ସ୍ମୃତିବନରେ ଗାନ୍ଧୀମଣିଷଙ୍କ ପାଇଁ ସ୍ମୃତିଚାରଣ

                                          ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ୭ମ ଶ୍ରାଦ୍ଧ ଉତ୍ସବ ପାଳିତ
ଭୁବନେଶ୍ୱର,୧୬/୦୯/୨୦୨୫(ଓଡ଼ିଶା ସମାଚାର)-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଗାନ୍ଧୀମଣିଷ ଦୋଳଗୋବିନ୍ଦ ପ୍ରଧାନଙ୍କ ୭ମ ଶ୍ରାଦ୍ଧ ଉତ୍ସବ ତାଙ୍କ ପ୍ରତିଷ୍ଠିତ ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଏକ ନିଆରା ଢଙ୍ଗରେ ଓଡ଼ଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ପାତ୍ରପଡ଼ାଠାରେ ଥିବା ସ୍ମୃତିବନରେ ପାଳିତ ହୋଇଯାଇଛି ।

ପ୍ରାରମ୍ଭରେ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିରେ ରୋପଣ କରାଯାଇଥିବା ବଉଳ ବୃକ୍ଷକୁ ପୂଜା କରାଯିବା ପରେ ଅତିଥିମାନେ ସ୍ୱର୍ଗତ ପ୍ରଧାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ବିଶିଷ୍ଟ ଅତିଥି ସୁବାର୍ତାର ସମ୍ପାଦକ ବାଗ୍ମୀ ପ୍ରଦୁ୍ୟମ୍ନ କୁମାର ଶତପଥୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସ୍ୱର୍ଗତ ପ୍ରଧାନଙ୍କ ସହ ୪୦ ବର୍ଷର ସାନ୍ନିଧ୍ୟରୁ ବହୁତ କଥା ଶିଖିବାକୁ ମିଳିଛି । ସେ ଥିଲେ ସମୟାନୁବର୍ତିତାର ମୂର୍ତିମନ୍ତ ପ୍ରତୀକ । ଠିକଣା ସମୟରେ ସଭାରେ ପହଂଚିବା କେବଳ ନୁହେଁ ତାଙ୍କର ଦୈନନ୍ଦିନ ଜୀବନଶୈଳୀରେ ମଧ୍ୟ ସେ ତାକୁ ଆପଣାଇଥିଲେ । ଯେପରିକି ଦିନ ୧୨ଟା ପୂର୍ବରୁ ସେ ମଧ୍ୟାହ୍ନ ଭୋଜନ କରୁଥିଲେ । ଦିନ ୧୨ଟା ଟପିଗଲେ ସେ ଉପବାସ ରହୁଥିଲେ । ଆଜିର ଯୁବପିଢି ତାଙ୍କର ଜୀବନ ଇତିହାସ ପଢିବାକୁ ସେ ଆହ୍ୱାନ ଦେଇଥିଲେ ।

ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ତାଙ୍କୁ ଜାତିର ଜନକ ବାପୁଜୀଙ୍କର ସଚ୍ଚା ଶିଷ୍ୟ ବୋଲି କହିଥିଲେ । ଜୀବଦଶାରେ ସେ କେବେ ଡାକ୍ତରଖାନା ଯାଇନଥିଲେ କି ଏଲୋପାଥିକ ଔଷଧ ଖାଉନଥିଲେ, କିନ୍ତୁ ୯୪ ବର୍ଷ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ଅନ୍ୟତମ ଅତିଥି ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଦୋଳଗୋବିନ୍ଦ ବାବୁ ନିର୍ଲୋଭୀ ମଣିଷ ଥିଲେ । ସୁନ୍ଦରପଦା ଜମିଦାରଙ୍କର ସେ ଜ୍ୱାଇଁ କିନ୍ତୁ ଶ୍ୱଶୁର ଭୁବନେଶ୍ୱର ଉପକଣ୍ଠରେ ୫୦ ଏକର ଜମି ଜ୍ୱାଇଁଙ୍କୁ ଦେବାକୁ ଚାହିଁଲେ । ସ୍ୱର୍ଗତ ପ୍ରଧାନ ରୋକଠୋକ ମନା କରିଦେଇଥିଲେ ।

ସୁବାର୍ତାର କାର୍ଯ୍ୟନିର୍ବାହୀ କ୍ରାନ୍ତିକୁମାର ସାକ୍ସେନା ସ୍ମୃତିବନର ଇତିହାସ କହିବା ସହ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟର କୋଷାଧ୍ୟକ୍ଷ ପ୍ରଜ୍ଞାରାଜ ପ୍ରଧାନ ପରିଚାଳନା କରିଥିଲେ । ଏହି ଅବସରରେ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ଶାନ୍ତିଯଜ୍ଞ ଓ ବିଶ୍ୱପ୍ରେମୀ ଶ୍ରୀମଦ୍ ବାବା ବଳିଆଙ୍କ ନୂଆଗଡ଼ ଆଶ୍ରମଠାରେ ବ୍ରହ୍ମଚାରୀ ମାନଙ୍କ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆଶ୍ରମର ଅଧିଷ୍ଠାତା ବାବା ପ୍ରଣବାନନ୍ଦ ଦାସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୃଥ୍ୱୀରାଜ ଜେନା, ମନୋଜ ପ୍ରଧାନ, ଜିିତେନ୍ଦ୍ର ମହାନ୍ତି ଓ କୌସ୍ତୁଭ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *