ବଂଶବୃଦ୍ଧି ପାଇଁ ବିଭାଗ ପକ୍ଷରୁ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରାଯାଉଛି ।

   ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ, ଓଡ଼ିଶା ଶ୍ରୀ ଦେବୀଦତ୍ତ ବିଶ୍ୱାଳ କହିଲେ ଯେ ମାନବ ସମାଜ ଓ ବନ୍ୟପ୍ରାଣୀଙ୍କ ସଂଘର୍ଷକୁ ଯଥାସମ୍ଭବ ରୋକିବା ଜରୁରୀ । ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ଦିଗରେ ସମସ୍ତେ ସମ୍ବେଦନଶୀଳ ହେବାକୁ ସେ ଆହ୍ୱାନ ଦେଇଥିଲେ ।

    ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ସୁଶାନ୍ତ ନନ୍ଦ ସ୍ୱାଗତ ଭାଷଣ ଦେଇ ବନ୍ୟପ୍ରାଣୀ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ବନ୍ୟପ୍ରାଣୀ ସଂରକ୍ଷଣ ଓ ସେମାନଙ୍କ ଆବାସସ୍ଥଳୀର ଅଭିବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ସେ ସୂଚନା ଦେଇଥିଲେ ।

    ବନ୍ୟ ପ୍ରାଣୀ ସଂରକ୍ଷଣ ନିମନ୍ତେ ବିଭାଗ ତରଫରୁ ହାତକୁ ନିଆଯାଇଥିବା ପ୍ରମୁଖ କାର୍ଯ୍ୟାବଳୀ ସମ୍ବଳିତ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା ।

    ମୁଖ୍ୟ ଅତିଥି ଜଙ୍ଗଲ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଚିତ୍ରାଙ୍କନ, କୁଇଜ୍‌ ଓ ଫଟୋଗ୍ରାଫି ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ୱାଇଲ୍‌ଡଲାଇଫ୍‌ ଓଡ଼ିଶା, ୨୦୨୪, ଦେବ୍ରିଗଡ଼ ୱାଇଲ୍‌ଡଲାଇଫ୍‌ କଞ୍ଜରଭେସନ ଆଣ୍ଡ୍‌ ଇକୋଟୁରିଜିମ୍‌, ଆନ୍‌ ଅପ୍‌ଡେଟେଡ୍‌ ଚେକ୍‌ଲିଷ୍ଟ ଆଣ୍ଡ୍‌ ବିବ୍ଲିଓଗ୍ରାଫି ଅଫ୍‌ ଦି ବାର୍ଡସ୍‌ ଅଫ୍‌ ଓଡ଼ିଶା , ଶିମିଳିପାଳ ଅନ୍‌ ଦି ଏୟାର ଓ ରିଲିଜ୍‌ ଅଫ୍‌ ଫ୍ଲାୟର ଅନ୍‌ ବିହଙ୍ଗ- ଆନ୍‌ ଆକ୍ସନ୍‌ ପ୍ଲାନ୍‌ ଫର୍‌ ବାର୍ଡ କଞ୍ଜରଭେସନ ଇନ୍‌ ଓଡ଼ିଶା ଶୀର୍ଷକ ୫ଟି ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ରାଜ୍ୟର ବନ୍ୟପ୍ରାଣୀ ଉପରେ ଆଧାରିତ ୬ଟି ଫିଲ୍ମର ଟ୍ରେଲର ଯଥା:- ଟାଇଟାନ୍ସ ଅଫ୍‌ ଦି ମ୍ୟାନ୍‌ଗ୍ରୋଭସ୍‌ (ସଲଫୱାଟର କ୍ରକୋଡାଇଲ୍‌ସ ଅଫ୍‌ ଭିତରକନିକା), ମର୍‌ମେଡ୍‌ସ ଅଫ୍‌ ଦି ଲେଗୁନ୍‌(ଇରାୱାଡି ଡଲ୍‌ଫିନ୍‌ସ ଅଫ୍‌ ଚିଲିକା), ଡ୍ୟାନ୍‌ସ ଅଫ୍‌ ଦି ରିଡ୍‌ଲେଜ୍‌(ଅଲିଭ୍‌ ରିଡ୍‌ଲେଜ ଇନ୍‌ ଦି ଓଡ଼ିଶା କୋଷ୍ଟ), ଲ୍ୟାଣ୍ଡ୍‌ ଅଫ୍‌ ଦି ବ୍ଲାକ୍‌ ଟାଇଗରସ୍‌ , ଦେବି୍ରଗଡ଼- ହେ୍ୱୟାର ଗଉର୍‌ସ ରୁଲ୍‌ ଓ ବିହାଇଣ୍ଡ୍‌ ଦି ସିନ୍‌ସ( ମେକିଙ୍ଗ୍‌ ଦି ମୁଭି) ପ୍ରଦର୍ଶିତ ହୋଇଥିଲା । ବନ୍ୟପ୍ରାଣୀ ଫିଲ୍ମ ନିର୍ମାତା ଧ୍ରୁତିମାନ ମୁଖାର୍ଜୀ ପ୍ରସେନ୍‌ଜିତ୍‌ ଯାଦବ ଓ ସମରେନ୍ଦ୍ର ଦାସଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।

    ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବାଲେଶ୍ୱରର ଡ. ସିଦ୍ଧାର୍ଥ ପତି ଓ ବଲାଙ୍ଗୀରର ଶ୍ରୀ ଶୈଳେନ୍ଦ୍ର ନାରାୟଣ ଶତପଥୀଙ୍କୁ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଉଭୟଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ଚେକ୍‌ ଆକାରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ପ୍ରଦାନ କରିଥିଲେ ।

    ରାଜ୍ୟ ବନ୍ୟପ୍ରାଣୀ ଅପରାଧ ଡାଟାବେସ୍‌ ପରିଚାଳନା ପୋର୍ଟାଲ ‘ପ୍ରହାର’ ଓ ଜନବସତିଗୁଡ଼ିକରେ ଦେଖାଯାଉଥିବା ସାପମାନଙ୍କୁ ପ୍ରମାଣିକୃତ ସାପ ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଉଦ୍ଧାର ଓ ଥଇଥାନ ପୋର୍ଟାଲ ‘ସର୍ପ’କୁ ମୁଖ୍ୟ ଅତିଥି ଉନ୍ମୋଚିତ କରିଥିଲେ । ପ୍ରଥମଥର ପାଇଁ ହୋଇଥିବା ରାଜ୍ୟସ୍ତରୀୟ କଲରାପତରିଆ ବାଘ ଗଣନା-୨୦୨୪ର ଫଳାଫଳ ପୁସ୍ତିକାକୁ ମୁଖ୍ୟ ଅତିଥି ପାଠକାର୍ପଣ କରିଥିଲେ । ପୂର୍ବରୁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆଙ୍କ ଦ୍ୱାରା ରାଜ୍ୟର ବନ୍ୟପ୍ରାଣୀମାନଙ୍କ ଉପରେ ଆଧାରିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଥିଲା ।

    ଶେଷରେ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ନନ୍ଦନକାନନର ନିର୍ଦ୍ଦେଶକ ଡ. ମନୋଜ ଭି. ନାୟର ଧନ୍ୟବାଦ ଅର୍ପଣ କରିଥିଲେ ।

-0-

ମାନସ ରଞ୍ଜନ ଖୁଣ୍ଟିଆ, ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *