ନ୍ୟାୟର ଦେବତା ପ୍ରଭୁ ଶନିଦେବ

ପ୍ରଭୁ ଶନିଦେବ ଅଥବା ଶନିଗ୍ରହ । ହିନ୍ଦୁ ଧର୍ମରେ ଶନିଦେବଙ୍କର ସ୍ଥାନ ସ୍ୱତନ୍ତ୍ର । ଭକ୍ତମାନେ ତାଙ୍କୁ ଭକ୍ତି ଯେତେ କରନ୍ତି ଭୟ ତାଠାରୁ ଅଧିକା କରିଥାନ୍ତି । ଶନି ଦଶା ପଡ଼ିଲେ ଜୀବନ ନଷ୍ଟ ହୋଇଯାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । କିଏ କିଏ ସେଥିପାଇଁ କଥା ପ୍ରସଙ୍ଗରେ କୁହନ୍ତି- ‘ଭାଇ ମୋର ଏବେ ଶନିଦଶା ପଡ଼ିଛି ।’ ଏହି କାରଣରୁ ପ୍ରଭୁ ଶନିଦେବଙ୍କୁ ଅସନ୍ତୁଷ୍ଟ କରିବାକୁ କାହାର ସାହସ ନ ଥାଏ । ହିନ୍ଦୁ ପୁରାଣ ଅନୁସାରେ, ଶନି ହେଉଛନ୍ତି ସୂର୍ଯ୍ୟ ଦେବତାଙ୍କ ପୁତ୍ର । ତାଙ୍କ ମାତାଙ୍କ ନାମ ଛାୟା । ସେଥି ପାଇଁ ଶନିଙ୍କୁ ଛାୟାପୁତ୍ର ବୋଲି ମଧ୍ୟ କୁହାଯାଏ । ଶନିଙ୍କର ମନ୍ତ୍ରରେ କୁହାଯାଇଛି- ‘ଛାୟା ମାର୍ତଣ୍ଡ ସମ୍ଭୂତମ୍’ ।

ଅର୍ଥାତ ସୂର୍ଯ୍ୟ ଓ ଛାୟାଙ୍କ ପବିତ୍ର ସଂଗମରୁ ଶନିଦେବଙ୍କର ଜନ୍ମ । କେହି କେହି ଜ୍ୟୋତିଷଶାସ୍ତ୍ରବିତ୍ କୁହନ୍ତି, ବିଶ୍ୱ ବ୍ରହ୍ମାଣ୍ଡରେ ଥିବା ୯ଟି ଗ୍ରହଙ୍କ ମଧ୍ୟରେ ଶନି ହେଉଛନ୍ତି ସବୁଠାରୁ ଅଧିକ ପ୍ରତ୍ୟକ୍ଷ ଓ କ୍ରୂର । କିନ୍ତୁ ସେ ହିଁ ହେଉଛନ୍ତି ନ୍ୟାୟର ଦେବତା । କାରଣ ସେ ପ୍ରତି ମଣିଷକୁ ତା’ର କର୍ମ ଅନୁଯାୟୀ ହିଁ ଦଣ୍ଡ ଦେଇଥାନ୍ତି । ସେଥିପାଇଁ ତାଙ୍କୁ ସମସ୍ତଙ୍କର ଭୟ । କେହି ଶନିଦେବଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହାନ୍ତି ନାହିଁ । ଶନି ଭିକାରୀକୁ କୋଟିପତି କରିପାରନ୍ତି ଆଉ କୋଟିପତିକୁ ଭିକାରୀ କରିପାରନ୍ତି । କୌଣସି ହିନ୍ଦୁ ପରିବାରରେ ଯେତେବେଳେ ପିଲାଟିଏ ଜନ୍ମ ହୋଇଥାଏ, ସେତେବେଳେ ପରିବାର ଲୋକ, ଜନ୍ମ ଲଗ୍ନ ଅନୁସାରେ ତାହାର ଜନ୍ମ କୁଣ୍ଡଳୀ ବା ଜାତକ ତିଆରି କରିଥାନ୍ତି ।

ଏହା ମୁଖ୍ୟତଃ ରାଶି ନକ୍ଷତ୍ରର ଚଳନ ଅନୁଯାୟୀ ହିଁ ନିଷ୍ପତି ନିଆଯାଇଥାଏ । ଏହି ସମୟରେ ସମସ୍ତଙ୍କର ଭୟ ରହିଥାଏ ଶନି ଗ୍ରହକୁ । ସମସ୍ତେ ଜାଣିବାକୁ ଚାହିଁଥାନ୍ତି ଯେ, ପିଲାଟିର କେଉଁ ଘରେ ଶନି ବସିଛନ୍ତି କି? କାରଣ ବିଶ୍ୱାସ କରାଯାଏ, ସେହି ଅନୁଯାୟୀ ପିଲାଟିର ଭବିଷ୍ୟତ ଜୀବନ କଟିବ । ମଣିଷର ଯେତେସବୁ ଦୁର୍ଭାଗ୍ୟର ଦେବତା ହେଉଛନ୍ତି ଶନି । ଶନି ଗ୍ରହଙ୍କ ପ୍ରଭାବରେ ଯିଏ ଜନ୍ମ ନେଇଥାଏ, ତାହାର ଜାତକରେ ଶନି ମହାଦଶା ଉଲ୍ଲେଖ ରହେ, ଯାହାକୁ ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଶନି ହେଉଛନ୍ତି ସୂର୍ଯ୍ୟ ପୁତ୍ର । ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସୂର୍ଯ୍ୟ ବିନା ପତ୍ର ଟିଏ ବି କଅଁଳେ ନାହିଁ । କଥାରେ ଅଛି ବାପ ଥିବା ପୁଅ ସଭାରେ ହାରେନାହିଁ । ତେଣୁ ପିତା ସୂର୍ଯ୍ୟଙ୍କ ଶକ୍ତି ରେ ଶନି ବଳିଆନ ।

Leave a Reply

Your email address will not be published. Required fields are marked *