କଟକ,୨୬/୦୯/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ୨୯ ତାରିଖ ସୋମବାର ଠାରୁ ଓଡ଼ିଶା ହାଇକୋର୍ଟ ର ଦଶହରା ଅବକାଶ ଆରମ୍ଭ ହେବ। ଶୁକ୍ରବାର ଶେଷ କାର୍ଯ୍ୟ ଦିବସ । ଅକ୍ଟୋବାର ୮ରେ ଅଦାଲତ ଖୋଲିବ । ଏହି ଛୁଟି ସମୟ ମଧ୍ୟରେ ଜରୁରୀ ମାମଲାର ଶୁଣାଣି ପାଇଁ ଆସନ୍ତା ୨୯ ତାରିଖ, ଅକ୍ଟୋବର ୧ ତାରିଖ ଓ ୬ ତାରିଖରେ ତିନିଦିନ ଅବକାଶ କାଳୀନ ଅଦାଲତ ବସିବ ।
୨୯ ତାରିଖ ସୋମବାର ପ୍ରଥମ ଅବକାଶକଳୀନ ଅଦାଲତ ବସିବ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭି. ନରସିଂହ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଭିନ୍ନ ଜରୁରୀ କାଳୀନ ମାମଲାର ଶୁଣାଣି ହେବ । ପରେ ବିଚାରପତି ଦ୍ୱୟ ପୃଥକ୍ ପୃଥକ୍ ବେଞ୍ଚରେ ଅନ୍ୟାନ୍ୟ ମାମଲାର ଶୁଣାଣି କରିବେ । ଅନ୍ୟତମ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ ମଧ୍ୟ ସେହିଦିନ ଜାମିନ୍ ମାମଲାର ଶୁଣାଣି କରିବେ ।
ସେହିପରି ଅକ୍ଟୋବର ପହିଲାରେ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁ ଏବଂ ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ । ପରେ ଉଭୟ ବିଚାରପତି ପୃଥକ୍ ପୃଥକ୍ ଭାବେ ଅନ୍ୟ ମାମଲାର ଶୁଣାଣି କରିବେ । ସେହିପରି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏବଂ ଜଷ୍ଟିସ୍ ବିରଜାପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ । ସେହିଦିନ ଉଭୟ ବିଚାରପତି ପୃଥକ ପୃଥକ ଭାବେ ମଧ୍ୟ ଅନ୍ୟ ମାମଲାର ଶୁଣାଣି କରିବେ ।
