ପୁରୀ, ୨୬/୧୨/୨୦୨୪ (ଓଡ଼ିଶା ସମାଚାର)- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ସୁଶାସନର ମୂର୍ତ୍ତୀମନ୍ତ ପ୍ରତୀକ ଥିଲେ। ସାଧାରଣ ଲୋକଙ୍କୁ ସାମାଜିକ ନ୍ୟାୟ ଓ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବୁଧବାର ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ପୁରୀ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉପରୋକ୍ତ ମତ ଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ ବହୁବିଧ ପ୍ରତିଭାର ଅଧିକାରୀ ବାଜପେୟୀ ରାଷ୍ଟ୍ରନୀତିଜ୍ଞ,ଧର୍ଯ୍ୟ ଓ ସହନଶୀଳତାର ପ୍ରତୀକ ଥିଲେ । ଗଣତନ୍ତ୍ରର ଶାସନ ବ୍ୟବସ୍ଥାକୁ ସେ ମଜବୁତ କରିଥିଲେ। ପ୍ରଧାନମନ୍ତ୍ରୀ ସଡକ ଯୋଜନା, ମିଶନ ଶକ୍ତି ଗଠନ,ଦେଶ ସୁରକ୍ଷା ପାଇଁ ପୋଖରାନ ବିସ୍ଫୋରଣ ଆଦି ଥିଲା ତାଙ୍କର ସବୁଠାରୁ ବଡ ଉପଲବ୍ଧି । ଅଟଳଜୀ ଓଡିଶାକୁ ବହୁତ ଭଲ ପାଉଥିଲେ।ସେଥିପାଇଁ ଓଡିଶାରେ ଦ୍ୱିତୀୟ ଏମସ୍ ହିଁ କରିବା ସହ ପାରାଦୀପରେ ଅଏଲ ରିଫାଇନାରୀ, ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ଆଦି କରିଥିଲେ । ତାଙ୍କ ଜନ୍ମ ଦିନରେ ସୁଶାସନ ଦିବସ ପାଳନ ତାଙ୍କ ପ୍ରତି ଏକ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଯୋଗଦେଇ ବାଜପେୟୀଙ୍କୁ ଜଣେ ସଚ୍ଚା ଦେଶଭକ୍ତ ଓ ଦୂରଦ୍ରଷ୍ଟା ବୋଲି ଉଲ୍ଲେଖକରି ବିଭିନ୍ନ ଉଦାହରଣ ଛଳରେ ତାଙ୍କ ସରଳ, ନିରାଡମ୍ବର ଓ ପ୍ରତିବଦ୍ଧତା ପୂର୍ଣ୍ଣ ଜୀବନ ଶୈଳୀ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବ ବୋଲି କହିଥିଲେ। ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେବଳ ନାମରେ ନୁହେଁ ବ୍ୟକ୍ତିତ୍ବ,ସଂକଳ୍ପ, ଦେଶପ୍ରେମ ଓ କାମରେ ମଧ୍ୟ ବାଜପେୟୀ ଜୀ ଅଟଳ ଥିଲେ ବୋଲି କହିଥିଲେ । ଭାରତ ବିଶ୍ବ ଗୁରୁ ହୋଇ ପାରିବ ବୋଲି ଯେଉଁ ସ୍ବପ୍ନ ସେ ଦେଖିଥିଲେ ତାହା ଆଜି ପୂରଣ ହୋଇଛି ବୋଲି ସେମାନେ କହିଥିଲେ।
ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନ ଙ୍କ ମଧ୍ୟରେ ଏସ ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ )କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଓ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସ୍ବାଗତ ଭାଷଣ ଦେବା ସହିତ ସଭା ପରିଚାଳନା କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସିଦ୍ଧ ମହାବୀର ସଙ୍ଗୀତ ପରିଷଦ ପକ୍ଷରୁ ବାଜପେୟୀଙ୍କ ଲିଖିତ କବିତା “ଆଧାର ରେ ସ୍ବାଗତ ସଙ୍ଗି” ପରିବେଷଣ କରିଥିଲେ। ଶେଷରେ ନାଚଘର ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଜପେୟୀଙ୍କ ଲିଖିତ କବିତା, ଦେଶାତ୍ମବୋଧକ ଓ ଆଧ୍ୟାତ୍ମିକ କବିତା ପଠନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି,ବୁଦ୍ଧିଜୀବୀ, ଶିକ୍ଷାବିତ,ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ବହୁ ସାଧାରଣ ଲୋକ ଉପସ୍ଥିତଥିଲେ।
ବାଜପେୟୀ ଥିଲେ ସୁଶାସନର ମୂର୍ତ୍ତୀମନ୍ତ ପ୍ରତୀକ – ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା
