ଭବାନୀପାଟଣା, ୧୩/୦୧/୨୦୨୪ (ଓଡ଼ିଶା ସମାଚାର)- ଏକଦା ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଜିଲ୍ଲା ବର୍ତ୍ତମାନ କୃଷିକ୍ଷେତ୍ରରେ ମାଇଲ ଖୁଣ୍ଟ ସଦୃଶ୍ୟ ହୋଇଛି। କପା ଅମଳରେ ରାଜ୍ୟରେ ପ୍ରଥମ ସ୍ଥାନରେ ଥିବାବେଳେ ଧାନ ଅମଳରେ ବଳକା ଜିଲ୍ଲା ଭାବେ ପରିଗଣିତ ହୋଇପାରିଛି। ସେହିପରି ବିଭିନ୍ନ ଫଳ ଓ ପନିପରିବା ଉତ୍ପାଦନ ମଧ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବେଳେ ଜିଲ୍ଲାରେ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଚାଷୀ ବାରମ୍ବାର ଅଭାବୀ ବିକ୍ରିର ଶିକାର ହୋଇ ଉଦ୍ୟାନ କୃଷିରେ ବିମୁଖତା ପ୍ରକାଶ ପାଉଛି।ଉଦ୍ୟାନ କୃଷି ବିଭାଗ ଦ୍ଵାରା ପ୍ରସ୍ତାବିତ ପଞ୍ଚାୟତ ସ୍ତରୀୟ ଶୀତଳ ଭଣ୍ଡାର,ନିୟନ୍ତ୍ରିତ ବଜାର କମିଟି ଓ ବୃହତ ଶୀତଳ ଭଣ୍ଡାର ସରକାରଙ୍କ ନାଲି ଫିତା ତଳେ ଧୂଳି ଖାଉଥିବା ବେଳେ କଳାହାଣ୍ଡିଆ ଚାଷୀଙ୍କ ପାଇଁ ଲଲିପପ ଦେଖାଇବା ସଦୃଶ୍ୟ ହୋଇଥିବା ନେଇ ଉଦବେଗ ଦେଖାଦେଇଛି। ମିଳିଥିବା ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲାରେ ଗତ ଗୋଟାଏ ଦଶନ୍ଧି ମଧ୍ୟରେ ଉଦ୍ୟାନ କୃଷିର ବ୍ୟାପକ ରୂପେ ଅଭିବୃଦ୍ଧି ଘଟିଛି।ଋତୁ କାଳୀନ ଅନୁସାରେ କଳାହାଣ୍ଡି ରୁ ବ୍ୟାପକ ରୂପେ ଫଳ ଓ ବିଭିନ୍ନ ପନିପରିବା ଉତ୍ପାଦିତ ହେଉଛି।ନିଜସ୍ୱ ଉଦ୍ୟମରେ ଚାଷୀ ବର୍ଷକୁ ଫଳ ବିଶେଷରେ ୧୮୧୬୦.୨୬ ମେଟ୍ରିକ ଟନ କଦଳୀ,୨୯୦୦ ମେଟ୍ରିକ ଟନ ବରକୋଳି,୧୧୬୦୫.୭୫ ମେଟ୍ରିକ ଟନ ପିଜୁଳୀ,୧୬୩୯୦.୪୦ ମେଟ୍ରିକ ଟନ ପଣଷ,୧୩୩୨୪.୧୦ ମେଟ୍ରିକ ଟନ କାଗିଜି ଲେମ୍ଭୁ,୫୧୫୨୫.୭୫ ମେଟ୍ରିକ ଟନ ବିଭିନ୍ନ ପ୍ରଜାତିର ଆମ୍ବ,୨୫୪୧.୧୦ ମ୍ୟାଟ୍ରିକ ଟନ ଅମୃତଭଣ୍ଡା ସମେତ ଅନ୍ୟାନ୍ୟ ଫଳ ବିଶେଷରେ ୬୧୨୯.୬୦ ମେଟ୍ରିକ ଟନ ଉତ୍ପାଦିତ ହେଉଛି।ସେହିଭଳି ପନିପରିବା ବିଶେଷରେ ୧୩୪୧୦୩.୫୦ ମେଟ୍ରିକ ଟନ ବାଇଗଣ,୨୩୦୮୦ ମେଟ୍ରିକ ଟନ ବନ୍ଧାକୋବି,୧୦୮୫୨.୦୬ ମେଟ୍ରିକ ଟନ ଫୁଲକୋବି,୩୭୯୮୩ ମେଟ୍ରିକ ଟନ ପିଆଜ,୯୮୦୬୩ ମେଟ୍ରିକ ଟନ ଟମାଟୋ ସମେତ ଅନ୍ୟାନ୍ୟ ଶାଗ ଓ ପନିପରିବା ବ୍ୟାପକ ଭାବେ ଉତ୍ପାଦନ ହେଉଥିବା ସୂଚନା ମିଳିଛି।ଜିଲ୍ଲାରେ କିଛିଟା ପିଆଜ ଘର ନିର୍ମାଣ କରିବା ଛଡା ସରକାରଙ୍କ ପକ୍ଷରୁ ଚାଷୀଙ୍କ ସ୍ୱାର୍ଥରେ ଅନ୍ୟ କିଛି ବ୍ୟବସ୍ଥା ହୋଇନାହିଁ। ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବା ପାଇଁ ଶୀତଳ ଭଣ୍ଡାର ଓ ମଣ୍ଡି ବ୍ୟବସ୍ଥା ଆରମ୍ଭ କରିବାକୁ କଳାହାଣ୍ଡି ଜିଲ୍ଲାର ଚାଷୀ ମାନେ ଦୀର୍ଘ ଦିନରୁ ଦାବି କରି ଆସୁଥିବା ବେଳେ ପ୍ରସ୍ତାବିତ ୩୫ ଟି ପଞ୍ଚାୟତ ସ୍ତରୀୟ,ବୋର୍ଡ।,ଜୁନାଗଡ଼,କୋକସରା ଓ ଭବାନୀପାଟଣା ରେ ନିର୍ମାଣ ହେବାକୁ ଥିବା ୫୦୦ ମେଟ୍ରିକ ଟନ ବିଶିଷ୍ଟ ପିଆଜ ସଂରକ୍ଷିତ ଗୃହ ସମେତ ଭବାନୀପାଟଣା ଓ ଜୁନାଗଡ଼ ଆରଏମସିରେ ନିର୍ମାଣ ହେବାକୁ ଥିବା ସାମୁହିକ ଶୀତଳ ଭଣ୍ଡାର ସରକାରୀ ବ୍ୟବସ୍ଥାର ନାଲି ଫିତା ତଳେ ଧୂଳି ଖାଉଥିବା ଅଭିଯୋଗ ହେଉଛି।ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉ ନ ଥିବା ବେଳେ ଏପର୍ୟ୍ୟନ୍ତ ଭିତ୍ତିଭୂମି ନିର୍ମାଣ ପାଇଁ ଜାଗା ଚିହ୍ନଟ ନ ହେବା ଘଟଣା ଚାଷୀକୁଳଙ୍କୁ ମର୍ମାହତ କରିଛି।ଦିନ ପରେ ଦିନ ବର୍ଷପରେ ବର୍ଷ ଗଡି ଚାଲିଥିଲେ ମଧ୍ୟ ସରକାରଙ୍କ ଶୀତଳ ଭଣ୍ଡାର ପ୍ରକଳ୍ପ କେତୋଟି ପିଆଜ ଘର ନିର୍ମାଣ କରି ଜିଲ୍ଲା ବାସୀଙ୍କୁ ଲଳିପପ ଦେଖେଇ ଚାଲିଥିବା ନେଇ ଚର୍ଚ୍ଚା ହେଉଛି।ଏନେଇ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ କିଶୋର ମହାଲିଙ୍ଗଙ୍କୁ ପଚାରିବାରୁ ଏଦିଗରେ ଜିଲ୍ଲା ପ୍ରଶାସନ କାର୍ୟ୍ୟକରୁଛି ଓ ଯଥା ଶୀଘ୍ର ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ କାର୍ୟ୍ୟକାରୀ କରାଯିବ।ଏନେଇ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ଆରଏମସି ମାନଙ୍କୁ ସୂଚିତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।
ପ୍ରସ୍ତାବିତ ଶୀତଳ ଭଣ୍ଡାର କାର୍ୟ୍ୟକାରୀତାକୁ ନେଇ କଳାହାଣ୍ଡିବାସୀ ସନ୍ଦିହାନ
