୩୦ତମ ନିରାକାରପୁର ସର୍ବ ଭାରତୀୟ ସଖା ସଂଘ ଫୁଟବଲ : ୪-୩ ଗୋଲରେ ୟଙ୍ଗ ଉତ୍କଳ, କଟକ ବିଜୟୀ

ନିରାକାରପୁର, ୧୨/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡ଼ା ସଂସଦ ଆନୁକୁଲ୍ୟରେ କ୍ଷେତ୍ରବାସୀ କଲେଜ ଷ୍ଟାଡିୟମରେ ୩୦ତମ ନିରାକାରପୁର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଆଜିର ୪ର୍ଥ ଦିବସ ମ୍ୟାଚରେ ୪-୩ ଗୋଲରେ ୟଙ୍ଗ ଉତ୍କଳ, କଟକ ଏସ ପି ଏମ ଏଫସି, ବିଶାଖାପାଟଣାକୁ ହରାଇ ବିଜୟୀ ହୋଇଛି। ଆଜିର ମ୍ୟାଚ ୟଙ୍ଗ ଉତ୍କଳ, କଟକ ବନାମ ଏସ ପି ଏମ ଏଫସି, ବିଶାଖାପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧ ୫ ମିନିଟ ପରେ ୟଙ୍ଗ ଉତ୍କଳ କଟକ ତରଫରୁ ୯ ନଂ ଜର୍ସି ବବୁଲ ରାଉତ ଓ ୧୯ ମିନିଟ ପରେ ୧୯ ଜର୍ସି ଗଣେଶ ସେଠୀ ଗୋଟିଏ ଗୋଟିଏ ଗୋଲ କରି ଦଳକୁ ଆଗେଇ ନେଇଥିଲେ। ପରେ ଦ୍ୱିତୀୟାର୍ଧ ଖେଳର ୧୨ ମିନିଟରେ ଜର୍ସି ନଂ୧୨ ବାପୁନି ବିନ୍ଧାଣି ଗୋଟିଏ ଗୋଲ ଓ ୯ନଂ ଜର୍ସି ବବୁଲ ରାଉତ ପୁଣି ଆଉ ଗୋଟିଏ ଗୋଲ ଦେଇ ଥିଲେ। ପରେ ବିଶାଖାପାଟଣା ଦଳର ୧୭ ମିନିଟ ପରେ ରାଜ କୁମାର ଓ ୧୯ ପରେ ରାମ କ୍ରୀଷ୍ଣା ଗୋଟିଏ ଗୋଲ ୩୨ ମିନିଟ ପରେ ଆଉ ଗୋଟେ ଗୋଲ ଦେବାରେ ସଫଳ ହୋଇପାରିଥିଲେ। ଆଜିର ଖେଳକୁ ସେଖାୱାତ ଖାଁ, ଅଭିନାଶ ପଟ୍ଟନାୟକ, ଆଲୋକ ଦେହୁରୀ ,ହୃଦାନନ୍ଦ ମହତରାୟ ଓ ଅକ୍ଷୟ କୁମାର ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲାପାଳ ଦେବରାଜ ସେନାପତି, ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଦାଶରଥି ବିଶୋଇ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ନବଘନ ପରିଡ଼ା, ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରସନ୍ନ କୁମାର ନନ୍ଦ, ଅବସରପ୍ରାପ୍ତ ମୁଖ୍ୟ ନକ୍ସାକାରୀ ଗଜେନ୍ଦ୍ର ନାଥ ମାର୍ଥା, ଠିକାଦାର ରବୀନ୍ଦ୍ର କୁମାର ମାର୍ଥା ଓ ଶୁଭେଚ୍ଛୁ ସୁଭଦ୍ରା ବଡ଼ଜେନା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସଖାସଂଘ କ୍ରୀଡ଼ା ସଂସଦ ସଭାପତି ବିପିନ କୁମାର ଜୟସିଂହସମାରୋହରେ ସଭାପତିତ୍ବ କରିଥିଲେ । ସଭାକୁ କମଳ ଲୋଚନ ପ୍ରଧାନ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ବେହେରା, କାର୍ତ୍ତିକ ସାମନ୍ତରାୟ, ମନୋଜ କୁମାର ପ୍ରଧାନଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ସଂଘ ସହ ସମ୍ପାଦକ ଦୀପକ କୁମାର ପ୍ରଧାନ ଙ୍କ ସ୍ଵର୍ଗୀୟା ମାତା ଉଷାରାଣୀ ପ୍ରଧାନ ଓ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଧର୍ମପତ୍ନୀ ସ୍ଵର୍ଗୀୟା ପ୍ରମିଳା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟ ଦଳର ଖେଳାଳି ରାଜ କୁମାର ଓ ଗଣେଶ ସେଠ୍ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।ଆସନ୍ତା କାଲି ମ୍ୟାଚ କମଲ କ୍ଳବ୍ ,ଛତିଶଗଡ ବନାମ ଇଲାମ ବଜାର ଏକାଡେମୀ, କଲିକତା ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *