ଜିଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସେପ୍ଟେମ୍ବର ୧୩ରେ

ଭୁବନେଶ୍ୱର,୩୧/୦୮/୨୦୨୫ (ଓଡ଼ିଶା ସମାଚାର)- ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ଖୋର୍ଦ୍ଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା, ଟାଙ୍ଗୀ ଓ ବେଗୁନିଆଠାରେ ଅନୁଷ୍ଠିତ ହେବ ବୋଲି ଜିଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ସଲୋମୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମାମଲା ଯଥା- ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ରାଜସ୍ୱ, ମୋଟର ଯାନ ଦୁର୍ଘଟଣାଜନିତ କ୍ଷତି ପୂରଣ, ଶ୍ରମ ଏବଂ ନିଯୁକ୍ତି, ବିଦୁ୍ୟତ, ଜଳ, ବୈବାହିକ (ଛାଡ଼ ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତା ଓ ଅବସରକାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ଜମିଜମା ବା ଦେୱାନି ମାମଲାଗୁଡ଼ିକର ଆପୋଷ ବୁଝାମଣା ଜରିଆରେ ମାମଲାର ସମାଧାନ କରାଯିବ ।

କେବଳ ବିଚାରାଧୀନ ମାମଲା ନୁହେଁ, କଚେରିରେ ଦାୟର ହୋଇ ନ ଥିବା ପ୍ରାକ୍ ମୋକଦ୍ଧମା ଯଥା-ଚେକ୍ ବାଉନ୍ସ, ଟେଲିଫୋନ୍, ବ୍ୟାଙ୍କ ଋଣ ଅନାଦାୟ ଓ ଅନ୍ୟାନ୍ୟ ସାଲିସ୍ ଯୋଗ୍ୟ ଦେୱାନୀ, ଫୌଜଦାରୀ ଏବଂ ସମସ୍ତ ପ୍ରକାରର ପାରିବାରିକ ବିବାଦର ଆଶୁ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଉଭୟ ପକ୍ଷଙ୍କ ସହମତିରେ ସମସ୍ୟାର ସମାଧାନ କରାଯାଇପାରିବ ।

Leave a Reply

Your email address will not be published. Required fields are marked *