ଭୁବନେଶ୍ୱର,୨୨/୦୮/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-ଅଗଷ୍ଟ ୨୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପରିଷଦ (ଓଡିସି) ଦ୍ୱାରା ଆଯୋଜିତ ଷୋହଳ ବର୍ଷରୁ କମ୍ ‘ଅଣ୍ଡର ସିକ୍ସଟିନ’ ୨୦୨୫ ନୃତ୍ୟ କାର୍ୟ୍ୟକ୍ରମର ୧୧ତମ ସଂସ୍କରଣରେ ଦଶ ଜଣ ପ୍ରତିଭାବାନ ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ମଞ୍ଚରେ ସେମାନଙ୍କର ଅପାର ସାମର୍ଥ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଯେହେତୁ ଅଧିକାଂଶ ନୃତ୍ୟ ମହୋତ୍ସବ କେବଳ ୧୬ ବର୍ଷରୁ ଅଧିକ ବୟସର କଳାକାରମାନଙ୍କୁ ଏକକ ମଞ୍ଚ ପ୍ରଦାନ କରିଥାଏ, ତେଣୁ ୧୬ ବର୍ଷରୁ କମ୍ ବୟସର ନୃତ୍ୟ ଶିଳ୍ପୀମାନଙ୍କୁ ଓଡ଼ିଶୀ ନୃତ୍ୟ ପ୍ରତି ସେମାନଙ୍କର ଆଗ୍ରହକୁ ଆବିଷ୍କାର କରିବା, ଭବିଷ୍ୟତର କଳାକାର ଭାବରେ ଉତ୍ସାହିତ କରିବା ଏବଂ ସେମାନଙ୍କ ମଧ୍ୟରେ ବୃତ୍ତିଗତ ମନୋଭାବ ଏବଂ କଳା ଏବଂ ସଂସ୍କୃତି ପ୍ରତି ଉତ୍ସର୍ଗୀକୃତ ମନୋଭାବ ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ୧୬ ବର୍ଷରୁ କମ୍ ‘ଅଣ୍ଡର ସିକ୍ସଟିନ’ ଓଡିଶୀ ନୃତ୍ୟ ୨୦୨୫ ଆୟୋଜନ କରାଯାଇଥିଲା ।
ଏହି ସନ୍ଧ୍ୟାରେ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବିଶିଷ୍ଠ ମର୍ଦ୍ଦଳ ବାଦକ ଗୁରୁ ସଚିଦାନନ୍ଦ ଦାସ;ଓଡ଼ିଶୀ ନୃତ୍ୟଶିଳ୍ପୀ ପରିଷଦ (ଓଡିସି)ର ସଭାପତି ଡକ୍ଟର ସ୍ନେହପ୍ରଭା ସାମନ୍ତରାୟ, ଓଡିସିର ସଚିବ ଡକ୍ଟର ଇଲିଆନା ସିତାରିଷ୍ଟି ଏବଂ ଓଡିସିର କାର୍ୟ୍ୟନିର୍ବାହୀ ସଦସ୍ୟ ଗୁରୁ ରତିକାନ୍ତ ମହାପାତ୍ର ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ଆନୁଷ୍ଠାନିକ ସାନ୍ଧ୍ୟପ୍ରଦୀପ ପ୍ରଜ୍ଜ୍ୱଳନ ପରେ, ନୃତ୍ୟ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା ।
ସନ୍ଧ୍ୟାର ପ୍ରଥମ ଉପସ୍ଥାପନା ଥିଲା ଶିବ ତାଣ୍ଡବ ଯାହା ରାଗ ଭତିୟାର ଓ ତାଳ ଖେମଟାରେ ନିବଦ୍ଧ ଥିଲା ଯାହାକୁ ପରିବେଷଣ କରିଥିଲେ ଗୁରୁ ଦୁଶ୍ମନ୍ତ କୁମାର ସ୍ଵାଇଁଙ୍କ ଶିଷ୍ୟା ସୁଶ୍ରୀ ଅଭିଜିତା ପଣ୍ଡା ଏବଂ ଯାହାର ନୃତ୍ୟ ସଂରଚନା ପଦ୍ମ ବିଭୁଷଣ ଗୁରୁ କେଳୁଚରଣ ମହାପାତ୍ର ଓ ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ଵର ମିଶ୍ର କରିଥିଲେ । ଏହା ପରେ ଗୁରୁ ଜ୍ୟୋତି ରାଉତଙ୍କ ତତ୍ତ୍ୱାବଧାନରେ ସୁଶ୍ରୀ ଜିଭିକା କୁମାରୀ ପରିବେଷଣ କରିଥିଲେ ବନ୍ଧନୃତ୍ୟ ଯାହା ରାଗ ମେଘ ଓ ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ଜ୍ୟୋତି ରାଉତ ଓ ସଙ୍ଗୀତ ସଂଯୋଜନା ଗୁରୁ ସଚ୍ଚିଦାନନ୍ଦ ଦାସ କରିଥିଲେ । ପରେ ପରେ, ଗୁରୁ ରତିକାନ୍ତ ମହାପାତ୍ରଙ୍କ ଶିଷ୍ୟ ତଥା ସୃଜନ ଅନୁଷ୍ଠାନର ଶିଳ୍ପୀ ସାଇ ପ୍ରସାଦ ପଣ୍ଡା ପରିବେଷଣ କରିଥିଲେ ପାରମ୍ପାରିକ ଚମ୍ପୁ ରଚନାରେ ଅଭିନୟ ଦେଖ ଗୋ ଯାହା ରାଗ ମିଶ୍ରପିଲ୍ଲୁ ଓ ତାଳ ଖେମଟା ଉପରେ ନିବଦ୍ଧ ଥିଲା ଏବଂ ଯାହାର ନୃତ୍ୟ ସଂରଚନା ଗୁରୁ ରତିକାନ୍ତ ମହାପାତ୍ର କରିଥିଲେ ।
ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଗୁରୁ ଦେବାଶିଷ ପଟ୍ଟନାୟକଙ୍କ ଶିଷ୍ୟା ସୁଶ୍ରୀ ଅନୟା ପତିଙ୍କ ଦ୍ଵାରା ଅଭିନୟ ସତେ କି ଭଙ୍ଗି କଲ ଯାହା ରାଗ ତିଲକ କାମୋଦ ଓ ତାଳ ଯତି ଉପରେ ନିବଦ୍ଧ ଥିଲା ଏବଂ ଯାହାର ନୃତ୍ୟ ସଂରଚନା ଗୁରୁ ଦୁର୍ଗା ଚରଣ ରଣବୀର ଓ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେସ୍ଵର ସ୍ଵାଇଁ । ଏହା ପରେ ଆଉ ଏକ ନୃତ୍ୟ ଅଂଶ, ବସନ୍ତ ପଲ୍ଲବୀ, ନୃତ୍ୟ ଏବଂ ସଂଗୀତ ମଧ୍ୟରେ ଯୁଗଲବନ୍ଧି ଯାହା ରାଗ ବସନ୍ତ ଏବଂ ଏକାତାଳୀ ଉପରେ ନିବଦ୍ଧ ଥିଲା, ଯାହାକୁ ପରିବେଷଣ କରିଥିଲେ ଅଂଶୁମାନ ମିଶ୍ରଙ୍କ ଦକ୍ଷ ନୃତ୍ୟ ପରାମର୍ଶରେ ପରିଚାଳିତ ତଥା ପ୍ରଦିକ୍ଷିଣା ଅନୁଷ୍ଠାନର ସୁଶ୍ରୀ ଆରୋହି ପଣ୍ଡା ।
ପ୍ରସ୍ତୁତିଟିର ସଙ୍ଗୀତ ସଂଯୋଜନା ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଓ ନୃତ ସଂରଚନା ଗୁରୁ କେଳୁଚରଣ ମହାପାତ୍ର କରିଥିଲେ । ଏହା ପରେ, ପିୟାଲୀ ଘୋଷଙ୍କ ଶିଷ୍ୟା ସୁଶ୍ରୀ ଅଦ୍ରୀତା ମଜୁମଦାର ଅଭିନୟ ଭଙ୍ଗୀ ଚାହଁ ଉପସ୍ଥାପନ କରିଥିଲେ ଯାହାର ନୃତ୍ୟ ସଂରଚନା ଗୁରୁ କେଳୁଚରଣ ମହାପାତ୍ର ଓ ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ଵର ମିଶ୍ର କରିଥିଲେ ।
ପରବର୍ତ୍ତୀ ଉପସ୍ଥାପନଟି ଥିଲା ସୁର ମନ୍ଦିର ଅନୁଷ୍ଠାନର ନୃତ୍ୟଶିଳ୍ପୀ ତଥା ଗୁରୁ ଡ଼କ୍ଟର ଜ୍ୟୋତ୍ସା ରାଣୀ ସାହୁଙ୍କ ଶିଷ୍ୟା ସୁଶ୍ରୀ ସାଇ ସିଂଗ୍ଧା ରାଉତରାୟଙ୍କ ଦ୍ଵାରା ଅଭିନୟ ମୋହନ ମୁରତି ଛଇ ଯାହା ରାଗ ଭୌରବୀ ଓ ତାଳ ଖେମଟା ଉପରେ ନିବଦ୍ଧ ଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ଡ଼କ୍ଟର ଜ୍ୟୋତ୍ସା ରାଣୀ ସାହୁ ଓ ସଙ୍ଗୀତ ସଂଯୋଜନା ଗୁରୁ ସ୍ଵପ୍ନେସ୍ଵର ଚକ୍ରବର୍ତ୍ତୀ କରିଥିଲେ । ପରେ ପରେ ଗୁରୁ ସମ୍ପ୍ରଜ୍ଞାନ ସାହୁଙ୍କ ଶିଷ୍ୟା ସୁଶ୍ରୀ ଅଶ୍ମୀନ୍ ଜେନା କଳାବତୀ ପଲ୍ଲବୀ ଉପସ୍ଥାପନ କରିଥିଲେ ଯାହା ରାଗ କଳାବତୀ ଓ ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା ଏବଂ ଯାହାର ନୃତ୍ୟ ସଂରଚନା ଗୁରୁ ଦେବପ୍ରସାଦ ଦାସ ଓ ସଙ୍ଗୀତ ସଂଯୋଜନା ଗୁରୁ ବଙ୍କିମ ଚନ୍ଦ୍ର ସେଠୀ କରିଥିଲେ ।
ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଓଡ଼ିଆ ଅଭିନୟ ନଜା ଯମୁନାରେ ରାଧା ଯାହାକୁ ଉପସ୍ଥାପନା କରିଥିଲେ ଗୁରୁ ହରେକୃଷ୍ଣ ଧଳଙ୍କ ଶିଷ୍ୟା ସୁଶ୍ରୀ ମିଲୋନୀ ମହାନ୍ତି । ଏହି ନୃତ୍ୟଟିର ନୃତ୍ୟ ସଂରଚନା ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ ଓ ସଙ୍ଗୀତ ସଂଯୋଜନା ଗୁରୁ ବିଜୟ କୁମାର ବାରିକ କରିଥିଲେ । ସନ୍ଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ପିଙ୍କି ଦେବରମାଙ୍କ ଶିଷ୍ୟା ସୁଶ୍ରୀ ବ୍ରିଷ୍ଟି ମଜୁମଦାରଙ୍କ ଦ୍ୱାରା ଅଭିନୟ ଦଶାବତାର ଯାହା ରାଗ କଲ୍ୟାଣ ଏବଂ ତାଳ ଅର୍ଦ୍ଦ ଝମ୍ପାରେ ପ୍ରସ୍ତୁତ । ଏହି କାଳଜୟୀ ଉପସ୍ଥାପନାଟି କିମ୍ବଦନ୍ତୀ ଯୋଡ଼ି ଗୁରୁ କେଳୁଚରଣ ମହାପାତ୍ର ଏବଂ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ଦ୍ୱାରା ନୃତ୍ୟ ଏବଂ ସଙ୍ଗୀତରେ ରଚିତ ହୋଇଥିଲା । ଶ୍ରୀ ବିଶ୍ଵଜିତ ବଳିଆରସିଂହଙ୍କ ଦ୍ୱାରା ସନ୍ଧ୍ୟାରକାର୍ୟ୍ୟଧାରା ନିରବଚ୍ଛିନ୍ନ ଭାବେ ପରିଚାଳିତ ହୋଇଥିଲା ।
