ସରପଞ୍ଚ ସାଜିଲେ ସଫଳ ଚାଷୀ : ବଜାରରେ ପାଉଲଙ୍କ କୋବିର ଚାହିଦା ଅଧିକା ରହିଛି

ବାଲିଗୁଡା,୨୯/୧୧/୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଅନେକ ସମୟରେ ଅତି ଭଲ ପନିପରିବା ଚାଷ ହୋଇଥାଏ। ଜିଲାର ଦାରିଙ୍ଗବାଡିରେ ବନ୍ଧା ଓ ଫୁଲ କୋବି ସହ ବିନ୍‌, ଟମାଟୋ, କଞ୍ଚାଲଙ୍କା, ଦେଶୀଆଳୁ ଆଦି ବହୁଳ ପରିମାଣରେ ଚାଷ କରାଯାଇଥାଏ। ହେଲେ ଅନେକ ସମୟରେ ଏହି ଚାଷ କରିବାକୁ ଇଚ୍ଛା ରଖିଥିବା ଚାଷୀ ପାଣିର ଅଭାବ ହେଲେ ଚାଷ କରିବା ବାଧାପ୍ରାପ୍ତ ହୁଏ। ପାଣିର ଅଭାବ ସତ୍ତ୍ୱେ ଅନେକ ଚାଷୀ ପାଣି ଯୋଗାଡ଼ କରି ପନିପରିବା ଚାଷ କରି ଲାଭବାନ ହେବାସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି। ଏଭଳି ଅଞ୍ଚଳରେ ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଶିକ୍ଷିତ ଯୁବ ସରପଞ୍ଚ ସଫଳ ଚାଷୀ ଭାବେ ଅଞ୍ଚଳରେ ଯୁବ ପିଢ଼ିଙ୍କି ପାଇଁ ମଡେଲ ସାଜିଛନ୍ତି। ଉକ୍ତ ବ୍ଲକ ପ୍ଲିହେରି ପଞ୍ଚାୟତର ଯୁବ ସରପଞ୍ଚ ପାଉଲ ପ୍ରଧାନ ଅଞ୍ଚଳରେ ଲୋକଙ୍କୁ ସେବା ଯୋଗାଇବା ସହ ସମୟ ବାହାର କରି ଚାଷ କରନ୍ତି । ବିଶେଷ କରି ଧାନଚାଷ ସଫଳତାର ସହ କରିବା ସହିତ ସେ ପନିପରିବା ଚାଷକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି। ଚଳିତବର୍ଷ ସେ ୪ ଏକର ଜମିରେ ବନ୍ଧା ଓ ଫୁଲ କୋବି ଚାଷକରି ଏବେ ପ୍ରାୟ ୬୦ ହଜାର ଟଙ୍କାର ବିକ୍ରି କରିସାରିଛନ୍ତି ଆହୁରି ଲକ୍ଷାଧିକ ଟଙ୍କାର ଫସଲ ଉତ୍ପାଦନ ହେବ ବୋଲି ସେ ଆଶା କରିଛନ୍ତି। ତାଙ୍କ ଫସଲ ମଧ୍ୟ ଅତି ଉତ୍ତମ କିସମର ହୋଇଥିବାରୁ ବଜାରରେ ପାଉଲଙ୍କ କୋବିର ଚାହିଦା ଅଧିକା ରହିଛି ବୋଲି କହିଛନ୍ତି। ପାଉଲଙ୍କୁ ଚାଷ କାର୍ଯ୍ୟରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ଏମିତି କି ନବମ ଶ୍ରେଣୀରେ ପାଠପଢୁ ଥିବା ପାଉଲଙ୍କ ଏକ ମାତ୍ର ପୁଅ  ମଧ୍ୟ ପାଉଲଙ୍କୁ କ୍ଷେତ କାର୍ଯ୍ୟରେ ସହଯୋଗ କରୁଥିବା କହିଛନ୍ତି। ଏଥିସହ ପାଉଲ ଉଦ୍ୟାନ ବିଭାଗର ସହଯୋଗରେ ଗୋଟିଏ ଏକର ଜମିରେ ଷ୍ଟ୍ରବେରି ଚାଷ କରିବା ସହ ଆଉ କିଛି ଜମିରେ ବାଇଗଣ, ଟମାଟୋ ଆଦି ଚାଷ ସଫଳତାର ସହ କରୁଛନ୍ତି। ପାଉଲ ଯୁକ୍ତ ଦୁଇ ପାସ କରିବା ପରେ ଘରର ପରିସ୍ଥିତି ଆଗକୁ ପାଠ ପଢ଼ାରେ ଡୋରି ଲାଗିଲା ଓ ପରବର୍ତ୍ତୀ ସମୟରେ ସେ ଘରେ କରାଯାଉଥିବା ପାରମ୍ପରିକ ଚାଷ କାର୍ଯ୍ୟ ଆରମ୍ଭ କରି ପରିବାର ଲୋକଙ୍କୁ ସହଯୋଗ କରିଥିଲେ। ଏବେ ଚାଷ କାର୍ଯ୍ୟକୁ ନିଜ ରୋଜଗାରରେ ପରିଣତ କରି ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ବେଶ୍‌ ପରିଚିତ ହୋଇଛନ୍ତି। ପାଉଲ ଜଣେ ଲୋକ ପ୍ରତିନିଧି ହୋଇ ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରି ସଫଳ ଚାଷୀ ହୋଇଛନ୍ତି ବୋଲି ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି ।

Leave a Reply

Your email address will not be published. Required fields are marked *