ସ୍ଵତନ୍ତ୍ର ରାଜ୍ୟ ସ୍ତରୀୟ ଟିମଙ୍କୁ ଡାଇରିଆ ପ୍ରଭାବିତ ଅଂଚଳକୁ ପ୍ରେରଣ

ଭୁବନେଶ୍ୱର,୧୭/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର କେତେକ ସ୍ଥାନରେ ଦେଖା ଦେଇଥିବା ବର୍ଷାଦିନିଆ ଜଳ ବାହିତ ଡାଇରିଆ ରୋଗର ସ୍ଥିତିରେ ସୁଧାର ଆସୁଥିବା ବେଳେ ଏହାର ନିରାକରଣ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ରାଜ୍ୟ ସରକାର ମିଳିତ ଉଦ୍ୟମ ଜାରି ରଖିଛନ୍ତି । ଇତି ମଧ୍ୟରେ ପ୍ରଭାବିତ ଅଞ୍ଚଳକୁ ଅଧିକ ଡାକ୍ତର ଚିକିତ୍ସା ସହାୟକ, ଔଷଧ ପତ୍ର ଏବଂ ସଚେତନତା ସୁଚନାପତ୍ର ଆଦି ପଠାଯାଇଥିବା ବେଳେ କ୍ଷେତ୍ର ସ୍ତରୀୟ ସଚେତନତା କାର୍ଯ୍ୟକ୍ରମକୁ ସଘନ କରାଯାଇଛି ।

 ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ଵତୀ ଏସଙ୍କ ନିର୍ଦ୍ଦେଶ କ୍ରମେ ୪ ଟି ରାଜ୍ୟ ସ୍ତରୀୟ ଟିମଙ୍କୁ କ୍ଷେତ୍ର ସ୍ତରୀୟ କାର୍ଯ୍ୟାୟନ ଦେଖିବା ପାଇଁ ପଠା ଯାଇଛି ।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ ଓ ପରାମର୍ଶଦାତାମାନଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି ।

 ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପାଇକ ରାୟ, ପରାମର୍ଶ ଦାତା ଡାକ୍ତର କଲ୍ଲୋଳ ଦାସ, ଆଇ.ଆର.ଟି ସଦସ୍ୟ ସୁରଜିତ ଗରାବଡୁ, ଡାକ୍ତର ଅସିତ୍ କୁମାର ମହାନ୍ତି, ଡାକ୍ତର ପ୍ରଭାକର ସାହୁ ଏବଂ ପରାମର୍ଶ ଦାତା ଶ୍ରୀ ଅନୁପ ପ୍ରମୁଖ ଏହି ଟିମମାନଙ୍କର ସଦସ୍ୟ ଅଛନ୍ତି । ଏମାନେ ଭୁବନ, ବାଙ୍କୀ, ଧର୍ମଶାଳା, ବଡ଼ଚଣା ଓ ଭଣ୍ଡାରପୋଖରୀ ଆଦି ଅଞ୍ଚଳ ଗସ୍ତ କରି କ୍ଷେତ୍ର ସ୍ତରୀୟ ଡାଇରିଆ ନିରାକରଣ  କର୍ଯ୍ୟାୟନର ନିରୀକ୍ଷଣ ପୂର୍ବକ କ୍ଷେତ୍ରସ୍ତରରେ କାର୍ଯ୍ୟରତ ବିଭିନ୍ନ ବିଭାଗୀୟ ଟିମମାନଙ୍କ ମଧ୍ୟରେ ସମନ୍ୱୟକୁ  ଦୃଢିଭୁତ କରିବେ । ଜଳ ଉତ୍ସ ମାନଙ୍କର ବିଶୋଧନ, ଘରକୁ ଘର ଅଭିଯାନ, ଡାଇରିଆ ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ ଓ ପ୍ରାଥମିକ ଚିକିତ୍ସା,  ଘରକୁ ଘର ଔଷଧ ଓ ହଲୋଜେନ୍ ବଟିକା  ବଣ୍ଟନ,  ଜନ  ସଚେତନତା  କାର୍ଯ୍ୟକ୍ରମ  ଆଦିର  ନିରୀକ୍ଷଣ  କରି ସେ  ସବୁକୁ ଅଧିକ  ଲକ୍ଷ୍ୟଭେଦୀ  କରିବା  ପାଇଁ ଟିମମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ସହାୟତା ଦେବେ ।

-0-

ଉମାକାନ୍ତ ମହାପାତ୍ର,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *