ଅଶାନ୍ତ ହେଉଛି ନିମାପଡ଼ା,ଗୋଟିଏ ଦିନରେ ୨ଜଣଙ୍କୁ ଛୁରା ମାଡ଼,ପୋଲିସ ହାତ ଖାଲି।

ନିମାପଡ଼ା,୨୫/୦୫/୨୦୨୬ (ଓଡ଼ିଶା ସମାଚାର)- ନିମାପଡ଼ା ଅଞ୍ଚଳରେ ଆଇନ ଶୁଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ କୋମାରେ।ଗତ କାଲି ରବିବାର ଗୋଟିଏ ଦିନରେ ଦୁଇ ଦୁଇଟି ଛୁରା ମାଡ଼ ଘଟଣାରେ ପୋଲିସ ହାତ ସମ୍ପୂର୍ଣ୍ଣ ଖାଲି।ନିମାପଡ଼ା ଥାନା ଠାରୁ ମାତ୍ର ୨ଶହ ମିଟର ଦୂରରେ ଏହିଭଳି ଘଟଣା ଘଟିଥିବା ବେଳେ ପୋଲିସ ହାତ ଖାଲିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ପୋଲିସର କାର୍ୟ୍ୟ ଦକ୍ଷତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ବାଚୀ।ସୂଚନା ଅନୁଯାୟୀ ଗତ କାଲି ଦିନ ୯ଘଟିକା ସମୟରେ ସ୍ଥାନୀୟ ଅଣ୍ଢିଆସାହି ଗ୍ରାମର ବାସିନ୍ଦା ପ୍ରକାଶ ବେହେରା ଓ ତାଙ୍କ ପତ୍ନୀ ନିରୋଜ ନଳିନୀ ସାହୁଙ୍କୁ ସାମାନ୍ୟ ଜମି ବାଡି ବିବାଦକୁ କେନ୍ଦ୍ର କରି ଦୁର୍ବୁତ୍ତ ମାନେ ଛୁରା ମାଡ଼ କରି ଫେରାର ହୋଇଯାଇଥିଲେ।

ସେହିପରି ସନ୍ଧ୍ୟା ୯ଘଟିକା ସମୟରେ ନିମାପଡ଼ା ଶ୍ୟାମସୁନ୍ଦରପୁର ଅଞ୍ଚଳର ବାସିନ୍ଦା କାର୍ତ୍ତିକ ସେଠୀ ନିଜ କାର୍ୟ୍ୟସାରି ଘରକୁ ଫେରୁଥିବା ସମୟରେ ପୂର୍ବ ବିବାଦକୁ କେନ୍ଦ୍ର କରି ଦୁର୍ବୁତ୍ତ ମାନେ ତାଙ୍କୁ ସଂଗବଦ୍ଧ ଭାବେ ଘେରିବା ସହିତ ଅତର୍କିତ ଭାବେ ଛୁରା ମାଡ଼ କରି ଘଟଣା ସ୍ଥଳରୁ କେଉଁ ଆଡ଼େ ଫେରାର ହୋଇଯାଇଥିଲେ।ତେବେ ଗୋଟିଏ ଦିନରେ ଦୁଇ ଦୁଇ ଜଣଙ୍କୁ ଛୁରା ମାଡ଼ ଘଟଣାକୁ ନେଇ ସଂଗ୍ରହ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଆଇନ୍ ସୁଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇପଡ଼ିଛି।ଅନ୍ୟପଟେ ନିମାପଡ଼ା ଥାନା ଅଧିକାରୀ ଗୋଟିଏ ଦିନ ମଧ୍ୟରେ ଥାନାରେ ସର୍ବମୋଟ ୨ଘଣ୍ଟା ରହୁଥିବା ବେଳେ ଅନ୍ୟ ସମୟରେ ସରକାରୀ କ୍ୱାର୍ଟର ଛାଡ଼ି ନିଜର ବିଳାସ ପୂର୍ଣ୍ଣ ଭଡ଼ା ଘରେ ରହୁଥିବାରୁ ଥାନାକୁ ଆସୁଥିବା ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଶୁଣିବାକୁ ମିଳିଛି। ଅପରପକ୍ଷରେ ଛୁରା ମାଡ଼ ଘଟଣାକୁ ନେଇ ପୋଲିସ ପୃଥକ ପୃଥକ ଭାବେ ଦୁଇ ଦୁଇଟି ମାମଲା ରୁଜୁ କରି ସମ୍ପୁର୍ଣ୍ଣ ଚୁପ୍ ବସିରହିଥିବା ବେଳେ ଘଟଣାରେ ସମ୍ପୂର୍ତ୍ତ ଦୁର୍ବୁତ୍ତ ମାନେ ଥାନା ସମ୍ମୁଖରେ ଚକର କଟୁଥିବା ଦେଖିବାକୁ ମିଳୁଛି।ଆଗକୁ ଉତ୍କର୍ଷ ନିମାପଡ଼ା କାର୍ୟ୍ୟକ୍ରମ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ଉଚ୍ଚ ସ୍ତରୀୟ ଅଧିକାରୀ ମାନେ ଘଟଣା ଉପରେ ନଜର ଦେଇ ଦୁର୍ବୁତ୍ତ ମାନଙ୍କୁ ତୁରନ୍ତ ଗିରଫ ପାଇଁ ସାଧାରଣ ଦାବି ହୋଇଛି।

Leave a Reply

Your email address will not be published. Required fields are marked *