କେନ୍ଦ୍ରାପଡ଼ା, ୨୯/୦୮/୨୦୨୫(ଓଡ଼ିଶା ସମାଚାର)- ପ୍ରଥମ ଥର ପାଇଁ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେବାକୁ ଥିବା “ସାଂସଦ ଖେଲ୍ ମହୋତ୍ସବ”କୁ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୁକ୍ରବାର ଉଦୟନଗରସ୍ଥିତ ଜିଲା ସଂସ୍କୃତି ଭବନରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଏହି କାର୍ଯ୍ୟକ୍ରମରେ ୭ଟି ଲୋକସଭା ନିର୍ବାଚନ ମଣ୍ଡଳୀର ବହୁ ଖେଳାଳୀ ଓ ବରିଷ୍ଠ ଖେଳାଳୀମାନେ ଯୋଗଦେଇଥିଲେ ।
ଏହି ଉତ୍ସବରେ ଜିଲାପାଳ ରଘୁରାମ ଆର. ଆୟାର, ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଜିଲା କ୍ରୀଡା ଅଧିକାରୀ, ଜିଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ,
ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡାର ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ପାଟକୁରାର ତେଜେଶ୍ୱର ପରିଡା, ସାଲେପୁର ଅରିନ୍ଦମ ରାଏ, ଡ. କଳ୍ପନା ମଲ୍ଲିକ, କିଶୋର ପଣ୍ଡା, ରାଜନଗରର ଲଳିତ ବେହେରା, ଆଳିର କୃଷ୍ଣଚନ୍ଦ୍ର ପଣ୍ଡା, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ସୁନାକର ବେହେରା, ନୃସିଂହ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ମହୋତ୍ସବରେ ଭାଗନେବା ପାଇଁ ଆଜି ଠାରୁ ନାମପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ସେପ୍ଟେମ୍ବରମାସ ୨୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହାପରେ ତ୍ରିସ୍ତରୀୟ ଖେଳ ଆରମ୍ଭ ହୋଇ ଡିସେମ୍ବରମାସ ୨୫ତାରିଖରେ ଶେଷ ହେବ । ଏହି ପ୍ରତିଯୋଗିତାରେ ୮ଟି ବିଭାଗରେ ଖେଳାଳୀମାନେ ଭାଗନେଇ ପାରିବେ । ପ୍ରଥମେ ଗ୍ରାମପଂଚାୟତ ସ୍ତରୀୟ ଓ ଏହାପରେ ବିଧାନସଭା ସ୍ତରୀୟ ଓ ପରେ ଲୋକସଭା କ୍ଷେତ୍ରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଗ୍ରାମାଂଚଳରେ ଥିବା ପ୍ରତିଭାମାନଙ୍କୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଖେଳାଳୀ ସୃଷ୍ଟି କରିବା ।
ଏଥିରେ ଜିଲା ପ୍ରଶାସନ ଓ ଜିଲାର ସମସ୍ତ ଲୋକଙ୍କର ସାହାଯ୍ୟ ସହଯୋଗ ପାଇଁ ସାଂସଦ ଶ୍ରୀ ପଣ୍ଡା ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରରେ ସମ୍ମାନୀତ ହୋଇଥିବା କେନ୍ଦ୍ରାପଡାର ଟୁ୍ୟଙ୍କିଲ ସ୍ୱାଇଁ ଓ ଭାରଉତୋଳନରେ ଗୌରବ ଆଣି ଦେଇଥିବା ରମିତ ସ୍ୱାଇଁଙ୍କୁ ସାଂସଦ ଶ୍ରୀ ପଣ୍ଡା ଏହି ଅବସରରେ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମକର୍ତା ଓ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।
