କେନ୍ଦ୍ରାପଡ଼ା, ୧୧/୦୯/୨୦୨୫(ଓଡ଼ିଶା ସମାଚାର)- ରକ୍ତପାତ ଓ ଯୁଦ୍ଧ ବିଭୀଷିକାର ବାରୁଦ ଗଦା ଉପରେ ଠିଆ ହୋଇଥିବା ସମଗ୍ର ବିଶ୍ୱ ଏବେ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାର ବିଚାରକୁ ଆଦର କରୁଥିବା ବେଳେ ଏବଂ ବିଶ୍ୱର ବିଭିନ୍ନ ଦେଶରେ ଗାନ୍ଧିଜୀଙ୍କ ପ୍ରତିମୂର୍ତି ସ୍ଥାପିତ ହେଉଥିବା ବେଳେ ଆମ ଦେଶରେ ଗାନ୍ଧିଜୀଙ୍କ ପ୍ରତିମୂର୍ତିକୁ ଖଣ୍ଡ ବିଖଣ୍ଡିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ଏପରି ଘଟଣାର ପୁନରାବୃତି ନ ଘଟିବା ପାଇଁ ସମ୍ପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବା ସହ କଠୋର ଦଣ୍ଡ ବିଧାନ କରିବା ନିମନ୍ତେ ଦାବି କରାଯାଇଛି ।
ଦେଶରେ ସର୍ବୋଦୟ ଆନ୍ଦୋଳନର ଉଦ୍ଗାତା ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୧ ତମ ଜୟନ୍ତୀ ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଜିଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନୀଳିକଣା ବିଦ୍ୟାଳୟ ପରିସରରେ ଅବସ୍ଥାପିତ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ଭଙ୍ଗା ଘଟଣା ପ୍ରତିବାଦରେ କେନ୍ଦ୍ରାପଡ଼ା ପୁରୁଣା ବସ୍ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତି ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଦାବି କରିଛନ୍ତି ।
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଜିଲା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱ ଓ ସମ୍ପାଦକ ଆଦିକନ୍ଦ ରାଉଳଙ୍କ ପରିଚାଳନାରେ ଆୟୋଜିତ ଏହି ପ୍ରତିବାଦ ସଭାରେ ବିଧାୟକ ଗଣେଶ୍ୱର ବେହେରା, ଉତ୍କଳ ସର୍ବୋଦୟ ମଣ୍ଡଳ ଜିଲା ସଭାପତି ଅକ୍ରୁର ପଲାଇ, ରାଜ୍ୟ କମିଟି ସଭ୍ୟ ମହେନ୍ଦ୍ର ପଟ୍ଟନାୟକ, ଡ. ବାସୁଦେବ ଦାସ, ଅଧ୍ୟାପକ ଅଜୟ ସାମଲ, ରମଣୀରଞ୍ଜନ ରାଉତରାୟ, ଫକୀର ଚରଣ ଖଟୁଆ, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ଗୟାଧର ଧଳ, ମୁକ୍ତାର ଖାଁ, ଡ. ଚୈତନ୍ୟ ଚରଣ ପରିଡା, ଆଇନଜୀବୀ ବିଜୟ ପରିଡା, ସଞ୍ଜୟ ଜେନା, ରବୀନ୍ଦ୍ର ପ୍ରସାଦ ଜେନା, ବୈଷ୍ଣବ ସ୍ୱାଇଁ, ନୃସିଂହ ତ୍ରିପାଠୀ, ଅମରେନ୍ଦ୍ର ଦାସ, ଧୀରେନ୍ ବେହେରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବକ୍ତବ୍ୟ ପ୍ରଦାନ କରି ଅପରାଧୀଙ୍କୁ କଠୋର ଦଣ୍ଡ ବିଧାନ ସହ ପ୍ରତିମୂର୍ତିର ପୁନଃସ୍ଥାପନ ପାଇଁ ଦାବି କରିଥିଲେ ।
