କେନ୍ଦ୍ରାପଡା, ୧୯/୦୯/୨୦୨୫(ଓଡ଼ିଶା ସମାଚାର)- ଆଜି ମହାକାଳପଡାରେ ଜନୈକ ମହିଳା କୁମ୍ଭୀର ଆକ୍ରମଣର ଶୀକାର ହୋଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସୁନୀତି ପଂଚାୟତ ବେଣାକନ୍ଧା (ଭୋଳାପଡା) ଗ୍ରାମର ବାବୁଲା ଦଳାଇଙ୍କ ପତ୍ନୀ ଲକ୍ଷ୍ମୀ ଦଳାଇ (ବୟସ ୩୬) ନିକଟସ୍ଥ ଗୋବରୀ ନଦୀ କୂଳରେ ଛେଳି ଚରାଉଥିବା ସମୟରେ ଆଜି ଅପରାହ୍ନରେ ଏକ କୁମ୍ଭୀର ତାଙ୍କୁ ଅକସ୍ମାତ୍ ଆକ୍ରମଣ କରି ନଦୀ ଗର୍ଭକୁ ଟାଣି ନେଇଯାଇଥିଲା । ବଂଚାଅ…. ବଂଚାଅ…. ବୋଲି ଲକ୍ଷ୍ମୀଙ୍କ ଆର୍ତଚିତ୍କାର ଶୁଣି ନିକଟସ୍ଥ ଲୋକମାନେ ଆସି ଦେଖିବା ବେଳକୁ ଏକ ବିରାଟକାୟ କୁମ୍ଭୀର ନଈ ମଝିରେ ଲକ୍ଷ୍ମୀଙ୍କୁ ଧରି ବୁଡୁଥାଏ ଉଠୁଥାଏ ।
ସ୍ଥାନୀୟ ଲୋକେ ୪-୫ଟି ମାଛଧରା ଡଙ୍ଗା ଓ ଜାଲ ନେଇ ନଦୀ ଭିତରୁ ଲକ୍ଷ୍ମୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କର କୌଣସି ପତା ମିଳିାରିନାହିଁ । ଖବରପାଇ ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ଓ ବନବିଭାଗ ଘଟଣା ସ୍ଥଳରେ ପହଂଚି ଦମକଳବାହିନୀ ସହାୟତାରେ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି । ଲକ୍ଷ୍ମୀଙ୍କର ସ୍ୱାମୀ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କର ତିନିଜଣ ନାବାଳିକା ଝିଅ ରହିଛନ୍ତି ।
ଲକ୍ଷ୍ମୀଙ୍କୁ କୁମ୍ଭୀର ଟାଣିନେବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ସୁନୀତି ପଂଚାୟତର ପୂର୍ବତନ ସରପଂଚ ମନୋଜ ପାତ୍ର, ଚନ୍ଦନ ଗିରି, ଗଣେଶ ଖିଲାର, ଗୁରୁଦ ମଣ୍ଡଳ, ସପନ ଗୋଚ୍ଛାୟତ, ମଦନ ପାତ୍ର, ସରସ୍ୱତୀ ମଣ୍ଡଳ, ଦିଲ୍ଲୀପ ଜେନା ଓ ରବି ଗିରି ପ୍ରମୁଖ ଦାବି କରିଛନ୍ତି ।
