ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୦୮/୦୯/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଶିକ୍ଷା ହିଁ ସମୃଦ୍ଧ ଭାରତର ମାନଦଣ୍ଡ ଅଟେ । ଶିକ୍ଷା ବ୍ୟକ୍ତିତ୍ୱର ପରିପ୍ରକାଶ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ରବିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ କାର୍ଯ୍ୟାଳୟ ଠାରେ ପରିଷଦର ୪୩ ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଏହା କହିଛନ୍ତି । ଏହାଛଡ଼ା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦୀର୍ଘ ୪୩ ବର୍ଷର ଯାତ୍ରା ଅତିକ୍ରମ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ନିରନ୍ତର ସହଭାଗୀ ହୋଇଥିବାରୁ ଏହାର କର୍ମକର୍ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।

ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିଙ୍କ ଦ୍ୱାରା ସ୍ମରଣିକା ‘ପ୍ରଜ୍ଞା’, ଏନଏସଏସ୍ ର ବାର୍ଷିକ ବିବରଣୀ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ପରେ ପରେ ଏସଜିଏଫଆଇ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ସଫଳ ହୋଇଥିବା କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପରିଷଦ କର୍ମଚାରୀଙ୍କ ଦ୍ୱାରା ସାମାଜିକ ନାଟକ “ଗୁରୁଦକ୍ଷିଣା” ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ, ବୋର୍ଡÿ ଅଫ ସେକେଣ୍ଡାରୀ ଏଜୁକେଶନରୁ ଶ୍ରୀକାନ୍ତ ତରାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ପରିଷଦର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଚିବ ଶୁଭ୍ରବାଳା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ପରିଷଦର କର୍ମକର୍ତା ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *