ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଯାଜପୁରରେ  ନୂତନ ସିଟି-ସ୍କାନ ମେସିନ୍ ଓ ମେଡିସିନ୍ ଓପିଡି ଉଦଘାଟିତ

ଯାଜପୁର,୧୨/୦୯/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ମହାରାଜା ଯଯାତି କେଶରୀ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ (MJKMCH) ପରିସରରେ ୫୦୦ ଶଯ୍ୟା ବିଶିଷ୍ଟ ନୂତନ ଶିକ୍ଷାଦାନ ହସ୍ପିଟାଲରେ ଆଧୁନିକ ସିଟି-ସ୍କାନ ମେସିନ୍ ଏବଂ ନୂତନ ମେଡିସିନ୍ ଓପିଡି ଯାଜପୁର ଲୋକସଭା ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି।

  ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ  “ଜିଲ୍ଲାବାସୀଙ୍କୁ ଉଚ୍ଚ ସ୍ତରର ସ୍ୱାସ୍ଥ୍ୟ ସେବା ଯୋଗାଇବା ଆମର ପ୍ରଥମ କର୍ତ୍ତବ୍ୟ। ମହାରାଜା ଯଯାତି କେଶରୀ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ ଆଜି କେବଳ ଗୋଟିଏ ଶିକ୍ଷାଦାନ କେନ୍ଦ୍ର ନୁହେଁ, ବରଂ ଯାଜପୁର ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ନୂତନ ଦିଗନ୍ତ। ସିଟି-ସ୍କାନ ମେସିନ୍ ସୁବିଧା ଯାଜପୁର ଜିଲ୍ଲା ପାଇଁ ଏକ ବିଶେଷ ଉପଲବ୍ଧି। ଯାହାକି ୨ ଘଣ୍ଟା ମଧ୍ୟରେ ଏମର୍ଜେନ୍ସି ପାଇଁ ଓ ୬ ଘଣ୍ଟା ମଧ୍ୟରେ ନନ୍ ଏମର୍ଜେନ୍ସି ପାଇଁ ଚିକିତ୍ସା ଯୋଗାଇ ଦିଆଯିବ । ପୂର୍ବରୁ ଏପରି ପରୀକ୍ଷା ପାଇଁ ରୋଗୀମାନଙ୍କୁ ଦୂରକୁ ଯିବାକୁ ପଡ଼ୁଥିଲା, କିନ୍ତୁ ବର୍ତ୍ତମାନ ଏହା ସ୍ୱୟଂ ଯାଜପୁରରେ ଉପଲବ୍ଧ ହେବ। ମେଡିସିନ୍ ଓପିଡି ଆରମ୍ଭ ହେବାରୁ ସାଧାରଣ ଲୋକମାନଙ୍କୁ ସୁବିଧାଜନକ ଓ ସମୟୋପଯୋଗୀ ଚିକିତ୍ସା ମିଳିବ।

ଏହା କେବଳ ଯାଜପୁରର ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ।” ଏହି ଉତ୍ସବରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଉପସ୍ଥିତ ରହି କହିଲେ “ଆଜିର ଏହି ଦିନଟି ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଦିନ। ଓଡ଼ିଶା ସରକାରଙ୍କ ସହଯୋଗରେ ଏହି ପ୍ରକଳ୍ପ ସଫଳ ହୋଇପାରିଛି। ସିଟି-ସ୍କାନ ମେସିନ୍ ସୁବିଧା,ମେଡିସିନ୍ ଓପିଡି ଆରମ୍ଭ ହେବାରୁ ସାଧାରଣ ଲୋକମାନଙ୍କୁ ସୁବିଧାଜନକ ଚିକିତ୍ସା, ସମୟୋପଯୋଗୀ ପରାମର୍ଶ ଏବଂ ତୁରନ୍ତ ସେବା ମିଳିବ। ଏହା ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଗକୁ ନେବାରେ ଏକ ବଡ଼ ପଦକ୍ଷେପ।ଏହି ଅବସରରେ ଯୋଗଦେଇ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ୍, ଯାଜପୁରର ଡିନ୍ ତଥା ପ୍ରିନ୍ସିପାଲ୍ କହିଲେ ଆଜିର ୫୦୦ ବେଡ୍ ର ନୂଆ ଟିଚିଂ ହସ୍ପିଟାଲ ରେ ଓପିଡି, ଚର୍ମ ବିଭାଗ, ମାନସିକ ରୋଗ ସମ୍ବନ୍ଧୀୟ ବିଭାଗ ଚିକିତ୍ସା ଯୋଗାଇଦେବା ସହିତ ଓ ଆଜି ମେଡ଼ିସିନ ବିଭାଗ ଚିକିତ୍ସା ଯୋଗାଇ ଦେବା ମଧ୍ୟ ଆରମ୍ଭ ହୋଇଯାଇଛି ।

ପୂର୍ବରୁ ଆମ ଭାଇ-ଭଉଣୀ ମାନଙ୍କୁ  ସି.ଟି ସ୍କାନ ପାଇଁ ଭୁବନେଶ୍ୱର କିମ୍ବା କଟକ ଯିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ, ଯାଜପୁରର ଲୋକଙ୍କ ପାଇଁ ସେଇ ସୁବିଧା  ଘର ପାଖରେ ରେ ମିଳିବ।  ଏମର୍ଜେନ୍ସି କ୍ଷେତ୍ରରେ ୨ ଘଣ୍ଟାରେ ଏବଂ ନନ୍ ଏମର୍ଜେନ୍ସି କ୍ଷେତ୍ରରେ ୬ ଘଣ୍ଟାରେ ରିପୋର୍ଟ  ଯୋଗାଇ ଦିଆଯାଉଛି । ଏହି ସୁବିଧା ମାଗଣାରେ ଉପଲବ୍ଧ ହେବ।ପ୍ରତିଦିନ ଚର୍ମରୋଗ ଚିକିତ୍ସା ନିମନ୍ତେ ହାରାହାରି  ୨୫୦ ରୁ ୩୦୦ ରୋଗୀ, ମାନସିକ ରୋଗ ଚିକିତ୍ସା ନିମନ୍ତେ ପ୍ରତିଦିନ ହାରାହାରି ୭୦ ରୁ ୧୦୦ ରୋଗୀ ଏବଂ ଆଜି ମେଡ଼ିସିନ ସମ୍ବନ୍ଧୀୟ ଚିକିତ୍ସା ଆରମ୍ଭ ହେବା ଦିନରେ ହିଁ ୧୬୦ ଜଣ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସିଛନ୍ତି ।

ଆଗକୁ ଓପିଡି/ୱାର୍ଡ/ଆଇ.ସି.ୟୁ/କାଜୁଆଲ୍ଟି/ଓଟି ଇତ୍ୟାଦିକୁ ପର୍ଯ୍ୟାୟକ୍ରମେ ନିରନ୍ତର ଭାବରେ କାର୍ଯ୍ୟକ୍ଷମ କରାଯିବ ଯାହାଦ୍ବାରା ଯାଜପୁର ଜିଲ୍ଲା ସହିତ ପଡୋଶୀ ଜିଲ୍ଲା ମଧ୍ୟ ସୁବିଧାରେ ଚିକିତ୍ସା ପାଇପାରିବେ । ଆଗାମୀ ଦିନରେ ଆମେ ଏହି ମେଡିକାଲ୍ କଲେଜକୁ ରାଜ୍ୟର ସର୍ବଶ୍ରେଷ୍ଠ ମଧ୍ୟରେ ଗଣନୀୟ କରିବାକୁ ସଙ୍କଳ୍ପିତ। ଏହା ଦ୍ୱାରା ସାଧାରଣ ଜନତା ଙ୍କୁ ସ୍ୱାସ୍ଥ୍ୟ ସେବାରେ ବହୁତ ବଡ଼ ଉନ୍ନତି ମିଳିବ।”

ଏହି ଶୁଭ ଉଦ୍ଘାଟନ ଅବସରରେ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ର ସୁପରିଟେଣ୍ଡେଣ୍ଟ ଡା. ମନୋରମା ସ୍ବାଇଁ, ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ର ପ୍ରଫେସର, ଚିକିତ୍ସକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଜୟ କୁମାର ମିଶ୍ର, ଡାକ୍ତରୀ ଛାତ୍ର ଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *