ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ
ଗରଦପୁର,୨୫/୦୯/୨୦୨୫(ଓଡ଼ିଶା ସମାଚାର)-ପାଟକୁରା ମେଡ଼ିକାଲ ରେ ଆଜି ସ୍ୱାସ୍ଥ୍ୟ ବିଶେଷଜ୍ଞ ଶିବିର ଓ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଭଳି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ମନୋରଂଜନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।
ଏହି ଅବସରରେ ସୁସ୍ଥ ନାରୀ , ସଶକ୍ତ ପରିବାର କାର୍ଯ୍ୟକ୍ରମ ଆଧାରରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଟି ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡ଼ାକ୍ତରମାନେ ଯୋଗଦେଇ ମୋଟ୍ ୩୭୪ ଜଣ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ । ସ୍ତ୍ରୀ ରୋଗ ବମିଶେଷଜ୍ଞ ଡ଼ାକ୍ତର ହିମାଂଶୁ ଭୁଷଣ ସଢ଼ଙ୍ଗି, ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ପ୍ରଶାନ୍ତ କୁମାର ଜେନା, ଦାନ୍ତ ବିଭାଗ ବିଶେଷଜ୍ଞ ଡ଼ାକ୍ତର ନିବେଦିତା ଡ଼ିଣ୍ଡା, ଚକ୍ଷୁ ବିଭାଗ ବିଶେଷଜ୍ଞ ଡ଼ାକ୍ତର ଅଲିଭା ପ୍ରିୟଦର୍ଶିନୀ , ମାନସିକ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଡ଼ାକ୍ତର ଶ୍ରଦ୍ଧାଂଜଳି ମହାନ୍ତି , ମେଡ଼ିକାଲ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ନୀରଂଜନ କର ଙ୍କ ସମେତ ସିଡ଼ିଏମଓ ଡ଼ାକ୍ତର ମନୋରଂଜନ ରାଉତ ପ୍ରମୁଖ ବର୍ହିବିଭାଗରେ ପଂଜିକୃତ କରିଥିବା ରୋଗୀ ମାନଙ୍କୁ ଚିକିତ୍ସା ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦେଇଥିଲେ ।
ଆଜି ୧୪୪ ପୁରୁଷ ଓ ୨୩୦ ମହିଳା ଓ ଶିଶୁ ଙ୍କୁ ମିଶାଇ ମୋଟ୍ ୩୭୪ ଜଣଙ୍କୁ ସେବା ଯୋଗାଇ ଦିଆଯାଇଥିଲା । ମା ସୁସ୍ଥ ରହିଲେ ପରିବାର ସଶକ୍ତ ରହି ପାରିବ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡ଼ାକ୍ତର ମାନେ ଏହି ସଚେତନତା ବାର୍ତା ସମସ୍ତଙ୍କୁ କହିଥିଲେ । ସେହିପରି ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଯକ୍ଷ୍ମା ରୋଗ ନୀରାକରଣ , ନିୟନ୍ତ୍ରଣ ଓ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ ଦେଶ ଗଠନ କରିବାକୁ ସିଡ଼ିଏମଓ ଶ୍ରୀ ରାଉତ ପରାମର୍ଶ ଦେଇଥିଲେ । ଏଥିରେ ଯୋଗ ଦେଇଥିବା ୨୦ ଜଣ ନିକ୍ଷୟ ମିତ୍ର ମାନଙ୍କୁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପାରାଦୀପର ଇଫକୋ ପକ୍ଷରୁ ଏକଜିକ୍ୟୁଟିଭ ଡ଼ାଇରେକ୍ଟର ପି କେ ମହାପାତ୍ର ପୁଷ୍ଟିସାର ଖାଦ୍ୟ ବାସ୍କେଟ ବଂଟନ କରିଥିଲେ । ପାଟକୁରା ମେଡ଼ିକାଲ ର ମ୍ୟାନେଜମେଂଟ ଷ୍ଟାଫ ଉଷାରାଣୀ ବାରିକ, ଅନୀଲ କୁମାର ଧଳ, ବିଶ୍ୱରଂଜନ ଧଳ, ଶଶିରେଖା ଦାସ, ଶୁଭଦର୍ଶନୀ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
