ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଜିଲା ସାଂଗଠନିକ ସଭା ଓ କର୍ମକର୍ତା ନିର୍ବାଚନ

କେନ୍ଦ୍ରାପଡ଼ା, ୧୭/୧୨/୨୦୨୩ (ଓଡ଼ିଶା ସମାଚାର)-  ଗାନ୍ଧିଜୀ କେବଳ ଜଣେ ବ୍ୟକ୍ତି ନଥିଲେ । ସେ ଥିଲେ ଗୋଟିଏ ବିଚାରର ପ୍ରତିନିଧି ଏବଂ ତାଙ୍କର ଜୀବନ ହିଁ ଥିଲା ତାଙ୍କ ବିଚାରର ପ୍ରତିଛବି । ଯେଉଁଥି ପାଇଁ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱ ତାଙ୍କୁ ବିଶ୍ୱ ମାନବର ସମ୍ମାନ ଦେଉଥିବା ବେଳେ ଭାରତବର୍ଷ ତାଙ୍କ ପାଇଁ ଗର୍ବ ଅନୁଭବ କରିଥାଏ । ମାତ୍ର ଧର୍ମାନ୍ଧମାନଙ୍କ ଦ୍ୱାରା ତାଙ୍କୁ ହତ୍ୟା କରାଯିବା ଦିନଠୁଁ ଆଜିଯାଏ ତାଙ୍କ ବିଚାରକୁ ହତ୍ୟା କରିବା ପାଇଁ ସମସ୍ତ ଷଡଯନ୍ତ୍ର ସତ୍ୱେ ସେ ଓ ତାଙ୍କର ବିଚାର ଦିନକୁ ଦିନ ଅଧିକରୁ ଅଧିକ ଉଜ୍ଜ୍ୱଳି ଉଠିବା ଗାନ୍ଧି ବିଚାରର ଶ୍ରେଷ୍ଠତାକୁ ପ୍ରତିପାଦନ କରେ ବୋଲି ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଜିଲା ସାଂଗଠନିକ ସଭାରେ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି । ସଂଗଠନର ଜିଲା ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ଏହି ସାଂଗଠନିକ ସଭାରେ ସଂଗଠନର କେନ୍ଦ୍ରୀୟ ନିୟାମକ ମଣ୍ଡଳୀ ସଭ୍ୟ ଡଃ. ବିଶ୍ୱଜିତ ରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗାନ୍ଧି ବିଚାରର ପ୍ରଚାର ପ୍ରସାରରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସମିତି ସଭ୍ୟ ମାନସ ପଟ୍ଟନାୟକ ସଂଗଠନର ଆଭିମୂଖ୍ୟ ସ୍ପଷ୍ଟ କରିଥିବା ବେଳେ ସର୍ବୋଦୟ ସମିତିର ଜିଲା ସମ୍ପାଦକ ପଦ୍ମନାଭ ଦାସ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଜୟ ସାମଲ, ଡଃ. ବାସୁଦେବ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନା ପରେ ଜଷ୍ଟିସ ମହାନ୍ତିଙ୍କ ଜିଲା କମିଟି ପାଇଁ ଅନୁଷ୍ଠିତ ନିର୍ବାଚନରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ସଭାପତି, ଆଦିକନ୍ଦ ରାଉଳ ସମ୍ପାଦକ, ଭାଗୀରଥି ଜେନା ଉପସଭାପତି, ନିର୍ମଳ ଜେନା ସହ ସମ୍ପାଦକ ଓ ମୁକ୍ତାର ଖାଁଙ୍କୁ କୋଷାଧ୍ୟକ୍ଷ ସହ ଏକ ୧୧ଜଣିଆ ଜିଲା କମିଟିକୁ ସର୍ବସମ୍ମତ କ୍ରମେ ନିର୍ବାଚିତ କରାଯାଇଥିଲା । ଶେଷରେ ଅମର ପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ରମଣିରଞ୍ଜନ ରାଉତରାୟ, ଗୟାଧର ଧଳ, ଆଶିଷ ସେନାପତି, ଅବଧୂତ ରାଉତ, କୁଳମଣୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *