ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା — ୫ ବର୍ଷରେ ହେବ ୩୦ ହଜାର କିମି ରାସ୍ତା

୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ
ରାଜ୍ୟବାସୀଙ୍କୁ ଯୋଗାଯାଉ ଉନ୍ନତମାନର ଗମନାଗମନ
କଂଟ୍ରାକ୍ଟରଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ
ନିମ୍ନମାନର କାମ ହେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩/୦୮/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସଡ଼କ ଓ ସେତୁ ନିର୍ମାଣ ଜରିଆରେ ରାଜ୍ୟର ସମସ୍ତ ଗ୍ରାମାଂଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣର ଗୁରୁଦାୟିତ୍ୱ ଏହି ବିଭାଗ ଉପରେ ନ୍ୟସ୍ତ ରହିଛି । ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ବିଭିନ୍ନ ସ୍କିମ୍ ଓ ବଜେଟ୍ ମାଧ୍ୟମରେ ବିଭାଗକୁ ମିଳୁଥିବା ଅର୍ଥରାଶିର ଶତପ୍ରତିଶତ ଉପଯୋଗ କରି ରାଜ୍ୟବାସୀଙ୍କୁ ଉନ୍ନତ ମାନର ଗମନାଗମନ ସୁବିଧା ଯୋଗାଇ ଦିଅ, ଏପରି ଭାବରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଏଥିସହିତ ରାସ୍ତା ଓ ସେତୁଗୁଡିକର ଗୁଣବତା ସହିତ ଏହାର ରକ୍ଷଣାବେକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ । ନିମ୍ନ ମାନର କାମ କରୁଥିବା କଂଟ୍ରାକ୍ଟର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗକୁ ନିର୍ଦେଶ ଦେଇଥିଲେ । ପାହାଡିଆ ଅଂଚଳରେ ଥିବା ଗ୍ରାମଗୁଡିକରେ ଲୋକଙ୍କ ଗମନାଗମନ ପାଇଁ ଉତମ ମାନର ରାସ୍ତା ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା କଂଟ୍ରାକ୍ଟର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକର ଆଲୋଚନାରୁ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଦ୍ୟାବଧି ଅନୁମୋଦନ ପ୍ରାପ୍ତ ୭୩,୯୮୪.୮୮ କିଲୋମିଟର ରାସ୍ତା ମଧ୍ୟରୁ ୭୦,୭୧୧.୨୪ କିଲୋମିଟର ରାସ୍ତା ନିର୍ମାଣ କରି ଓଡ଼ିଶା ଭାରତ ବର୍ଷରେ ଚତୁର୍ଥ ସ୍ଥାନ ହାସଲ କରିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାର୍ଗଦର୍ଶିକା ଅନୁଯାୟୀ କାମ କରାଯାଉଥିଲା । ବର୍ତମାନ ଏହାର ଚତୁର୍ଥ ପର୍ଯ୍ୟାୟର କାମ ମଧ୍ୟ ହାତକୁ ନିଆଯାଇଛି । ଏହି ପର୍ଯ୍ୟାୟରେ ଆଦିବାସୀ ଅଧ୍ୟୁଚଷିତ ଅଂଚଳ, ଆକାଂକ୍ଷୀ ବ୍ଲକ, ନକ୍ସଲ ପ୍ରଭାବିତ ଅଂଚଳଗୁଡ଼ିକରେ ସଡକ ଓ ସେତୁ ନିର୍ମାଣ କରାଯିବ ।

ଚତୁର୍ଥ ପର୍ଯ୍ୟାୟରେ ୧,୦୨୧ଟି ଯୋଗାଯୋଗ ବିହୀନ ଜନ ବସତି ପାଇଁ ୯୪୨ଟି ସଡକ ଓ ୮ଟି ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ସେହିଭଳି ୧୦୦ରୁ ଅଧିକ ପିଭିଟିଜି ବର୍ଗର ଜନବସତିଗୁଡିକର ସଂଯୋଗୀକରଣ ପାଇଁ ପିଏମ୍ ଜନମନ ଯୋଜନାରେ ୭୩ଟି ଗ୍ରାମରେ ୬୬ଟି ରାସ୍ତା ଓ ୪ଟି ସେତୁ ନିର୍ମାଣ ପାଇଁ ମଞ୍ଜୁରି ମିଳିଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୨୦୨୪-୨୫ ଆର୍ଥôକ ବର୍ଷରେ ୪୫୦୦.୩୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥôକ ବର୍ଷରେ ୩୪୬୯.୯୪ କୋଟି ଟଙ୍କା ବ୍ୟୟବରାଦରେ ୫୦୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି ।

ସେତୁବନ୍ଧନ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୮୬ଟି ସେତୁ ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୩୦୦ଟି ସେତୁ ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ବୈଠକରେ ଗ୍ରାମ୍ୟ ଉନ୍ନୟନ ତଥା ପଂଚାୟତି ରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ୟାମିନୀ ଷଡଙ୍ଗୀ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସାହୁ ଏବଂ ଇଂ ପ୍ରଦୀପ କୁମାର ଜେନା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *