ରାଜ୍ୟର ବିକାଶରେ ଅର୍ଥର ପ୍ରମୁଖ ଭୂମିକା ରହିଛି – ରାଜ୍ୟପାଳ
ଭୁବନେଶ୍ୱର, ୨୭/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ତଥା ନୂତନ ବିକାଶମୂଳକ ଯୋଜନା ପ୍ରଣୟନରେ ଅର୍ଥର ପ୍ରମୁଖ ଭୂମିକା ରହିଛି । ଆର୍ଥିକ ଅବସ୍ଥା ଯେତେ ସ୍ୱଚ୍ଛଳ ଓ ସଶକ୍ତ ହେବ ରାଜ୍ୟର ପ୍ରଗତି ଏବଂ ବିକାଶ ସେହି ମାତ୍ରାରେ ତ୍ୱରାନ୍ୱିତ ହୋଇପାରିବ ଏବଂ ଜନସାଧାରଣଙ୍କ ଜୀବନର ମାନରେ ଉନ୍ନତି ଆସିବ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି ।
ଆଜି ରାଜଭବନର ଅଭିଷେକ ହଲ୍ଠାରେ ମଧୁସୂଦନ ଦାସ ଆଂଚଳିକ ବିତିୀୟ ପରିଚାଳନା ଏକାଡ଼େମୀରେ ପ୍ରଶିକ୍ଷଣ ଗ୍ରହଣ କରୁଥିବା ୨୦୨୧ ବ୍ୟାଚ୍ ର ଓଡ଼ିଶା ଅର୍ଥ ସେବାର ଅଧିକାରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ରାଜ୍ୟପାଳ ବିକଶିତ ଓଡ଼ିଶା ଗଠନ ଦିଗରେ ପ୍ରଶିକ୍ଷାର୍ଥୀମାନଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି କହିବା ସହିତ ଏଥି ନିମନ୍ତେ ନିଜକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବାକୁ କହିଥିଲେ ।
ରାଜ୍ୟପାଳ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ନିର୍ଭୀକ, ସଚ୍ଚୋଟ, ନିୟମ କାନୁନ୍ ସଂପର୍କରେ ବିଶେଷଭାବେ ଅବଗତ ହେବାକୁ ତଥା କୌଣସି ପ୍ରକାର ଚାପର ବଶବର୍ତୀ ନହୋଇ ଦାୟିତ୍ୱ ସଂପନ୍ନ ସମୟରେ ସଠିକ୍ ପରାମର୍ଶ ଦେବାକୁ ଅଗ୍ରାଧିକାର ଦେବା ପାଇଁ କହିଥିଲେ । ଓଡ଼ିଶାରେ ସାମର୍ଥ୍ୟ, ସୁଯୋଗ ଓ ସଂଯୋଗର ବିପୁଳ ସମ୍ଭାର ରହିଛି ଓ ରାଜ୍ୟର ଅର୍ଥ ସେବାର ଅଧିକାରୀଭାବେ ଏହାର ସଂପୂର୍ଣ୍ଣ ସଦୁପଯୋଗ କରିବାକୁ ରାଜ୍ୟପାଳ ସେମାନଙ୍କୁ କହିଥିଲେ । ରାଜ୍ୟ ଏବଂ ରାଜ୍ୟବାସୀଙ୍କ ଆଶା ଓ ଆସ୍ଥାକୁ ପୂରଣ କରିବା ପାଇଁ ପ୍ରଶିକ୍ଷାର୍ଥୀମାନେ ନିଜର କାର୍ଯ୍ୟ ଏବଂ ଆଚରଣରେ ଯତ୍ନଶୀଳ ହେବାକୁ ରାଜ୍ୟପାଳ ସେମାନଙ୍କୁ କହିବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ସନ୍ତୋଷ କୁମାର ଶତପଥୀ ପ୍ରଶିକ୍ଷାର୍ଥୀମାନଙ୍କ ଜ୍ଞାନର ପରିଧିକୁ ବୃଦ୍ଧି କରିବା ପାଇଁ ସମସ୍ତ ସୁଯୋଗର ସଦ୍ବ୍ୟବହାର କରିବାକୁ, କ୍ରୀଡ଼ା ଆଦି କ୍ଷେତ୍ରରେ ଅଂଶଗ୍ରହଣ କରି ଶାରୀରିକ ଓ ମାନସିକସ୍ତରରେ ଫିଟ୍ ରହିବା ସହିତ ନିଜର ଉତ୍ସାହ ଓ ଆଗ୍ରହକୁ ସର୍ବଦା ପ୍ରାଧାନ୍ୟ ଦେବାକୁ କହିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ୍ ପ୍ରଶିକ୍ଷାର୍ଥୀମାନଙ୍କୁ ବୈଷୟିକ ଜ୍ଞାନ କୌଶଳର ଅଧିକରୁ ଅଧିକ ବ୍ୟବହାର ସହିତ ଦକ୍ଷତା ବୃଦ୍ଧି କରି ନିଜର ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଧୁସୂଦନ ଦାସ ଆଂଚଳିକ ବିତୀୟ ପରିଚାଳନା ଏକାଡ଼େମୀର ଯୁଗ୍ମ ନିର୍ଦ୍ଧେଶକ ଶ୍ରୀ ବିଭୁଦତ ଆଚାରୀ ନିଜ ଅଭିଭାଷଣରେ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଏବଂ ଏକାଡ଼େମୀର କାର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଦୁଇ ଜଣ ପ୍ରଶିକ୍ଷାର୍ଥୀ ସେମାନଙ୍କର ଅଭିଜ୍ଞତା ସମସ୍ତଙ୍କ ସହିତ ବାଂଟିଥିଲେ । ପରିଶେଷରେ ପ୍ରଶିକ୍ଷାର୍ଥୀ ଶ୍ୱେତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏକାଡ଼େମୀର ଅନ୍ୟ ଅଧିକାରୀ ତଥା ରାଜଭବନର ଅଧିକାରୀମାନେ ଯୋଗ ଦେଇଥିଲେ ।
-୦-
ସଂଜୀବ ବାରିକ, ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