ମାନ୍ୟବର ରାଷ୍ଟ୍ରପତିଙ୍କ  ଓଡିଶା ଗସ୍ତ ପରିପ୍ରେକ୍ଷୀରେ  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ସମୀକ୍ଷା ବୈଠକ

ଭୁବନେଶ୍ୱର, ୧/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଆସନ୍ତା ଜୁଲାଇ ୬ରୁ ୯ତାରିଖ ପର୍ଯ୍ୟନ୍ତ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ଓଡ଼ିଶାଗସ୍ତ ଓ ବିଭିନ୍ନ  କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁଥିବା ପରିପ୍ରେକ୍ଷୀରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏହାର ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ଶ୍ରୀ ଦେଓରଂଜନ କୁମାରସିଂ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ,  ସଂପୃକ୍ତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀଙ୍କ ସମେତ ରାଜ୍ୟ ପୁଲିସ୍ ର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡଃ.ସନ୍ତୋଷ ବାଲା ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବିସ୍ତୃତ ସୂଚନା ଉପସ୍ଥାପନ କରିଥିଲେ।

          ଅଦ୍ୟାବଧି ମିଳିଥିବା ସୂଚନା ଅନୁସାରେ ମାନ୍ୟବର ରାଷ୍ଟ୍ରପତି ଜୁଲାଇ୬ ତାରିଖ ସଂଧ୍ୟାରେ ଜୟଦେବ ଭବନ ଠାରେ ଉତ୍କଳ ମଣିପଣ୍ଡିତ ଗୋପବନ୍ଧୁ ଦାସଙ୍କର୯୬ତମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେବେ।୭ତାରିଖରେ ପୁରୀ ଗସ୍ତକରି ଅପରାହ୍ଣରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦର୍ଶନ କରିବେ।୮ତାରିଖ ପ୍ରତ୍ୟୁଷରେ ମାନ୍ୟବର ରାଷ୍ଟ୍ରପତିଙ୍କର ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ଓ୍ୱାକ୍ କାର୍ଯ୍ୟକ୍ରମ ରହିଛି । ଏହା ପରେସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନକରି ପୂର୍ବାହ୍ନରେ ଖଣ୍ଡଗିରି  ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିଭୂତି କାନୁନଗୋ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସ୍ ରଛାତ୍ରଛାତ୍ରୀ ମାନଙ୍କସହ ବାର୍ତ୍ତାଳାପ କରିବେ। ସେଦିନ ଅପରାହ୍ଣରେସେଭୁବନେଶ୍ୱରମେଣ୍ଢାଶାଳ ହରିଡାମଡ଼ା ସ୍ଥିତଡିଭାଇନ୍ ରିଟ୍ରିଟ୍ ସେଣ୍ଟର(ଡିଆରସି) ରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି  । ୯ତାରିଖ ପୂର୍ବାହ୍ନରେ ଜଟଣୀସ୍ଥିତ ଜାତୀୟ ବିଜ୍ଞାନଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ସ୍ନାତକ ସମାରୋହ ଉତ୍ସବରେ ଯୋଗଦାନ କରି ଅପରାହ୍ଣରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

          ମାନ୍ୟବର ରାଷ୍ଟ୍ରପତି ଓଡିଶାରେ ପହଁଚିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ  ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପୁଙ୍ଖାନୁପୂଙ୍ଖ ଅବଗତ ହୋଇଥିଲେ । ଏ ସଂପର୍କରେ ସେ ବିଭିନ୍ନ ପ୍ରସଙ୍ଗରେ  ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ କର୍ତ୍ତୃପକ୍ଷଙ୍କ ସହିତ ବିସ୍ତୃତ  ଆଲୋଚନା କରିଥିଲେ । ପୁରୀ ଜିଲ୍ଲାପାଳ ଓ  ଆରକ୍ଷୀ ଅଧିକ୍ଷକ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

ବୈଠକରେ ମାନ୍ୟବର ରାଷ୍ଟ୍ରପତିଙ୍କର ରହଣି, ସୁରକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଚିକିତ୍ସା, ଆମ୍ବୁଲାନ୍ , ଉତ୍ସବ ସ୍ଥଳକୁ ଯାତାୟତ ରାସ୍ତାର ରକ୍ଷଣାବେକ୍ଷଣ ଓ  ତଦାରଖ, ରାସ୍ତାର ପରିମଳ ବ୍ୟବସ୍ଥା, ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ମଧ୍ୟ ପାନୀୟଜଳ ଯୋଗାଣ, ବସିବା ବ୍ୟବସ୍ଥା, ବେରିକେଡିଂ ବ୍ୟବସ୍ଥା, କାରକେଡ୍ ବ୍ୟବସ୍ଥା, ଆବଶ୍ୟକ  ପାସ୍ ବ୍ୟବସ୍ଥା, କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରସାର ଓ ସୂଚନା ପ୍ରଦାନ ବ୍ୟବସ୍ଥା , କାର୍ଯ୍ୟକ୍ରମ ସ୍ଥଳକୁ ଇଣ୍ଟରନେଟ୍ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ଆଦି  ସଂପର୍କରେ ବୈଠକରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପ୍ରତ୍ୟେକ କାର୍ଯ୍ୟକୁ ଭଲଭାବେ ତଦାରଖ ଓ ସମନ୍ୱୟ ରଖିବାକୁ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *