ଭୁବନେଶ୍ୱର,୧୨/୦୯/୨୦୨୫ (ଓଡ଼ିଶା ସମାଚାର)- ଓଡିଶାକୁ ଅକ୍ଟୋବର ମାସ ପାଇଁ ଲା-ନିନା ବିପଦ । ବିଶ୍ୱ ପାଣି ପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲା-ନିନାର ସକ୍ରିୟତା ଚିନ୍ତା ବଢାଇଛି । ପୂର୍ବରୁ ଲା-ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ ବାତ୍ୟା ହୋଇଥିବା ନଜିର ରହିଛି । ଚଳିତବର୍ଷ ମଧ୍ୟ ଲା-ନିନା ପ୍ରଭାବ ରହିପାରେ ।
ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରକ୍ରିୟା ଲା-ନିନା ପରିସ୍ଥିତି ସଂଗଠିତ ହେଲେ ତାହା ବେଙ୍ଗାପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ତୀବ୍ରତାକୁ ବୃଦ୍ଧି କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ । ଉଚ୍ଚ ସାମୁଦ୍ରିକ ପୃଷ୍ଠ ତାପମାତ୍ରାର ଉପସ୍ଥିତି ଯୋଗୁଁ ପଶ୍ଚିମ ପ୍ରଶାନ୍ତ ମହାସାଗର ତଥା ଚୀନ ସାଗର ଅଂଚଳରେ ସୃଷ୍ଟି ବାତ୍ୟାଗୁଡିକର ଅବଶିଷ୍ଟ ଅଂଶ ବେଙ୍ଗାପସାଗରରେ ପ୍ରବେଶ କରେ । ମୌସୁମୀ ପରବର୍ତୀ ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ ।
