ଭୁବନେଶ୍ୱର,୦୩/୦୯/୨୦୨୫ (ଓଡ଼ିଶା ସମାଚାର)- କମଳା ନେହେରୁ ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗ ତରଫରୁ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ସେମିନାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । 
ବିଜ୍ଞାନ ବିଭାଗର ମୁଖ୍ୟ ମଧୁସ୍ମିତା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟରତ ଶ୍ରୀଯୁକ୍ତ ହୃଦାନନ୍ଦ ପୃଷ୍ଟି ବକ୍ତା ଭାବେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ସଂଜ୍ଞା, କାରଣ ଓ ନିରାକାରଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ମାନସିକ ସ୍ୱାସ୍ଥ୍ୟ ଆମର ଭାବନା, ଚିନ୍ତନ ଓ ସାମାଜିକ ସୁସ୍ଥତାକୁ ଅନ୍ତର୍ଭୁକ୍ତ କରେ । ଆମେ ଯେପରି ଭାବୁ, ଅନୁଭବ କରୁ ଏବଂ କାର୍ଯ୍ୟକରୁ, ସେଭଳି ଭାବରେ ଏହା ଆମ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ ।
ଅନ୍ୟତମ ବକ୍ତା ଭାବେ ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲି ଯୋଗଦେଇ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ କିଭଳି ଭାବେ ମାନସିକ ଚାପକୁ ନିୟନ୍ତ୍ରଣ କରାଯିବା ସହିତ ମାନସିକ ଓ ଶାରିରୀକ ସୁସ୍ଥତା କିଭଳି ଭାବେ ଆମ ଦୈନନ୍ଦିନ ଜୀବନରେ ଗୁରୁତ୍ୱ ବହନ କରିଥାଏ, ତା’ ଉପରେ ଆଲୋକପାତ କରିଥିଲେ । ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ଓ ସଚେତନତା ବଢ଼ାଇବା ସହ ଏହାସହିତ ସାମାଜିକ ଅପବାଦ ବିଲୋପ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ବୋଲି ଶ୍ରୀମତୀ ଦାସ ମତବ୍ୟକ୍ତ କରିଥିଲେ ।
