ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ୩ୟ କିସ୍ତି ଟଙ୍କା

ଭୁବନେଶ୍ୱର,୨୭/୦୮/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)- ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ୩ୟ କିସ୍ତି ଟଙ୍କା। ଆଜି ରାଜ୍ୟର ୫୧ ଲକ୍ଷ ୧୪ ହଜାର ୮୭୬  ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୩୯ ହଜାର ୨୩୯ ସଂଖ୍ୟକ ଭୂମିହୀନ କୃଷି ପରିବାରକୁ ରବି ଫସଲ ଋତୁ ୨୦୨୫- ୨୬ ପାଇଁ ୧ ହଜାର ୦୪୧ କୋଟିରୁ ଅଧିକ ଟଙ୍କାର ସି.ଏମ୍ – କିଷାନ୍ ଯୋଜନାର ତୃତୀୟ  କିସ୍ତିର ଆର୍ଥିକ ସହାୟତା ଡ଼ିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଏମ୍-କିଷାନର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି।

ଚାଷୀ ପରିବାରକୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସରକାର ନିଜସ୍ୱ ସମ୍ବଳରେ ସି.ଏମ୍ କିଷାନ୍ ନାମକ ଏକ କୃଷକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି।  ରାଜ୍ୟରେ ଥିବା ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଖରିଫ ଓ ରବି ଚାଷ ନିମନ୍ତେ ବିହନ ଓ ସାର କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଦିଗରେ ଏହି ସି.ଏମ୍ କିଷାନ୍ ଯୋଜନା ଲୋକଙ୍କ ସରକାରଙ୍କର ଏକ ଅଭିନବ କୃଷକ କଲ୍ୟାଣକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ଏହାର ପୂର୍ବଦିନ ଅର୍ଥାତ୍ ଆଜି କିସ୍ତି ପ୍ରଦାନ କରାଯାଇଛି । ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ପଠାଯାଇଛି। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇଛନ୍ତି।  ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରୁଛନ୍ତି।

 ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀଙ୍କ ପଞ୍ଜୀକରଣ ଅବଧି ବଢିବ। କେତେ ଦିନ ବଢିବ , ତାହା ଖୁବ୍ ଶୀଘ୍ର ଘୋଷଣା ହେବ। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଆଉ ସପ୍ତାହେ ବଢାଇବାକୁ ପ୍ରସ୍ତାବ ଦେଇଥିଲେ । ତେଣୁ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ପବିତ୍ର ଗଣେଶ ପୂଜା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵଦ୍ୟାଳୟରେ ଏକ ‘କୃଷକ ଭବନ’ ଏବଂ କୃଷି ଶିକ୍ଷା ସଦନର ଏକ ‘ଅଭ୍ୟର୍ଥନା ଗୃହ’ ଉଦଘାଟନ କରିଛନ୍ତି ।

Leave a Reply

Your email address will not be published. Required fields are marked *