କେନ୍ଦ୍ରାପଡ଼ା, ୨୮/୦୮/୨୦୨୫(ଓଡ଼ିଶା ସମାଚାର)- ଜିଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସମାଜ ସଂସ୍କାରକ ତଥା ସମାଜସେବୀ ଇଂ ରାଧାଚରଣ ଦାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା କୋରୁଆସ୍ଥିତ ପଲ୍ଲିଶ୍ରୀ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜନପ୍ରିୟ ଚିକିତ୍ସକ ଡା. ବିଶ୍ୱପ୍ରକାଶ କାନୁନଗୋ, ବରିଷ୍ଠ ଶିକ୍ଷକ ସମାଜସେବୀ ଶଚିନନ୍ଦନ ଦାସ, ସମାଜସେବୀ ଶ୍ରୀକାନ୍ତ ନାୟକ,ସମବାୟବିତ ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ କହିଥିଲେ ଯେ ସ୍ୱର୍ଗତ ଦାସ ପେଷାରେ ଜଣେ ଇଞ୍ଜିନିଅର ହୋଇଥିଲେ ମଧ୍ୟ ଗରିବ ଓ ଅନାଥ ପିଲାମାନଙ୍କ ସେବା ପାଇଁ ସବୁବେଳେ ଚେଷ୍ଟା କରୁଥିଲେ ।
ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କ ପାଇଁ ସହାୟତାର ହାତ ବଢାଇଥାନ୍ତି ।ଜଣେ ଉଚ୍ଚକୋଟିର ଇଞ୍ଜିନିଅର ଭାବେ ତାଙ୍କର ରାଜ୍ୟ ତଥା ରାଜ୍ୟ ବାହାରେ ଯଥେଷ୍ଟ ସୁଖ୍ୟାତି ଥିଲା । ସେ ଜଣେ ପରୋପକାରୀ ଓ ଉଦାର ପ୍ରକୃତିର ବ୍ୟକ୍ତି ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ତାଙ୍କର ଜନ୍ମସ୍ଥାନ ପଟ୍ଟାମୁଣ୍ଡାଇର ଅନ୍ତର୍ଗତ ମାଟିଆ ହୋଇଥିବା ବେଳେ ସେ କେନ୍ଦ୍ରାପଡା ସହରର ମାଧପୁରରେ ବସବାସ କରୁଥିଲେ ।
ସ୍ୱର୍ଗତ ଦାସଙ୍କ ଉତ୍ସର୍ଗୀକୃତ ଜୀବନ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ପରିଚାରିକା ମଞ୍ଜୁଳା ନାୟକ, ଅକ୍ଷୟ ସେନାପତି, ସୂର୍ଯ୍ୟମଣୀ ଭୂୟାଁ, ସିନାରାଣୀ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତପନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
