ଭୁବନେଶ୍ୱର, ୩୧/୦୮/୨୦୨୫(ଓଡ଼ିଶା ସମାଚାର)- ଆମ ରାଜ୍ୟରେ ନାହିଁ ନାହିଁରେ ଚାଲିଛି ପ୍ରାଥମିକ ଶିକ୍ଷା । ସରକାର ବିଦ୍ୟାଳୟର ଭିତିଭୂମି ବିକାଶ କରୁଛନ୍ତି ନା ଖାଲିଥିବା ପଦବୀ ପୂରଣ କରୁଛନ୍ତି । କୌଣସି ଭିତିଭୂମି ବିକାଶ ନକରି କିମ୍ବା ଶିକ୍ଷକ ନିଯୁକ୍ତି ନକରି ସରକାର ଚଳିତ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷାନୀତି ଲାଗୁ କରିଛନ୍ତି । ଶିଶୁବାଟିକାରେ ନାମ ଲେଖାଇଥିବା ଶିଶୁମାନେ ବିଦ୍ୟାଳୟରେ ବସି ବସି ଫେରୁଛନ୍ତି ।
ଶିଶୁବାଟିକା ପାଇଁ ସରକାର ଶିଶୁ ସେବିକା ନିଯୁକ୍ତି କରିବା ପାଇଁ ଯେଉଁ ନିର୍ଦ୍ଧେଶନାମା ଜାରି କରିଛନ୍ତି ସେଥିରେ ରାଜ୍ୟର କୌଣସି ଗୋଟିଏ ହେଲେ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତି ହୋଇପାରିବେ ନାହିଁ ବୋଲି ଅଭିଯୋଗ କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ତେଣୁ ସେହି ନିର୍ଦ୍ଧେଶନାମାକୁ ସଂଶୋଧନ କରି ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ୧୦ଜଣୁ କମ୍ ଶିଶୁ ଥିଲେ ଜଣେ ଶିଶୁ ସେବିକା କିମ୍ବା ୧୦ଜରେ ଜଣେ ଅନୁପାତରେ ଆଦ୍ୟ ଶୈଶବ ଯତ୍ନ ଶିକ୍ଷା ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି କରିବାକୁ ସଂଘ ଦାବି କରିଛି ।
ଭିତିଭୂମିର ବିକାଶ କରି ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରାଯାଉ । ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ସରକାର ଗୁଣାତ୍ମକ ଶିକ୍ଷା ଦେବାରେ ବିଫଳ ହେବା ସହିତ ପ୍ରାଥମିକ ଶିକ୍ଷକମାନଙ୍କୁ ମଧ୍ୟ ଶୋଷଣ କରୁଛନ୍ତି । ପୂର୍ବରୁ ବହୁବାର ପ୍ରାଥମିକ ଶିକ୍ଷକମାନେ ଦାବି ପୂରଣ ନିମନ୍ତେ ଆନ୍ଦୋଳନ କରୁଥିବା ବେଳେ ବର୍ତମାନର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିର୍ବାଚନ ପୂର୍ବରୁ ତାଙ୍କ ସରକାର କ୍ଷମତାକୁ ଆସିଲେ ଅନ୍ୟ ରାଜ୍ୟ ଭଳି ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା, ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ଉଠାଇ ସ୍କିମାଟିକ ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା, ୬ ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଂଟ ଦେଇ ମୂଳ ଚାକିରିରେ ଗଣନା ଓ ସମସ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପୁରୁଣା ପ୍ରଦାନ କରିବେ ବୋଲି ଆନ୍ଦୋଳନସ୍ଥଳରେ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାଙ୍କ ସରକାର ଆସିବାର ୧୫ ମାସ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କ କୌଣସି ଗୋଟିଏ ହେଲେ ଦାବି ପୂରଣ କରିନାହାଁନ୍ତି ।

