ପରିଣତ ବୟସରେ ବର୍ଦ୍ଧିତ ଭତା ପ୍ରଦାନ ବରଦାନ ସଦୃଶ- ଉଚ୍ଚଶିକ୍ଷା ମନ୍ତ୍ରୀ

କେନ୍ଦ୍ରାପଡ଼ା, ୧୫/୦୧/୨୦୨୫ (ଓଡ଼ିଶା ସମାଚାର)- ଜିଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଜନସେବା ଦିବସ ଭାବେ ପାଳିତ ବର୍ଦ୍ଧିତ ଭତା ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉଚ୍ଚଶିକ୍ଷା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ସରକାର ତାଙ୍କ ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରି ୮୦ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧବୃଦ୍ଧା ଓ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ୱ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ମାସିକ ଭତା ୩ହଜାର୫ଶହ ଟଙ୍କା ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ନିଜ ଭାଷଣରେ କହିଥିଲେ । ପରିଣତ ବୟସରେ ବର୍ଦ୍ଧିତ ଭତା ପ୍ରଦାନ ବରଦାନ ସଦୃଶ । ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ଭିନ୍ନକ୍ଷମ ମାନଙ୍କ ଭତା ବୃଦ୍ଧି ପାଇଁ ସରକାର ବିଚାର କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସାଂସଦଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ପଣ୍ଡା, ମହାକାଳପଡା ବିଧାୟକ ଡ. ଦୂର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା, କେନ୍ଦ୍ରାପଡାର ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଜିଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲୀ ପ୍ରିୟଦର୍ଶିନୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ସଦର ମହକୁମା ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର ବେହୁରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସୁଦିପ୍ତା ମହାପାତ୍ର ଓ ଜିଲା ତଥା ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ବଧିର ବ୍ୟକ୍ତିମାନଙ୍କୁ ସାେଙ୍କତିକ ଭାଷା ଦ୍ୱାରା ଅନୁବାଦିକା ଶିବାନୀ ଶୁଭଲକ୍ଷ୍ମୀ ଭୋଳ ବୁଝାଇ ଥିଲେ । ଏଥିରେ ୬୦ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧ ବୃଦ୍ଧା ଓ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ୱ ଭିନ୍ନକ୍ଷମ ମାନଙ୍କୁ ୩ହଜାର ୫ଶହ ଟଙ୍କା ବର୍ଦ୍ଧିତ ଭତା ବଂଟନ କରାଯାଇଥିଲା । ବିଭିନ୍ନ ବ୍ଲକରେ ଅନ୍ୟ ସମସ୍ତଙ୍କୁ ବର୍ଦ୍ଧିତ ଭତା ବଂଟନ କରାଯିବ ବୋଲି ଜିଲା ସାମାଜିକ ସୁରକ୍ଷା ଅଧିକାରିଣୀ ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଜିଲାରେ ୨୬ହଜାର ୫୮୪ ଜଣ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ଭତା ପାଇ ଉପକୃତ ହେବେ । ଏସମସ୍ତ କାର୍ଯ୍ୟକ୍ରମକୁ ଜିଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା ସଂଚାଳନ କରିଥିଲେ । ଉପ-ଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *