ଭୁବନେଶ୍ୱର, ୧୨/୦୧/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଅନେକ ସମୟରେ ଦେଖାଯାଏ ଡାକ୍ତରମାନେ ପ୍ରେସକ୍ରିପସନରେ କଣ ଲେଖନ୍ତି, ତାହା ରୋଗୀମାନେ ବୁଝିପାରନ୍ତି ନାହିଁ । ଡାକ୍ତର ରୋଗ ବିଷୟରେ କିମ୍ବା କଣ ମେଡିସିନ୍ ଲେଖିଲେ ତାହା କେବଳ ମେଡିସିନ୍ ଦୋକାନୀ ହିଁ ବୁଝନ୍ତି । ଯାହାକୁ ନେଇ ଗତ କିଛି ଦିନ ତଳେ ଓଡିଶା ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ଯାହାକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ନିର୍ଦ୍ଧେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଧେଶ ଡାକ୍ତରମାନଙ୍କୁ ମୁଖ୍ୟ ଶାସନ ସଚିବ ପୋଷ୍ଟମର୍ଟମ ରିପୋର୍ଟ ଓ ପ୍ରେସକ୍ରିପସନ୍ ରିପୋର୍ଟକୁ ସୁନ୍ଦର ଓ ସ୍ପଷ୍ଟ ଭାବେ ଲେଖିବାକୁ ନିର୍ଦେଶ ଦେଇଛନ୍ତି । ଡାକ୍ତରୀ ଚିଠା, ପିଏମ୍ ରିପୋର୍ଟ ପ୍ରାଞ୍ଜଳ ଭାବେ ଓ ସାଧାରଣ ଲୋକେ ବୁଝିପାରିବା ଭଳି ଲେଖିବାକୁ ନିର୍ଦ୍ଧେଶ ଦିଆଯାଇଛି । କ୍ୟାପିଟାଲ ଲେଟର, ଟାଇପ୍ କିମ୍ବା ଗୋଲ୍ ଗୋଲ୍ ଲେଖିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଲେଖା ଏମିତି ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ ବୋଲି ନିର୍ଦ୍ଧେଶନାମାରେ ଲେଖାଯାଇଛି । ଏହାକୁ ନେଇ ସମସ୍ତ ମେଡିକାଲ ସେଂଟର, ପ୍ରାଇଭେଟ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଧେଶ ଜାରି ହୋଇଛି । ସ୍ପଷ୍ଟ ଅକ୍ଷର କିମ୍ବା ସ୍ୱତନ୍ତ୍ର ପ୍ରକାର ଫର୍ମରେ ପ୍ରେସକ୍ରିପସନ,ମେଡିକୋ-ଲିଗାଲ ରିପୋର୍ଟ ଲେଖିବା ଲାଗି ନିର୍ଦ୍ଧେଶ ଦିଆଯାଇଛି । ଡାକ୍ତରଙ୍କ ହାତ ଲେଖା ପ୍ରେସ୍କ୍ରିପସନକୁ ନେଇ ଅନେକ ସମୟରେ ସଂଶୟ ରହୁଥିଲା । ପ୍ରେସ୍କ୍ରିପସନ୍, ଶବ ବ୍ୟବଚ୍ଛେଦ ଓ ଅନ୍ୟାନ୍ୟ ରିପୋର୍ଟଗୁଡ଼ିକ ସାଧାରଣ ଲୋକ କଣ ପ୍ରାଶାସନିକ ଅଧିକାରୀମାନଙ୍କୁ ବି ପଢ଼ିବାରେ ଅସୁବିଧା ହେଉଥିଲା । ଏଥିରେ ଉଦ୍ବେଗ ପ୍ରକାଶ କରିଥିଲେ ହାଇକୋର୍ଟ । ପ୍ରେସ୍କ୍ରିପସନ୍ ଓ ଅନ୍ୟାନ୍ୟ ରିପୋର୍ଟ ସ୍ପଷ୍ଟ ଅକ୍ଷରରେ ଲେଖିବାକୁ ରାଜ୍ୟରେ କାର୍ୟ୍ୟରତ ଡାକ୍ତରଙ୍କୁ ନିର୍ଦ୍ଧେଶ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ପରାମର୍ଶ ଦେଇଥିଲେ ।