ଗଣଶିକ୍ଷା ମନ୍ତ୍ରୀ, ସଚିବ, ନିର୍ଦ୍ଧେଶକ ଓ ଅଧିକାରୀଙ୍କ ସହିତ ସଂଘ ବହୁବାର ଆଲୋଚନା କରି ପ୍ରତିଶ୍ରୁତି ପାଇଥିଲେ ମଧ୍ୟ, ପ୍ରତିଶ୍ରୁତି ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ତେଣୁ ପ୍ରାଥମିକ ଶିକ୍ଷକମାନଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି । ଆସନ୍ତା ସେପ୍ଟେମ୍ବର ୫ ଗୁୁରୁ ଦିବସରେ ପ୍ରାଥମିକ ଶିକ୍ଷକମାନେ ସରକାରଙ୍କ ଠାରୁ ବହୁତ କିଛି ଆଶା କରିଛନ୍ତି । ଏହି ପବିତ୍ର ଦିବସରେ ସରକାର ଶିକ୍ଷକମାନଙ୍କର ସମସ୍ତ ଦାବି ପୂରଣ କରିବେ ବୋଲି ସଂଘ ଆଶା କରିଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ କହିଛନ୍ତି ଯେ, ଶିକ୍ଷକମାନଙ୍କ ଦାବି ପୂରଣ ନକରି ଗୁରୁ ଦିବସ ପାଳନ କରିବାର କୌଣସି ଯଥାର୍ଥତା ନାହିଁ ।
ତେଣୁ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସମ୍ମାନ ଜଣାଇ ଓ ପ୍ରାଥମିକ ଶିକ୍ଷକମାନଙ୍କର ଭାବାବେଗକୁ ଦୃଷ୍ଟିରେ ରଖି ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ଉଠାଇ ସ୍କିମାଟିକ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା, ଲେବୁଲ୍-ଭିଏ ଶିକ୍ଷକମାନଙ୍କୁ କେନ୍ଦ୍ରୀୟହାରରେ ୩୫,୪୦୦ ଟଙ୍କା ଦରମା ପ୍ରଦାନ, ୬ ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଂଟ ଦେଇ ମୂଳ ଚାକିରିରେ ଗଣନା, ପୁରୁଣା ପେନସନ ପୁନଃ ପ୍ରଚଳନ, ପଦୋନ୍ନତି, ଶିକ୍ଷକ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଆଦି ଦାବିଗୁଡ଼ିକ ଗୁରୁଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୂରଣ କରିବାକୁ ଦାବି କରିଛି ଶିକ୍ଷକ ସଂଘ ।
ଯଦି ଗୁରୁଦିବସରେ ଏହିସବୁ ଦାବିକୁ ସରକାର ପୂରଣ ନକରନ୍ତି ତେବେ ବାଧ୍ୟ ହୋଇ ଆଗାମୀ ବିଧାନସଭା ଅଧିବେଶନରେ ଓହ୍ଲାଇବ ବୋଲି ଭୁବନେଶ୍ୱରସ୍ଥିତ ଶ୍ରମିକ ଭବନରେ ଆୟୋଜିତ ଏକ କାର୍ଯ୍ୟକାରୀ କମିଟି ବୈଠକରେ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ଯୁଗ୍ମ ସାଧାରଣ ସମ୍ପାଦକ ଅଗାଧୁ ସେଠୀ, କୋଷାଧ୍ୟକ୍ଷ ଗୋପାଳ ସେନ, ସଂଗଠନ ସମ୍ପାଦକ କେଶବ ଚନ୍ଦ୍ର ଦଳାଇ, କାର୍ଯ୍ୟକାରୀ ସଭାପତି ଧରଣୀଧର ମଲ୍ଲିକ, ଶ୍ରୀକାନ୍ତ ବାରିକ, ଚିନ୍ତାମଣି ପାଢୀ, ଦମୋଦର ପଣ୍ଡା, ଝୁନା ମାନସିଂହ, ସନ୍ତୋଷ ଦୁବେ, ଯୁଗ୍ମ ସମ୍ପାଦକ ବିରୂପାକ୍ଷ ସେଠୀ, ମୁକ୍ତିରାମ ପାଣିଗ୍ରାହୀ, ଶରତ ସେଠୀ, ଜନ୍ମେଞ୍ଜୟ ପରିଡ଼ା ଓ ସରୋଜ ବେହେରା ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
